• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜି ବାମପନ୍ଥୀଙ୍କ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା

  • ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ

  • ସିପିଆଇ, ସିପିଏମ, ସିପିଆଇ(ଏମଏଲ) ଏବଂ ଫରଓ୍ୱାର୍ଡ଼ ବ୍ଳକଅର ବନ୍ଦ ଡାକରା

  • ପ୍ରଭାବିତ ହୋଇପାରେ ଗାଡ଼ି ମୋଟର ଚଳାଚଳ ଏବଂ ଦୋକାନ ବଜାର

ଭୁବନେଶ୍ୱର : ଆଜି ବାମ ଦଳର ଓଡିଶା ବନ୍ଦ ଡାକରା । ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବାମ ଦଳ । ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଏବଂ ଫରଓ୍ୱାର୍ଡ଼ ବ୍ଳକ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ସମୟରେ ଗାଡ଼ି ମୋଟର ଏବଂ ଦୋକାନ ବଜାର ବନ୍ଦ ରଖିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଉଛି ବୋଲି କୁହାଯାଇଛି ।

ସେପଟେ ଏହି ବନ୍ଦକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରି ସାରିଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱର ରେଳ ଷ୍ଟେସନରେ ବାମ ଦଳ କର୍ମୀ ରେଳରୋକ କରିଛନ୍ତି । ବନ୍ଦ ସମୟରେ ଦୋକାନ ବଜାର, ଗାଡ଼ି ଚଳାଚଳ, ରେଳ ଚଳାଚଳ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଆଦି ପ୍ରଭାବିତ ହେବାକୁ ଥିବାରୁ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ।

ସେପଟେ ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ନେଇ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ଗତକାଲି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ସବୁ ବିଦ୍ୟୁତ ଅଫିସ ଆଗରେ ଦଳ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ବିଦ୍ୟୁତ କଂପାନୀ ମନଇଚ୍ଛା ବିଜୁଳି କାଟୁଛନ୍ତି, ତାସହ କରୋନା କାଳରେ ଲୋକଙ୍କ ଉପରେ ବିଦ୍ୟୁତ ଦରବୃଦ୍ଧି ଲଦି ଦିଆଯାଉଥିବା ଅଭିଯୋକ କରିଥିଲା ବିଜେପି । ଯାହାର ପ୍ରତିବାଦ ସ୍ୱରୁପ ଗତକାଲି ଠାରୁ ଆନ୍ଦୋଳନ ଆରମ୍ଭ ହୋଇଛି ।

ସେହିପରି ତେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଗତକାଲଇ କରିଥିଲା ଶୋଭାଯାତ୍ରା । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଶତାଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ଏକାଠି ହୋଇ ଶୋଭାଯାତ୍ରା କରିଥିଲେ । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ କର୍ମୀ । ଏଥିରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ, ସୁର ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ । ସେହିଭଳି ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା କର୍ମୀ ସାମିଲ ହୋଇଥିଲେ ।