• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଡ଼ଦାଣ୍ଡରେ ହେବାକୁ ଥିବା ଟନେଲ୍ ସଦୃଶ ସ୍ୱତନ୍ତ୍ର ବ୍ୟାରିକେଡ୍ ନିର୍ମାଣର ପୂର୍ବ ପ୍ରସ୍ତୁତି କାମ ଆଜିଠୁ ଆରମ୍ଭ ହୋଇଛି । ବ୍ୟାରିକେଡ୍ ଯନ୍ତ୍ରଣା ଲାଘବ ପାଇଁ ପ୍ରଶାସନର ଏ ଉଦ୍ୟମକୁ ଭକ୍ତ ମହଲରେ ସ୍ୱାଗତ ତ କରାଯାଇଛି । ହେଲେ ଏହା ଟନେଲ୍ ପାର୍ଶ୍ୱ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କୁ ସମସ୍ୟାରେ ପକାଇବାର ଆଶଙ୍କା ଥିବାରୁ ୟାକୁ ନେଇ ବିରୋଧର ସ୍ୱର ବି ଉଠିଛି ।

ମରିଚିକୋଟ ଛକର ଏଇ ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ । ୧୨ ମିଟର ଚୌଡ଼ା, ୮୪ ମିଟର ଲମ୍ବ । ନିର୍ମାଣ କାମ ଆରମ୍ଭ ହେବା ପୂର୍ବରୁ ବାଉଁଶ ବନ୍ଧା ସରି କପଡ଼ା ଘେରା ଚାଲିଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଯଥେଷ୍ଟ ପୂର୍ବରୁ ଅର୍ଥାତ୍ ଏଇ ମାସ ୨୫ ତାରିଖ ସୁଦ୍ଧା ନିର୍ମାଣ କାମ ସାରିବାକୁ ସମୟ ଧାର୍ଯ୍ୟ ହୋଇଛି ।

ଟନେଲ୍ ଭିତରେ ବସିବା ସ୍ଥାନଠୁ ଆରମ୍ଭ କରି ବିଦ୍ୟୁତ୍ ଓ ପାନୀୟ ଜଳର ବ୍ୟବସ୍ଥା କରି ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ଲାଘବର ଉଦ୍ୟମ କରୁଛି ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ଭକ୍ତ ମହଲରେ ସ୍ୱାଗତ ତ କରାଯାଉଛି, ହେଲେ ଜୟବିଜୟ ଦ୍ୱାରରେ ଯେଉଁ ଭିଡ଼ ଓ ଠେଲାପେଲା ହେଉଛି, ତା ଉପରେ କାହିଁକି ଧ୍ୟାନ ଦିଆଯାଉନି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ବଡ଼ଦାଣ୍ଡରେ ଡ୍ରେନ୍ ଠାରୁ ମାତ୍ର ୨ ମିଟର ଛାଡ଼ି ୧୨ ମିଟର ଚଉଡ଼ାର ଟନେଲ୍ ନିର୍ମାଣ ହେବାକୁ ଥିବାରୁ ଏହାର ବିରୋଧ କରିଛନ୍ତି ପ୍ରସ୍ତାବିତ ଟନେଲ୍ ପାର୍ଶ୍ୱ ବାସିନ୍ଦା ଓ ବ୍ୟବସାୟୀ । ସେମାନଙ୍କ କହିବା କଥା ମାତ୍ର ୨ ମିଟର ସଂକୁଚିତ ରାସ୍ତାରେ ଲଜ୍ ଓ ହୋଟେଲକୁ ଯାତାୟତରେ ଗୁରୁତର ସମସ୍ୟା ହେବ । ଦେହ ଖରାପ ସମୟରେ ଆମ୍ବୁଲାନ୍ସଟିଏ ଯିବା ହେଉ କି ଅଗ୍ନିକାଣ୍ଡ ଭଳି ସ୍ଥିତି ଉପୁଜିଲେ ଦମକଳ ଗାଡ଼ିଟିଏ ବି ସ୍ୱଚ୍ଛନ୍ଦରେ ଯିବା ସମ୍ଭବ ହେବନି ।

କାରଣ ଗତ ମାର୍ଚ୍ଚ ମାସରେ ୩୬ ଘଣ୍ଟା ଧରି ଜଳୁଥିବା ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସର ନିଆଁ ଏବେ ବି ଲୋକଙ୍କ ମନରୁ ଯାଇନି । କେବଳ ସେତିକି ନୁହେଁ, ଏତେ ବଡ଼ ଓସାରର ଟନେଲ୍ ଦ୍ୱାରା ବଡ଼ଦାଣ୍ଡ ସଂକୁଚିତ ହେବା ସହ ଟ୍ରାଫିକ୍ ନିୟନ୍ତ୍ରଣରେ ବି ଗୁରୁତର ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଅପରପକ୍ଷେ ଜାତୀୟ ରାଜପଥ ମାନ୍ୟତା ପାଇଥିବା ବଡ଼ଦାଣ୍ଡରେ ଏନଏଚ୍ ପ୍ରଶାସନର ବିନା ଅନୁମତିରେ ସ୍ଥାୟୀ କିମ୍ବା ଅସ୍ଥାୟୀ ନିର୍ମାଣ କରାଯାଇ ପାରିବନି ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଏଥିପାଇଁ ଅନୁମତି ନିଆଯାଇଛି ତ ବୋଲି ପ୍ରଶ୍ନ ଉଠିଛି ।

ଓବିସିସିକୁ ଟନେଲ୍ ସଦୃଶ ଏଇ ସ୍ୱତନ୍ତ୍ର ବ୍ୟାରିକେଡର ନିର୍ମାଣ ଭାର ଦିଆଯାଇଛି । ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉଦ୍ଦେଶ୍ୟରେ ଏ ବ୍ୟବସ୍ଥା କରାଯାଉଥିଲେ ଭବିଷ୍ୟତରେ ଏହା ଏକାଧିକ ସମସ୍ୟାର କାରଣ ପାଲଟିବାର ଆଶଙ୍କା ସୃଷ୍ଟି କରିଛି ।

  • Reported by:
  • PRADEEP MAHANTY , MADHUSUDAN MISHRA