• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୂଆପଡ଼ା ଜିଲ୍ଲାରୁ ଚଳିତ ବର୍ଷ ପନ୍ଦର ହଜାର କ୍ୱିଣ୍ଟାଲ କେନ୍ଦୁପତ୍ର ସଂଗ୍ରହ ପାଇଁ ଚଳିତ ଥର ଲକ୍ଷ୍ୟ ରଖିଛି ପ୍ରଶାସନ । ଜିଲ୍ଲାର ବୋଡେ଼ନ ଓ ସିନାପାଲି ବ୍ଲକର ଶତାଧିକ ପରିବାର କେନ୍ଦୁ ପତ୍ର ତୋଳି ପରିବାର ପ୍ରତିପୋଷଣ କରିଥାନ୍ତି । ଗ୍ରୀଷ୍ମ ଋତୁରେ କୌଣସି କାମ ନମିଳୁନଥିବାରୁ ଏହା ସେମାନଙ୍କ ଆୟର ଏକ ପ୍ରମୁଖ ଉତ୍ସ ପାଲଟିଛି । ଫଳରେ ଆଦିବାସୀ  ଏ ଦିଗରେ ମହିଳାମାନେ ଅଗ୍ରହର ସହିତ କେନ୍ଦୁପତ୍ର ସଂଗ୍ରହ କରୁଥିବା ଦେଖାଯାଉଛି ।

କେନ୍ଦୁପତ୍ର ଶ୍ରମିକ ମାନେ ସକାଳୁ ସକାଳୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ବାହାରି ପଡୁଛନ୍ତି l ପରେ ତାକୁ ଆଣି ଘରେ ସପରିବାର ବିଡ଼ା କରି ସନ୍ଧ୍ୟାରେ ପାଖରେ ଥିବା କେନ୍ଦୁପତ୍ର ଫଡ଼ିରେ ବିକ୍ରି କରୁଛନ୍ତି l ଗୋଟିଏ କେନ୍ଦୁପତ୍ର ଚଟାଣକୁ ୧୪୦ ଟଙ୍କା ମିଳୁଥିବା ବେଳେ ଏହାକୁ ବୃଦ୍ଧି କରି ୨ ଶହ ଟଙ୍କା ଦେବାକୁ ଦାବି ହେଉଛି ।

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବୋନସ ସହ ଛତା, ଜୋତା ମିଳିବାର ନିୟମ ଅଛି । ଚଳିତ ବର୍ଷ ଚପଲ ପାଇଁ ୧୬୦ ଟଙ୍କା ଓ ପାଣି ବୋତଲ ପାଇଁ ୨୦୦ ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ଅନେକ ଶ୍ରମିକ ବୋନସ ଟଙ୍କା ପାଇ ନଥିବା ଜଣାପଡିଛି । ଅନେକ ଶ୍ରମିକଙ୍କୁ ପରିଚୟ ପତ୍ର ମିଳୁ ନଥିବାରୁ ଅସୁବିଧା ସୃଷ୍ଟି ହେଉଛି । କୌଣସି ଶ୍ରମିକ କାର୍ଯ୍ୟସ୍ଥଳୀରେ ପ୍ରାଣ ହାରିଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ମୂଳକ ସହାୟତା ରାଶି ମିଳିବାର ନିୟମ ରହିଛି ।

ସେହିପରି ଅନେକ ଶ୍ରମିକ ଭାଲୁ ଆକ୍ରମଣର ଶିକାର ହେଉଥିବା ବେଳେ ସେମାନଙ୍କୁ କୌଣସି ସରକାରୀ ସହଯୋଗ ମିଳିପାରୁନି । ଏନେଇ ଖଡ଼ିଆଳ କେନ୍ଦୁପତ୍ର ଡିଏଫଓ ପ୍ରତାପ କୁମାର ବେହେରା କହିଛନ୍ତି, ସରକାରୀ ନିୟମ ଅନୁଯାୟୀ ଶ୍ରମିକ ମାନଙ୍କୁ ସବୁ ପ୍ରକାର ସହଯୋଗ କରାଯାଉଛି ।

(ଖଡିଆଳରୁ କୁନାଲ ଚରଣ ବେହେରାଙ୍କ ରିପୋର୍ଟ)