• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱରରେ ସଫ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାକୁ ନେଇ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ପ୍ରତିକ୍ରିୟା ରଖିଲେ ଶ୍ୱେତାଙ୍କ ବାପା ଓ ଭାଇ । ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ ବିରୋଧରେ ସେମାନେ ସିଧା ସିଧା ଅଭିଯୋଗ ଆଣିଛନ୍ତି । ଶ୍ୱେତାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କିମ୍ବା ଭିଡିଓ ରଖିଥିଲେ ସୌମ୍ୟଜିତ୍ । ଉଭୟ ଲିଭ୍ ଇନରେ ଥିବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ/ଭିଡିଓ ସୌମ୍ୟ ରଖିଥିବା ସେମାନେ କହିଛନ୍ତି । ଏପରିକି ଟଙ୍କା ନ ଦେଲେ ଫଟୋ ଭାଇରାଲ୍ କରିଦେବାକୁ ଶ୍ୱେତାଙ୍କୁ ଧମକ ଦେଉଥିଲେ ।

ସୌମ୍ୟଜିତ୍ ୬/୭ ମାସ ହେଲା ଶ୍ୱେତାଙ୍କୁ ଏକତରଫା ପ୍ରେମ କରିଥିଲେ । କିନ୍ତୁ ଶ୍ୱେତାଙ୍କ ପକ୍ଷରୁ ସେପରି କିଛି ନଥିଲା । ପ୍ରେମ ନ କଲେ ହାତ କାଟିଦେବେ ବୋଲି ବାରମ୍ବାର ଧମକ ଚମକ ମଧ୍ୟ ଦେଉଥିଲା । ଶେଷରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା । ସେପଟେ ଉଭୟଙ୍କ ପ୍ରେମ ବିଷୟରେ ଦେଢ଼ ବର୍ଷ ପରେ ଜାଣିଥିଲେ ପରିବାର ଲୋକ । ଉଭୟଙ୍କୁ ବାହା କରାଇ ଦେବାକୁ ରାଜି ମଧ୍ୟ ହୋଇଥିଲେ । ବିବାହ ପ୍ରସ୍ତାବ ପାଇଁ ଶ୍ୱେତାଙ୍କ ପରିବାର ଲୋକ ୨ ଥର ସୌମ୍ୟଜିତଙ୍କ ଘରକୁ ମଧ୍ୟ ଯାଇଥିଲେ, ହେଲେ ସେମାନେ ଦୁର୍ବ୍ୟବହାର କରିଥିଲେ । ବିବାହ ପାଇଁ ଯୌତୁକ ବାବଦରେ ୩୦ ଲକ୍ଷ ଟଙ୍କା ମାଗିଥିଲେ ସୌମ୍ୟଙ୍କ ପରିବାର ।

ବର୍ତ୍ତମାନ ଶ୍ୱେତାଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ତଦନ୍ତ ହେଉ ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକ । ଶ୍ୱେତାଙ୍କ ଆପାର୍ଟମେଣ୍ଟରୁ ଜବତ ହୋଇଥିବା ଡାଏରୀରୁ ଏକ ସନ୍ଦିଗ୍ଧ ନାଁ ମିଳିଛି । ଡାଏରୀରେ ଥିବା ନାଁଟି ଶ୍ୱେତାଙ୍କ ବୟଫ୍ରେଣ୍ଡ ବୋଲି ସୂଚନା ମିଳିଛି । ତେଣୁ ଏଦିଗରେ ଏବେ ତଦନ୍ତ ହେଉଛି ।

ସୂଚନାଯୋଗ୍ୟ ଗତକାଲି ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ସଫ୍ଟେଓ଼୍ବର କମ୍ପାନିରେ ସେ କାମ କରୁଥିଲେ । ଗତ ଶୁକ୍ରବାର ପରିବାର ଲୋକେ ବାରମ୍ବାର ତାଙ୍କୁ ଫୋନ୍ କରିଥିଲେ । କିନ୍ତୁ ତାଙ୍କ ଫୋନ୍‌ ସ୍ୱିଚ୍ ଅଫ୍ ଦେଖାଉଥିଲା । ଏହା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାକୁ ଫୋନ କରି ଖବର ଦେଇଥିଲେ । ପୋଲିସ ଯାଇ ଦେଖିଲା ଘର ଭିତର ପଟୁ ବନ୍ଦ ଥିଲା । କବାଟ ଭାଙ୍ଗି ପୋଲିସ ତାଙ୍କ ଘରେ ପ୍ରବେଶ କରିବା ପରେ ଯୁବତୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।