• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରସନ୍ନ ପାଟ୍ଟଶାଣୀ ବୋକା ନୁହଁନ୍ତି । ସୁଯୋଗ ଆସିଲେ, ସେ ଛାଡିବେନି । ମୋଦିଜୀଙ୍କୁ କେହି ହରାଇ ପାରିବେନି ବୋଲି ଖୋଲାଖୋଲି  ଓଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ଖୋଲାକଥା'ରେ କହିଛନ୍ତି ବିଜେଡି ବାବା । ତାଙ୍କ ସହିତ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ମନୋରଞ୍ଜନ ଯୋଶୀ ।  

ପ୍ରଶ୍ନ- ପ୍ରସନ୍ନ ପାଟ୍ଟଶାଣୀ ରାଜ୍ୟପାଳ ହେବେ ଆଧାର କଣ ?

ପ୍ରସନ୍ନ ପାଟ୍ଟଶାଣୀ : ମୁଁ ଏଥିରେ ବିଶ୍ୱାସ କରେ ନାହିଁ । ମୁଁ ମାଗିଲେ କିଏ ଦେଉଛି ନା ଦେଇଦେବ ? ମୁଁ କାହାକୁ କହି ନାହିଁ ।

ପ୍ରଶ୍ନ- ତାହା ଗୁଜବ ନା ଆଧାର ?

ପ୍ରସନ୍ନ ପାଟ୍ଟଶାଣୀ : ଗୁଜବ ବି ହୋଇପାରେ ଆଧାର ବି ହୋଇପାରେ । ସେଇଟା ପ୍ରସନ୍ନ ପାଟ୍ଟଶାଣୀ କାହିଁକି କାଟିବ । ମୁଁ ଯେପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଦିଏ, ଠିକ୍‌ ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନ ଦିଏ ।

ପ୍ରଶ୍ନ- ବ୍ୟକ୍ତିଗତ ଭାବରେ ମୋଦିଙ୍କୁ ସମ୍ମାନ କରିବା ସହ ତାଙ୍କ କାର୍ଯ୍ୟକଳାପଙ୍କୁ ପ୍ରଶଂସା କରନ୍ତି ନା ନାହିଁ ?

ପ୍ରସନ୍ନ ପାଟ୍ଟଶାଣୀ : କରେ । କାହିଁକି କରିବି ନାହିଁ ? ନା ମୁଁ କେବେ ନବୀନ ପଟ୍ଟନାୟକଙ୍କୁ ନିନ୍ଦା କରିଛି ନା କେବେ ମୋଦିଙ୍କୁ । ଉପରେ ଦୁହିଁଙ୍କ ଭଲ ସମ୍ପର୍କ ରହିଛି । ତେଣୁ ଆମେ ତଳେ କ’ଣ ପାଇଁ ବାଡିଆବାଡି ହେବା ? ’

ପ୍ରଶ୍ନ- ଯଦି ନିମନ୍ତ୍ରଣ ଆସେ ?

ପ୍ରସନ୍ନ ପାଟ୍ଟଶାଣୀ : ଯଦି ନିମନ୍ତ୍ରଣ ଆସେ କିଏ ମନା କରିବ ? ମୁଁ ଅବଜ୍ଞା କରିବା ଅର୍ଥ ମୁଁ ତଳକୁ ପଳେଇବି । ମୋର ପ୍ରିୟ ନବୀନ ପଟ୍ଟନାୟକ ମୋତେ ଡାକିଲେ ମୁଁ ଅବହେଳା କେବେ କରିବି ନାହିଁ ।

ପ୍ରଶ୍ନ- ବିଜେପି ପ୍ରତି ଦୁର୍ବଳତା ବଢିଛି ?

ପ୍ରସନ୍ନ ପାଟ୍ଟଶାଣୀ : ବିଜେପି ପ୍ରତି ଦୁର୍ବଳତା ବଢିନାହିଁ । ବିଜେପିର ଆଇଡିଓଲୋଜିକୁ ଆଜି ନୁହେଁ ମୁଁ ଆଗରୁ ଭଲପାଇ ଆସିଛି ।

ପ୍ରଶ୍ନ- କନ୍ଧମାଳ ଦଙ୍ଗା ପରେ ମେଣ୍ଟ ଭାଙ୍ଗିବା ସମୟରେ ନବୀନ ପଟ୍ଟନାୟକଙ୍କୁ ବୁଝାଇଲେ ନାହିଁ କାହିଁକି ?

ପ୍ରସନ୍ନ ପାଟ୍ଟଶାଣୀ : ମେଣ୍ଟ ହଠାତ୍ ଭାଙ୍ଗିଗଲା । ତାଙ୍କୁ ବୁଝେଇଲେ କେହି ପାରିବେ ନାହିଁ । ସେ ସବୁ ଜାଣିଛନ୍ତି କିନ୍ତୁ କୁହନ୍ତି ନାହିଁ ନ କହିକି ରାଜତ୍ୱ କରୁଛନ୍ତି । ସେ କର୍ମରେ ବିଶ୍ୱାସ କରନ୍ତି । ଠିକ୍‌ ସେହିପରି ପ୍ରସନ୍ନ ପାଟ୍ଟଶାଣୀ,  କିଛି କର୍ମ କରିଥିବାରୁ ବିଜୟ ମଣ୍ଡିତ ହୁଏ ।

 

ପ୍ରଶ୍ନ- ଆପଣଙ୍କ ବେଶ ଗେରୁଆ ହେଲେ ଦଳ ଶାଗୁଆ କିଛି ମିସ୍‌ମ୍ୟାଚ୍‌ ଲାଗେ,ଖୁବ୍‌ ଶୀଘ୍ର ମ୍ୟାଚିଙ୍ଗ୍‌ ମ୍ୟାଚିଙ୍ଗ ହୋଇଯିବ କି ?

ପ୍ରସନ୍ନ ପାଟ୍ଟଶାଣୀ : ଦଳ ତିଆରି ସମୟରେ ମୋର ପ୍ରମୁଖ ଭୂମିକା ଥିଲା । ଓଡିଶାକୁ ସବୁଜ ସୁନ୍ଦର କରି ଗଢି ତୋଳିବାରେ ନବୀନଙ୍କର ଯେଉଁ ଭୂମିକା ରହିଛି । ମୋଦିଙ୍କ ସହିତ ସଂପର୍କ ରକ୍ଷାକରି ସେ ଓଡିଶାକୁ ମଜବୁତ୍‌ କରିବାରେ ଲାଗିଛନ୍ତି । ସାରା ଭାରତବର୍ଷରେ ମୋଦିଙ୍କୁ କେହି ପରାଜିତ କରିପାରିବେ ନାହିଁ ।

ପ୍ରଶ୍ନ- ଆଗକୁ ବେଶଭୂଷା ସହିତ ଦଳର ରଙ୍ଗ ମ୍ୟାଚିଙ୍ଗ ମ୍ୟାଚିଙ୍ଗ ହେବ ନା ନାହିଁ ?

ପ୍ରସନ୍ନ ପାଟ୍ଟଶାଣୀ : ରାଜନୀତିରେ ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର, ଆଜି ଯିଏ ମିତ୍ର କାଲି ସିଏ ଶତ୍ରୁ…ତେବେ ଏଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ । 

 

ପ୍ରଶ୍ନ- ବାବା ପ୍ରସନ୍ନ ପାଟ୍ଟଶାଣୀ ଛିକ୍‌ ମସୟରେ ଠିକ୍‌ ପଦକ୍ଷେପ ନେଇ ହାତରେ ପଦ୍ମ ଧରିବେ କି ?

ପ୍ରସନ୍ନ ପାଟ୍ଟଶାଣୀ : ପଦ୍ମ ଓ ଶଙ୍ଖ ଏକାଠି ହୋଇ ବିଜୟମଣ୍ଡିତ ହୋଇଥିଲେ । ହେଲେ ଆମେ ଆଉ ଏବେ କାହିଁକି ହେବୁ ନାହିଁ ? 

ପ୍ରଶ୍ନ- ଓଡିଶାରେ ବିଜେଡି ଓ ବିଜେପିର ସମ୍ପର୍କ ?

ପ୍ରସନ୍ନ ପାଟ୍ଟଶାଣୀ : ଓଡିଶାରେ ବିଜେଡି ଓ ବିଜେପିର ସମ୍ପର୍କ କିଛି ତ ଖରାପ ନାହିଁ । ଏଇ ଅଣ୍ଡା ମାଡ ପାଇଁ, ଦେଖନ୍ତୁ ଯେତେବେଳେ ଯେଉଁ ଦଳ ଅଣ୍ଡା ଫିଙ୍ଗନ୍ତି ସେତେବେଳେ ସେ ହାରିଯାଆନ୍ତି ବୋଲି ମୁଁ ବିଶ୍ୱାସ ରଖିଥାଏ ।’

ପ୍ରଶ୍ନ- ନବୀନ ପଟ୍ଟନାୟଙ୍କୁ ପ୍ରଶଂସା କରନ୍ତି , ଯଦି ମୋଦିଙ୍କ ପାଖରୁ ଅଫର ଆସିଲା ତେବେ କଣ କରିବେ ?

ପ୍ରସନ୍ନ ପାଟ୍ଟଶାଣୀ : ‘ ମୋଦିଙ୍କୁ କନ୍‌ଭିନ୍ସ କରିବା କଷ୍ଟକର ପାଠ । ସେ ଯଦି କିଛି କହିବେ ମୁଁ ତାକୁ ଅସ୍ୱୀକାର କରିବି ନାହିଁ ।’

ପ୍ରଶ୍ନ- ଆଗାମୀ ଦିନରେ ରାଜନୀତିରେ ରହିବେ ନା ସନ୍ୟାସ ନେଇଯିବେ ?

ପ୍ରସନ୍ନ ପାଟ୍ଟଶାଣୀ : ଯେ ପର୍ଯ୍ୟନ୍ତ ମୋର ସ୍ୱାସ୍ଥ୍ୟ ଠିକ୍‌ ଅଛି ସେ ପର୍ଯ୍ୟନ୍ତ ମୁଁ ରାଜନୀତିରେ ରହିବି ।