• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ:  ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଆଉ ସେଥିରେ ଜେନେରାଲ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ଅନେକ ସେନା ଅଧିକାରୀ ଏବଂ କ୍ରିଉ ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ ବକ୍ସ ମିଳିଛି । ହେଲେ ଆଶା କରାଯାଉଛି ଯେ, ବ୍ଲାକ୍‌ ବକ୍ସରେ ଥିବା ତଥ୍ୟ ମାଧ୍ୟମରେ ଦୁର୍ଘଟଣା ପଛର ଅସଲ କାରଣ ଜଣାପଡିବ । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, କଣ ଏହି ବ୍ଲାକ୍‌ ବକ୍ସ ? ଏବଂ କିପରି ଏହା କାମ କରିଥାଏ । ତେବେ ଆସନ୍ତୁ ଜାଣିବା ପ୍ରକୃତରେ କଣ ଏହି ବ୍ଲାକ୍‌ ବକ୍ସ ?

Black Box(ବ୍ଲାକ ବକ୍ସର ଚିତ୍ର)
  • କଣ ଏହି ବ୍ଲାକ୍‌ ବକ୍ସ ?

ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ହିଁ ସବୁବେଳେ ଏହି ବ୍ଲାକ୍ ବକ୍ସକୁ ବ୍ୟବହାର କରାଯାଏ । ବିମାନ ଉଡ଼ାଣ ଭରୁଥିବା ସମୟରେ ବ୍ଲାକ୍ ବକ୍ସ ବିମାନର ଗତିବିଧିକୁ ରେକର୍ଡ କରିଥାଏ । ଏହି କାରଣରୁ ଏହାକୁ ଫ୍ଲାଇଟ୍ ଡାଟା ରେକର୍ଡର୍ (FDR) ମଧ୍ୟ କୁହାଯାଇଥାଏ । ଯେ କୌଣସି ପରିସ୍ଥିତିରେ ମଧ୍ୟ ଏହି ବକ୍ସ ଯେପରି ସୁରକ୍ଷିତ ରହିବ ସେଥିପାଇଁ ଏହାକୁ ଶକ୍ତିଶାଳୀ ଧାତୁ ‘ଟାଇଟାନିୟମ’ରେ ତିଆରି କରାଯାଇଛି । ଏମିତି କି ଏହି ବକ୍ସ ଭିତର ଅଂଶ ଚତୁଃପାର୍ଶ୍ୱରେ ମଜୁବୁତ୍‌ କାନ୍ଥର ନିର୍ମାଣ କରାଯାଇଛି । ଫଳରେ ଯେ କୌଣସି ବିମାନର ଦୁର୍ଘଟଣା ହେବା ପରେ ମଧ୍ୟ ବ୍ଲାକ୍ ବକ୍ସଟି ସୁରକ୍ଷିତ ଭାବରେ ରହିବା ସହ ଦୁର୍ଘଟଣା ପରେ ବକ୍ସ ମାଧ୍ୟମରେ ଦୁର୍ଘଟଣା ପଛର ଅସଲ କାରଣ ଜାଣିପାରିହେବ ।

  • କାହିଁକି ହେଲା ଏହି ବ୍ଲାକ୍‌ ବକ୍ସର ଆବିଷ୍କାର ?

୧୯୫୦ ଦଶକ ପୂର୍ବରୁ ବ୍ଲାକ୍‌ ବକ୍ସ ତିଆରିର ପ୍ରୟାସ ଆରମ୍ଭ କରାଯାଇଥିଲା । ତା’ପରେ କ୍ରମାଗତ ଭାବେ ବିମାନର ଫ୍ରିକ୍ୱୁଏନ୍ସି ବଢିବା ସହ ଦୁର୍ଘଟଣା ମଧ୍ୟ ବଢିବାରେ ଲାଗିଥିଲା । ହେଲେ ସେହି ସମୟରେ ଏପରି କୌଣସି ଉପାୟ ନଥିଲା ଯେଉଁଥିରୁ ଦୁର୍ଘଟଣାର କାରଣ ଜାଣି ହେବ ।

  • ବ୍ଲାକ୍‌ ବକ୍ସର ନାମକରଣ କାହାଣୀ

୧୯୫୪ ମସିହାରେ ଏରୋନଟିକାଲ୍‌ ଗବେଷକ ଡେଭିଡ୍ ୱାରେନ୍‌ଙ୍କ ଦ୍ୱାରା ଆବିଷ୍କାର କରାଯାଇଥିଲା । ଏହି ବକ୍ସଟି ଲାଲ୍ ରଙ୍ଗର ହୋଇଥିବା ହେତୁ ସେତେବେଳେ ଏହାକୁ ରେଡ୍ ଅଣ୍ଡା ବୋଲି କୁହାଯାଉଥିଲା । ହେଲେ ତା’ପରେ ଭିତର ପାର୍ଶ୍ୱ କଳା ରଙ୍ଗର ହୋଇଥିବାରୁ ଏହି ବକ୍ସକୁ ବ୍ଲାକ୍‌ ବାକ୍ସ ବୋଲି କୁହାଗଲା । ବକ୍ସଟି ଲାଲ ରଙ୍ଗର ହୋଇଥିବା ସତ୍ତ୍ୱେ ଏହାକୁ ବ୍ଲାକ୍‌ ବକ୍ସ କଣ ପାଇଁ କୁହାଯାଏ ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ । ବକ୍ସଟି ଲାଲ ରଙ୍ଗର ହୋଇଥିବା ଫଳରେ ବୁଦା ଭିତରେ କିମ୍ବା ଧୂଳି ମାଟି ଥିବା କୌଣସି ସ୍ଥାନରେ ପଡ଼ିଲେ ମଧ୍ୟ ବହୁ ଦୂର ପର୍ଯ୍ୟନ୍ତ ବକ୍ସଟି ସ୍ପଷ୍ଟ ଦେଖାଯାଇପାରିବ ।

  • ଏହା କିପରି କାମ କରେ

ଟାଇଟାନିୟମରୁ ତିଆରି ହୋଇଥିବା ଏହି ବକ୍ସରେ ବହୁ ପରସ୍ତ ଥିବାରୁ ଏହା ଅତ୍ୟଧିକ ସୁରକ୍ଷିତ ଅଟେ । ଏମିତିକି ଯଦିଓ କୌଣସି କାରଣ ବଶତଃ ବିମାନରେ ନିଆଁ ଲାଗିଯାଏ ତା ପରେ ବି ଏହା ସହଜରେ ନଷ୍ଟ ହେବାର ସମ୍ଭାବନା କମ୍‌ ରହିଥାଏ । କାରଣ ବକ୍ସରେ ୧ ଘଣ୍ଟା ପାଇଁ ୧୦୦୦୦ ଡିଗ୍ରୀ ସେଣ୍ଟିଗ୍ରେଡର ତାପମାତ୍ରା ବହନ କରିବାର କ୍ଷମତା ରହିଛି । ବକ୍ସଟି ପ୍ରାୟ ୨୬୦ ଡିଗ୍ରୀ ତାପମାତ୍ରା ବହନ କରିପାରିବ । ଏହାର ଏକ ବିଶେଷତ୍ୱ ​​ହେଉଛି ଏହା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ବିନା ବିଦ୍ୟୁତ୍‌ରେ କାମ କରିଥାଏ । ଫଳରେ ଦୁର୍ଘଟଣାଗ୍ରସ୍ତ ବିମାନ ଖୋଜିବା ପାଇଁ ସମୟ ଲାଗୁଥିଲେ ମଧ୍ୟ ବାକ୍ସରେ ସବୁ ତଥ୍ୟ ସଞ୍ଚୟ ହୋଇ ରହିଥାଏ ।

  • ଦୁର୍ଘଟଣା ପରେ ବକ୍ସରୁ କ୍ରମାଗତ ଭାବରେ ଏକ ଶବ୍ଦ ବାହାରି ଥାଏ

ବିମାନ ଦୁର୍ଘଟଣା ହେଲେ ବ୍ଲାକ୍‌ ବକ୍ସରୁ ଏକ ନିରନ୍ତର ଧ୍ୱନି ବାହାରିଥାଏ, ଯାହାକୁ ସର୍ଚ୍ଚ ପାର୍ଟି ଦ୍ୱାରା ଦୂରରୁ ଚିହ୍ନଟ କରାଯାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚିବାରେ ସହଜ ହୋଇଥାଏ । ଏହାସହ ବକ୍ସଟି ସମୁଦ୍ରରେ ପ୍ରାୟ ୨୦ ହଜାର ଫୁଟ ତଳକୁ ଖସିଯିବା ପରେ ମଧ୍ୟ ଏହି ବାକ୍ସରୁ ଶବ୍ଦ ତରଙ୍ଗ ଶୁଣାଯାଇଥାଏ । ଏହା କ୍ରମାଗତ ଭାବରେ ମାସେ ଅର୍ଥାତ୍‌ ୩୦ ଦିନ ପର୍ଯ୍ୟନ୍ତ ଶବ୍ଦ ତଥା ଧ୍ୱନି ସୃଷ୍ଟି କରିଥାଏ ।

ବ୍ଲାକ୍‌ ବକ୍ସର ଆବିଷ୍କାର ପରଠାରୁ ହିଁ ବିମାନଗୁଡିକରେ ଏହି ବକ୍ସଟିକୁ ରଖାଗଲା । ଏହାକୁ ପ୍ରତ୍ୟେକ ବିମାନର ପଛ ଭାଗରେ ରଖାଯାଇଥାଏ ଯାହା ଫଳରେ ଦୁର୍ଘଟଣା ହୋଇଥିଲେ ମଧ୍ୟ ବ୍ଲାକ ବକ୍ସ ସୁରକ୍ଷିତ ରହିଥାଏ । କାରଣ ଯେକୌଣସି ବିମାନ ଦୁର୍ଘଟଣାରେ ବିମାନର ପଛ ଭାଗଟି କମ୍ ପ୍ରଭାବିତ ହୋଇଥାଏ ।

  • ଭଏସ୍ ରେକର୍ଡର୍ ମଧ୍ୟ ସହାୟକ ହୋଇଥାଏ

କେବଳ ବ୍ଲାକ ବକ୍ସ ନୁହେଁ, ବିମାନରେ ଥିବା ଅନ୍ୟ ଏକ ଜିନିଷ ତଥ୍ୟ ବାହାର କରିବାରେ ସାହାଯ୍ୟ କରିଥାଏ, ତାହା ହେଉଛି କକପିଟ୍ ଭଏସ୍ ରେକର୍ଡର୍ (CVR) । ଏହା ବାସ୍ତବରେ ବ୍ଲାକ ବକ୍ସର ଏକ ଅଂଶ । ବିମାନରେ ଏହା ଗତ ଦୁଇ ଘଣ୍ଟାର ଶବ୍ଦକୁ ରେକର୍ଡ କରିଥାଏ । ଏଥିରେ ଇଞ୍ଜିନର ଶବ୍ଦ, ଜରୁରୀକାଳୀନ ଆଲାର୍ମର ଶବ୍ଦ ଏବଂ କକପିଟରେ ଥିବା ଧ୍ୱନୀ ଯଥା ପାଇଲଟ୍ ଏବଂ କୋ-ପାଇଲଟ୍‌ ମଧ୍ୟରେ ବାର୍ତ୍ତାଳାପ ରେକର୍ଡ କରାଯାଏ । କେରଳର ଦୁର୍ଘଟଣା ସଂପର୍କରେ ଏହି ସିଭିଆରରୁ ବହୁ ତଥ୍ୟ ମିଳିଥିଲା ।