• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁଚିଣ୍ଡା ଲଙ୍କା ଦେଶରେ ସର୍ବୋତ୍ତମ । କୋଚି ଓ ଚେନ୍ନାଇ ଲାବ ରିପୋର୍ଟରେ କୁଚିଣ୍ଡା ଲଙ୍କାର ଗୁଣବତ୍ତାକୁ ସର୍ବୋତ୍ତମ ଆଖ୍ୟା ଦିଆଯାଇଛି । ବାମଣ୍ଡା ରାଜାଙ୍କ ଶାସନ ବେଳୁ ଏହି ଲଙ୍କା ଚାଷ ହୋଇ ଆସୁଥିବା ବେଳେ, ଏବେ ଯାଏ ଏହାର ଗୁଣବତ୍ତା ବଜାୟ ରହିଛି । ସେହିପରି ଜିଆଇ ଟ୍ୟାଗ୍ ପାଇଥିବା ଅନ୍ୟ ଲଙ୍କା ମାନଙ୍କ ମଧ୍ୟରୁ ଏହା ସର୍ବଶ୍ରେଷ୍ଠ ବୋଲି ରିପୋର୍ଟ ପ୍ରକାଶ ପାଇଛି, ଯାହା ଏବେ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ବାଟ ଫିଟାଇଥିବା ଚର୍ଚ୍ଚା ହେଉଛି ।

କୁଚିଣ୍ଡାରେ ଚାଷ ହେଉଥିବା ଲଙ୍କାର ଗୁଣବତ୍ତା ନେଇ ଲ୍ୟାବ୍ ରିପୋର୍ଟ ଆସିବା ପରେ ଆଶା ସଂଚାର ହୋଇଛି । କାରଣ ଏହାର ରାଗ ଯେମିତି, ସୁଆଦ ବି ସେମିତି । ସ୍ପାଇସ୍ ବୋର୍ଡ ଅଫ୍ କୋଚି ଓ ଚେନ୍ନାଇ ଏସଜିଏସ୍ ଲ୍ୟାବ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏପରିକି ଜିଆଇ ମାନ୍ୟତା ପାଇଥିବା ଅନ୍ୟ ଲଙ୍କା ମାନଙ୍କ ଠାରୁ ମଧ୍ୟ ଏହା ସର୍ବୋତ୍ତମ ବୋଲି ରିପୋର୍ଟରେ କୁହାଯାଇଛି । ଲଙ୍କାର ଗୁଣବତ୍ତା ଦୃଷ୍ଟିରୁ ଏହାକୁ ଜିଆଇ ମାନ୍ୟତା ପାଇଁ ଦାବି ହୋଇ ଆସୁଥିବା ବେଳେ, ଓରମାସ ପକ୍ଷରୁ ଲଙ୍କାର ଗୁଣବତ୍ତା ଯାଞ୍ଚ ପାଇଁ ପଠାଯାଇଥିଲା ।

କୁହାଯାଏ, ବାମଣ୍ଡା ରାଜାଙ୍କ ଶାସନ ଅମଳରୁ ଏହି ଅଞ୍ଚଳରେ ଲିଚୁ ଓ ଲଙ୍କା ଚାଷ ହେଉଅଛି । ଦେଖିବାକୁ ଏହି ଲଙ୍କାର ଲମ୍ବ ଯଦିଓ ସେତେଟା ଲମ୍ବା ନୁହେଁ ମାତ୍ର ଏହେ ଭୀଷଣ ରାଗ । ଛୋଟ ଆକୃତିର ହୋଇଥିବାରୁ ଶୁଖିଲା ବିକ୍ରି ପାଇଁ ଏହାର ଚାହିଦ ବହୁତ ଥାଏ । ଆଗରୁ ସ୍ଥାନୀୟ ଅଞ୍ଚଳରେ ଏହା ବହୁଳ ମାତ୍ରାରେ ଚାଷ ହେଉଥିବା ବେଳେ ଏବେ ଚାଷ ଅଧାକୁ ହ୍ରାସ ପାଇଛି । ତେବେ ଆଇଟିଡିଏ, ଆରଏମସି ଓ କୃଷି ବିଭାଗ ପ୍ରୋତ୍ସାହନରେ ପୁନଃ ଲଙ୍କା ଚାଷ କରାଯାଉଛି । ଅନ୍ୟପଟେ କୁଲାଙ୍ଗଯୋର ଠାରେ ଚିଲି ପ୍ରୋସେସିଙ୍ଗ ୟୁନିଟ କରାଯାଇଛି । ମାତ୍ର ତାହା ବି ସଠିକ ଭାବେ ପରିଚାଳିତ ହେଉନାହିଁ ।

ସରକାରୀ ପ୍ରୋତ୍ସାହନ ପରେ ଯଦିଓ ଚାଷୀଙ୍କ ମନରେ ଉତ୍ସାହ ଦେଖାଦେଇଛି, ମାତ୍ର ଉପଯୁକ୍ତ ବଜାର ସୁବିଧା ଓ ଉଚିତ ମୂଲ୍ୟ ନମିଳିଲେ ପୁଣି ଚାଷୀ ନିରାଶ ହେବାର ଆଶଙ୍କା ବି ରହିଛି ।

କୁଚିଣ୍ଡାରୁ ଦେବେନ୍ଦ୍ର ବେହେରାଙ୍କ ରିପୋର୍ଟ