• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ । କେଉଁଠି ବଜ୍ରପାତରେ ଲୋକଙ୍କ ପ୍ରାଣ ଯାଇଛି ତ ଆଉ କେଉଁଠି ଝଡ଼ ପବନ ମାଡ଼ରେ ବିଜୁଳି ଭିତ୍ତିଭୂମି ଉପୁଡ଼ି ଯାଇଛି । ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ଝରବାହାଲି ଗାଁର ଜଣେ ବ୍ୟକ୍ତିଙ୍କ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଭୁବନ ବଗର୍ତ୍ତି ।

ସେହିପରି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସିଲପଡ଼ା ଗାଁରେ ମଧ୍ୟ ବଜ୍ରପାତରେ ଗୋଟିଏ ପରିବାରର ୮ ଜଣ ଗୁରୁତର ହୋଇପଡ଼ିଛନ୍ତି । ସମସ୍ତଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ କୋରାପୁଟ ଡାକ୍ତରଖାନାକୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଲମତାପୁଟ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ପବନ ଯୋଗୁଁ ଲମତାପୁଟ ବ୍ଲକ ଅନ୍ତର୍ଗତ ବନମାଳିପୁଟ ବିଦ୍ୟୁତ ଟ୍ରାନସଫର୍ମର ଖୁଣ୍ଟ ଭାଙ୍ଗିଯାଇଛି । ସେହିପରି ବନମାଳିପୁଟ ପଞ୍ଚାୟତରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାବେଳେ ଭିମାରିପୁଟ ଗାଁରେ ୧୧ଟି ଘରର ଛପର, ପବନରେ ଉଡିଯାଇଛି । ଦେବଗନ୍ଧନାରେ ୪ଟି ଘର ଘରର ଛପର ଉଡିଯାଇଛି । କେତେକ ଅଂଚଳରେ ଘର ଉପରେ ଗଛ ପଡିଥିବା ଦେଖିବାକୁ ମିଳିଛି ।

ତେବେ କାଳବୈଶାଖୀ କାରଣରୁ ହୋଇଥିବା ଘଣ୍ଟାଏ ବର୍ଷାରେ ବିଶାଖାପାଟଣା-କିରଣ୍ଡଲକୁ ସଂଯୋଗ କରୁଥିବା ରେଳ ଧାରଣା ତଳର ମାଟି ଭୁଷୁଡ଼ି ପଡ଼ିଛି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଟିକରପଡା ପଞ୍ଚାୟତର ଦେବତାହଞ୍ଜର ଗାଁ ନିକଟ ରେଳ ଧାରଣା ତଳ ମାଟି ଧସିଥିବା ଦେଖିବାକୁ ମିଳିଛି । ଏହି କାରଣରୁ ସେହି ଟ୍ରାକ୍ ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।