Advertisment

ଡମ୍ପିଂୟାର୍ଡ ଅଛି, ହେଲେ ରାସ୍ତା ଉପରେ ଜମା କରାଯାଉଛି କୁଢ଼ କୁଢ଼ ଅଳିଆ

ଡମ୍ପିଂୟାର୍ଡ ଅଛି। କିନ୍ତୁ ଆାବର୍ଜନା ସଂଗ୍ରହ କରୁଥିବା ଠିକା ସଂସ୍ଥାର କର୍ମଚାରୀ ଡମ୍ପିଂୟାର୍ଡରେ ଅଳିଆ ନ ପକାଇ ରାସ୍ତା ଉପରେ ଫୋପାଡ଼ି ଦେଇ ପଳାଉଛନ୍ତି। ଫଳରେ ଯାତାୟାତ କରିବା ଏବେ ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। ଏହାସହ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dump Yards

Dump Yards

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଡମ୍ପିଂୟାର୍ଡ ଅଛି, ହେଲେ ରାସ୍ତା ଉପରେ ଜମା କରାଯାଉଛି ଅଳିଆ ଆବର୍ଜନା। ଏଥିପାଇଁ ଆଖପାଖରେ ପ୍ରବଳ ଦୁର୍ଗନ୍ଧ ହେବା ସହ ପରିବେଶ ବି ଅସ୍ୱାସ୍ଥ୍ୟକର ହେଉଛି। କେବଳ ଏତିକି ନୁହେଁ, ପାଖ ନଦୀ ଗୋବରୀ ମଧ୍ୟ ଏହି କାରଣରୁ ପ୍ରଦୂଷିତ ହେଉଛି। ଏଭଳି ଦୃଶ୍ୟ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ଦେଖିବାକୁ ମିଳିଛି। 

Advertisment

ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ମ୍ୟୁନିସିପାଲଟିର ହଜାରି ବଗିଚାରେ ରହିଛି ଡମ୍ପିଂୟାର୍ଡ। କିନ୍ତୁ ଆାବର୍ଜନା ସଂଗ୍ରହ କରୁଥିବା ଠିକା ସଂସ୍ଥାର କର୍ମଚାରୀ ଡମ୍ପିଂୟାର୍ଡରେ ଅଳିଆ ନ ପକାଇ ରାସ୍ତା ଉପରେ ଫୋପାଡ଼ି ଦେଇ ପଳାଉଛନ୍ତି। ପ୍ରତିଦିନ ୨୧ଟି ୱାର୍ଡର ରୁ ପ୍ରାୟ ଦେଢ଼ ଶହ ଟନ ଆବର୍ଜନା ଏଠାରେ ପଡ଼ୁଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରିବା ଏବେ ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। ଏହାସହ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଏହା ଦ୍ୱାରା ଗୋବରୀ ନଦୀ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି। 

Advertisment

ଏହି ରାସ୍ତାରେ ଯା’ଆସ କରୁଥିବା ହଜାରୀ ବଗିଚା, ନାଗପୁରା, ଆଳିଜଙ୍ଗା,ବଡ଼ ବାରଙ୍ଗ, ସାରଙ୍ଗ, ଓସ୍ତପୁର ପ୍ରଭୃତି ଅଞ୍ଚଳର ଲୋକେ ହଇରାଣ ହେଉଛନ୍ତି। ଘଟଣାକୁ ନେଇ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ କହିଛନ୍ତି, ‘ବର୍ଷା ହେବା ଯୋଗୁ ଡମ୍ପିଂୟାର୍ଡରେ ଥିବା କିଛି ଅଳିଆ ଆବର୍ଜନା ବାହାରକୁ ଚାଲି ଆସିଥିଲା। ଏହାକୁ ଆମେ ସଫା କରିଦେବୁ। ଡମ୍ପିଂୟାର୍ଡ ବହୁତ ପୁରୁଣା ମଧ୍ୟ।’

ସୂଚନାଥାଉ କି, କେନ୍ଦ୍ରାପଡ଼ା ପୌରସଂସ୍ଥା ଅଧିନରେ ୨୧ଟି ୱାର୍ଡ ରହିଛି। ସେଥିମଧ୍ୟରୁ ୮ଟି ୱାର୍ଡର ସଫେଇ ଦାୟିତ୍ୱ ପୌରସଂସ୍ଥା ନିଜ ହାତରେ ରଖିଥିବା ବେଳେ ବାକି ୧୩ଟି ୱାର୍ଡରେ ସଫେଇ ଦାୟିତ୍ୱ ଠିକା ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି। ତେବେ ଠିକା ସଂସ୍ଥାର କର୍ମଚାରୀମାନେ ମନଇଚ୍ଛା ଆବର୍ଜନା ସଂଗ୍ରହ ଓ ପରିବହନ କରୁଛନ୍ତି। ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୌରସଂସ୍ଥା କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା ସାଜିଛନ୍ତି। ସେପଟେ ଲୋକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

Dump Yards Sanitation Issues
Advertisment
Advertisment