• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଅ ପାଇଁ ଗର୍ବିତ ଗରିବ ବାପା । ଗାଁରେ ବାପା ଅନ୍ୟମାନଙ୍କର ଘର ତୋଳୁଛନ୍ତି, ଆଉ ପୁଅ ରାଜଧାନୀରେ ବାପାଙ୍କ ସ୍ୱପ୍ନ ପୂରା କରିବାକୁ ପଣ କରିଛି। ଆଗକୁ ବିଶ୍ୱସ୍ତରୀୟ ଖେଳାଳି ଭାବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବ କଳାହାଣ୍ଡି ପୁଅ ଲାଲୁ ପ୍ରସାଦ। ଅଗଷ୍ଟ ୨ରୁ ୭ ତାରିଖ ପର୍ଯ୍ୟନ୍ତ କଲମ୍ବିଆର କ୍ୟାଲିଠାରେ ଆୟୋଜିତ ହେବାକୁ ଥିବା ବିଶ୍ଵ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଲାଲୁ ।

କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ର ଆଶ୍ରମ ପଡ଼ାରେ ୧୯ ବର୍ଷୀୟ ଲାଲୁଙ୍କ ଘର । ଏକ ଗରିବ ଓ ଆଦିବାସୀ ପରିବାରରେ ତାଙ୍କର ଜନ୍ମ । ବାପା ରାଜମିସ୍ତ୍ରୀ କାମ କରି ପରିବାର ପ୍ରତି ପୋଷଣ କରନ୍ତି । ପିଲାଟି ଦିନରୁ ଖେଳକୁଦରେ ଲାଲୁଙ୍କର ରୁଚି ରହିଛି । ଆର୍ଥିକ ଅନଟନ ମଧ୍ୟରେ ଗାଆଁ ସ୍କୁଲରେ ପାଠ ପଢି ପରେ ବର୍ତ୍ତମାନ ଭୁବନେଶ୍ଵରରେ ଏକ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଛନ୍ତି । ଲାଲୁ କଳିଙ୍ଗ ଷ୍ଟାଡିୟମରେ ଚାଲୁଥିବା ରିଲାଏନ୍ସ - ଓଡ଼ିଶା ଦୌଡ଼କୁଦ ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଛନ୍ତି ।

ତେବେ ଚଳିତ ବର୍ଷ ଅଗଷ୍ଟରେ କଲମ୍ବିଆରେ ହେବାକୁ ଥିବା ୱାର୍ଲଡ୍ ଆଥଲେଟ୍ ଅଣ୍ଡର ଟ୍ୱେଣ୍ଟି ଚାମ୍ପିୟନସିପରେ ଲଙ୍ଗ୍‌ ଜମ୍ପରେ ଭାଗ ନେବ ଲାଲୁ । ବାପା ଦିନ ମଜୁରୀ କରି ଘର ଚଳାଉଥିବା ବେଳେ ଏଇ ପୁଅ କଳାହାଣ୍ଡିରୁ ଟିକେଟ୍ ପାଇଛି ସିଧା କଲମ୍ବିଆ । ଆଉ ଏ ଖବର ଶୁଣିବା ପରେ ଗାଁରେ ସମସ୍ତେ ଖୁସ୍ । ପୁଅ ଭୁବନେଶ୍ୱରରେ ଥିବା ବେଳେ ବାପା, ମା, ବନ୍ଧୁ ପରିଜନ ସମସ୍ତେ ତା ପୁରୁଣା ପଦକ ଧରି ଆତ୍ମବିଭୋର ହେଉଛନ୍ତି । ଅଖ୍ୟାତ ପଲ୍ଲୀର ପୁଅ ସାରା ବିଶ୍ୱରେ ନାଁ କରିବାକୁ ଯାଉଛି, ସେଥିରେ ବାପା ମା ଖୁସି ହେବେନି ତ ଆଉ କିଏ ହେବ?

ପୂର୍ବରୁ ଲାଲୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲା ବେଳେ ୬୮ତମ ରାଜ୍ୟ ଦୌଡ଼କୁଦର ୧୦୦ ମିଟରରେ କାଂସ୍ୟ ଏବଂ ଲମ୍ବଡିଆଁରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।