• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ମାରାତ୍ମକ ମାଂଜା ସୂତାରେ ଗୁଡ଼ି ଉଡ଼ାଣରେ ଜଣେ ନବନିବାହିତ ଯୁବକର ଜୀବନ ଚାଲି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି କଟକ ଓ ପୁରୀରେ ଘଟିଥିବା ଏ ଦୁଇଟି ଘଟଣା ପରେ ପ୍ଲାଷ୍ଟିକ ଚାଇନା ସୂତା ଓ ମାଂଜା ସୂତାକୁ ନେଇ ଧରପଗଡ଼ ଚାଲିଛି । କଟକରେ ପୋଲିସ୍ ଚଢ଼ଉ କରିଥିବା ବେଳେ ପୁରୀରେ ନିଜ ଆଡୁ ମାମଲା ରୁଜ୍ଜୁ କରିଛି ପୋଲିସ୍ । ତେବେ ପ୍ରଶ୍ନ ଉଠିଛି ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ଯଦି ହାଇକୋର୍ଟ ବ୍ୟାନ ଲଗାଇଥିଲେ, ତା ହେଲେ ବେଧଡ଼କ ବ୍ୟବହାର ଚାଲିଛି କେମିତି ?

ମାଞ୍ଜା ସୂତା ଲାଗି ବଡ ଅଘଟଣ । ଦିନରେ କଟକ, ରାତିରେ ପୁରୀ । ମକର ସଂକ୍ରାନ୍ତି ପାଖେଇ ଆସୁଥିବା ବେଳେ ଗୁଡି ସୂତା ନେଇଛି ଜଣଙ୍କ ଜୀବନ । ବାଇକରେ ସ୍ତ୍ରୀଙ୍କୁ ନେଇ ପୀର୍ ବଜାର ରାସ୍ତାରେ ଯାଉଥିଲେ ସ୍ୱାମୀ । କଟକ ଭୈୟରପୁରର ଜୟନ୍ତ ସାମଲ ମୁଣ୍ଡରେ ହେଲମେଟ୍ ପିନ୍ଧିଥିଲେ । ହଠାତ୍ ରାସ୍ତା ଉପରେ ତାଙ୍କ ବେକରେ ଲାଗି ଯାଇଥିଲା ଗୁଡିର ମାଞ୍ଜା ଲଗା ସୂତା । ଚାହୁଁ ଚାହୁଁ ବେକ କଟିଗଲା, ପ୍ରଚୁର ରକ୍ତସ୍ରାବ ହେଲା । ବାଇକରୁ ତଳେ ପଡି ଛଟପଟ ହୋଇଥିଲେ ଜୟନ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଜୟନ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ସେହିପରି ରବିବାର ପ୍ରାୟ ସାଢ଼େ ୬ଟା ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବାକୁ ସାଇକେଲରେ ଯାଉଥିଲେ ପୁରୀ କୁଣ୍ଢେଇବେଂଟ ସାହିର ଭଞ୍ଜବିହାରୀ ପାତ୍ର । ଡାକ୍ତରଖାନା ଛକ ପାଖ ମାଳିଯାଗା ନିକଟରେ ତାଙ୍କ ବେକରେ ଲାଗିଯାଇଥିଲା ମାଞ୍ଜା ସୂତା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବେକରେ ଷ୍ଟିଚ୍ କରି ଚିକିତ୍ସା କରିଥିଲେ ଡାକ୍ତର ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି ।

କଟକରେ ଗୁଡିର ମାଞ୍ଜା ସୂତାରେ ଜଣଙ୍କର ଜୀବନ ଚାଲିଯିବା ପରେ ପ୍ରଶାସନର ଚେତା ପଶିଛି । ସ୍ପେଶାଲ୍ ଏନଫୋର୍ସମେଂଟ୍ ଟିମ୍ ଗଠନ କରି କଟକର ବିଭିନ୍ନ ଗୁଡି ଦୋକାନରେ ଚଢାଉ କରିଛି ପୋଲିସ । ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍ । ବେଆଇନ୍ ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ଜଗତପୁରର ଜଣେ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଆଗକୁ ଉଭୟ ଦୋକାନୀ ଏବଂ ପ୍ଲାଷ୍ଟିକ ସୂତାରେ ଗୁଡି ଉଡାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ସେପଟେ ପୁରୀରେ ନିଜ ଆଡୁ ମାମଲା ରୁଜୁ କରିଛି କୁମ୍ଭାରପଡ଼ା ପୋଲିସ୍ । ଉପଜିଲ୍ଲାପାଳ କହିଛନ୍ତି, ବେଆଇନ୍ ଗୁଡ଼ି ସୂତା ବିକ୍ରି ହେଉଥିବା ଦୋକାନରେ ଜୋରଦାର ହେବ ଚଢାଉ ।

ସୂଚନା ଅନୁସାରେ ୨୦୧୫ରୁ ଏଯାଏଁ କଟକରେ ମାଂଜା ସୂତାରେ କଟି ୪ ଜଣଙ୍କ ଜୀବନ ଯାଇଛି । ୧୪ରୁ ଅଧିକ ଆହତ ହୋଇଛନ୍ତି । ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ବ୍ୟାନ ଲଗାଇଥିଲେ ହାଇକୋର୍ଟ । ତଥାପି ସାହି ଗଳିରେ ମାଞ୍ଜା ସୂତା ଲଗାଇ ଚାଲିଛି ବେଧ଼ଡକ ଗୁଡି ଉଡ଼ା ।