• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରିଜ୍ ଅଛି ହେଲେ ବାଟ ନାହିଁ । ସିଡ଼ିରେ ଚଢ଼ିକି ଯିବାକୁ ପଡ଼ିଛି, ସାଇକେଲ୍ ଆଣିଥିଲେ କାନ୍ଧରେ ଉଠାଇ ନେବାକୁ ପଡ଼ୁଛି । ଆଉ ଯଦି, ଭୁଲରେ ସ୍କୁଟର କିମ୍ବା ବାଇକ୍ ଆଣିଲେ କଥା ସରିଲା । ୧୧ କୋଟିର ପୋଲକୁ ଏବେ ଭରସା ଏହି କାଠର ନିଶୁଣି । କାରଣ ବ୍ରିଜ୍ ସିନା ଗୋଟେପଟେ ତିଆରି ହେଇଗଲା ହେଲେ ଆରପଟକୁ ଓହ୍ଲାଇବାକୁ ଆଉ ବାଟ ନାହିଁ । ତେଣୁ ଏମିତି ବିପଦଜନକ ଭାବେ ପ୍ରତିଦିନ ଯାଆସ କରୁଛନ୍ତି ଶହ ଶହ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ନୀଳଗିରି ବ୍ଲକର ତୋଟାପଡ଼ା ଗାଁରେ ।

ତୋଟାପଡ଼ା ଗାଁରେ ବ୍ରିଜକୁ ଭରସା ସାଜିଛି ସିଡ଼ି । କାରଣ ବିଜୁ ସେତୁ ଯୋଜନାରେ ପୋଲ ସିନା ନିର୍ମାଣ ହୋଇଗଲା ହେଲେ ସରି ପାରିଲାନି । ଜମି ଅଧିଗ୍ରହଣ କାମ ସରିନଥିବାରୁ ବ୍ରିଜ୍ ସରିନି । ଫଳରେ ବ୍ରିଜର ଗୋଟିଏ ପଟରେ ବାଉଁଶର ସିଡ଼ି କରାଯାଇଛି, ଯାହାକୁ ପାର କରି ଲୋକେ ଯାଆସ କରୁଛନ୍ତି । ବିଜୁ ସେତକୁ ପାର ହେବାକୁ ଏମିତି ବାଟ ଆପଣାନ୍ତି ଲୋକେ । ପିଲାରୁ ବୃଦ୍ଧ ସମସ୍ତେ ଏମିତି ବ୍ରିଜ୍ ଦେଇ ଆସନ୍ତି ଆଉ ସିଡ଼ି ଦେଇ ଓହ୍ଲାନ୍ତି । କାରଣ ବ୍ରିଜର ଅନ୍ୟପଟର କାମ ସରି ପାରିନି । ଜମି ଅଧିଗ୍ରହଣ ହୋଇନଥିବା ଯୋଗୁଁ ବ୍ରିଜ୍ କାମ ଅଧାରେ ଠପ୍ ପଡ଼ିଛି ।

ନୀଳଗିରିରୁ ବାରିପଦାକୁ ସଂଯୋଗ କରୁଥିବା ଏହି ବ୍ରିଜ୍ ଉପରେ ନିର୍ଭର କରନ୍ତି ଆଖପାଖର ୮ରୁ ୧୦ ହଜାର ଲୋକ । ଦୀର୍ଘ ଦିନର ଦାବି ପରେ ଏହି ରାସ୍ତାରେ ହୋଇଥିଲା ବ୍ରିଜ୍ । ୨୦୧୮ରେ ପ୍ରାୟ ୧୧ କୋଟି ଟଙ୍କାରେ ବ୍ରିଜ୍ କାମ ଆରମ୍ଭ ହୋଇଥିଲା । ହେଲେ ଅନେକ ଲୋକଙ୍କ ଜମି ଅଧିଗ୍ରହଣ ହୋଇନପାରିବାରୁ ଏବେ ଅଧାରେ ଅଟକିଛି । ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ନକରି ନିର୍ମାଣ କାମ ଆରମ୍ଭ ହୋଇଥିବାରୁ ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେଇନଥିଲେ ବି ଆଗାମୀ କିଛି ଦିନରେ ପୋଲ କାମ ସରିବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ଜେଇ । ଅନ୍ୟପଟେ ପୋଲ୍ କଡ଼ରେ ଆପ୍ରୋଚ୍ ରୋଡ୍ କାମ ଖୁବ୍ ଶୀଘ୍ର ହେବ । ଲୋକଙ୍କୁ କ୍ଷତିପୂରଣ ମିଳିଯାଇଥିବା ଉପଜିଲ୍ଲାପାଳ କହିଛନ୍ତି ।

ଏହି ରାସ୍ତା ଉପରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଲୋକେ ଯାତାୟତ କରନ୍ତି । ସ୍କୁଲଠୁ ଆରମ୍ଭ କରି ମେଡିକାଲ୍ ଯାଏଁ ସବୁ କାମ ପାଇଁ ଏହି ବ୍ରିଜ୍ ଏକମାତ୍ର ଭରସା । ହେଲେ ଏବେ ଦେଖିବାକୁ ବାକି ରହିଲା କେବେ ସରୁଛି ଏହି ବ୍ରିଜର କାମ ।

(ରିପୋର୍ଟ- ବିଶ୍ୱମ୍ବର ଦାସ, ନୀଳଗିରି)