• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶାରେ ପଶି ଆନ୍ଧ୍ରର ନୂଆ ଦାଦାଗିରି । ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ହକ୍ ଜାହିର କରିବାକୁ ପ୍ରୟାସ । କୋଟିଆ ପଞ୍ଚାୟତର ଉପର ସେମ୍ବିର ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥରେ ଅଣୁ ଜଳବିଭାଜିକା ପ୍ରକଳ୍ପର ମାନଚିତ୍ର ଆଙ୍କି ବିବରଣୀ ପ୍ରଦାନ କରିଛନ୍ତି ଆନ୍ଧ୍ର ସରକାର । ସେହିପରି ଫଗୁଣସିନେରୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଅଙ୍ଗନବାଡ଼ି ଗୃହ ନିର୍ମାଣ କାମର ଅନୁଧ୍ୟାନ ପାଇଁ ଆସିଥିଲେ ଆନ୍ଧ୍ର ଅଧିକାରୀ । କିନ୍ତୁ ବିରୋଧର ଶିକାର ହୋଇଥିଲେ ।

କେବଳ ଏହି ପଳି ଦୁଇଟି କାର୍ଯ୍ୟ ନୁହଁ , ପଞ୍ଚାୟତ ନିର୍ବାଚନ ପରଠୁ କୋଟିଆ ବାସିନ୍ଦାଙ୍କ ପାଖରେ ଯେପରି ମୌଳିକ ସୁବିଧା ପହଞ୍ଚିବ, ସେଥିପାଇଁ ରାତିଦିନ ଏକ୍ କରିଦେଇଛି ଆନ୍ଧ୍ର । ଚାରିଆଡ଼େ ଛାଇଯାଇଛି ଜଗନ ସରକାରଙ୍କ ପୋଷ୍ଟର । କିଛିଦିନ ତଳେ ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଲୋକଙ୍କ ସହ ଆଲୋଚନା ବି କରିଥିଲେ । ଏହି ଖବର ପାଇବା ପରେ ଛାନିଆ ହୋଇପଡ଼ିଥିବା ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଆହୁରି ସକ୍ରିୟ ହୋଇଛନ୍ତି କୋଟିଆ ଅଞ୍ଚଳରେ ।

କୋଟିଆ ଦଖଲ ଅଭିଯାନ କ୍ରମରେ ଚଳିତ ମାସ ପହିଲାରେ କୋଟିଆର ୨୮ଟି ଗାଁକୁ ନବ ଗଠିତ ମାନ୍ୟମ ଜିଲ୍ଲାର ନକ୍ସାରେ ସାମିଲ କରିଛି ଆନ୍ଧ୍ର । ନକ୍ସାରେ ୨୮ଟି ଗାଁ ଏବଂ ୧୨ଟି ପଡ଼ାକୁ ପଛୁଆ ଅଞ୍ଚଳ ଦର୍ଶାଇ ନିଜ ମ୍ୟାପ୍ରେ ସାମିଲ କରିଛି । ଫଳରେ ନବଗଠିତ ଜିଲ୍ଲା ମାନ୍ୟମର ହେଡକ୍ୱାର୍ଟର ଏବେ ପାର୍ବତୀପୁରମ୍ । ହେଲେ କୋଟିଆରୁ ୩୦ କିଲୋମିଟର୍ ରାସ୍ତା କମ୍ ପଡ଼ିବ ।

ତେଣୁ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ମୌଳିକ ସୁବିଧା ପାଇଁ ପାର୍ବତୀପୁରମ୍ ମୁହାଁ ହେବେ କୋଟିଆର ଓଡ଼ିଆ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲାଅ ସାଲୁର ବିଧାୟକ ରାଜନ ଦୋରାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ସହ ଆଦିବାସୀ କଲ୍ୟାଣ ବିଭାଗର ଦାୟିତ୍ୱରେ ରହିବା ପରଠୁ ନୂଆ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛି ଆନ୍ଧ୍ର ।

ବିଶେଷ କରି ଉନ୍ନୟନମୂଳକ କାର୍ଯ୍ୟ ସହ ସରକାରୀ ଯୋଜନାକୁ ମାଧ୍ୟମ କରି କୋଟିଆବାସୀଙ୍କ ସହ ଆନ୍ଧ୍ର ସରକାର ଯେପରି ଯୋଡ଼ି ହୋଇରହିବେ ତାଉପରେ ଫୋକସ ରଖାଯାଇଛି । ତେବେ ଆନ୍ଧ୍ର ଯେକୌଣସି ଷଡ଼ଯନ୍ତ୍ର କରୁନା କାହିଁକି, ତାକୁ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି ପଟାଙ୍ଗି ବିଧାୟକ ।

କୋଟିଆ ପଞ୍ଚାୟତର ୨୭ଟି ଅଣ ସର୍ଭେ ଗ୍ରାମପୁଞ୍ଜରେ ଓଡ଼ିଶା ସରକାର ଅବଶ୍ୟ ସବୁ ପ୍ରକାର ଯୋଜନା ଯେପରି ପହଞ୍ଚିବ ସେଥିପାଇଁ ଅଗ୍ରାଧିକାର ଦେଇଛନ୍ତି । କିନ୍ତୁ ଆନ୍ଧ୍ର ତାଠୁ ଅଧିକ ଜନକଲ୍ୟାଣକାରୀ କାର୍ଯ୍ୟ କରି କୋଟିଆବାସୀଙ୍କୁ ଆକୃଷ୍ଟ କରୁଛି ।

କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ