• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରାବଣ ମାସରେ କାଉଡିଆ ଜଳଲାଗି କରିବା ବେଳେ ସାଙ୍ଗରେ ଧରି ଆସୁଥିବା ପ୍ଲାଷ୍ଟିକ ସାମଗ୍ରୀକୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀକ୍ଷେତ୍ରରେ ଲୋକନାଥ ମନ୍ଦିରକୁ ଆସୁଥିବା କାଉଡିଆମାନେ ପ୍ଲାଷ୍ଟିକ ଜିନିଷ ସାଙ୍ଗରେ ଧରି ଆସୁଥିବା ଦେଖିବାକୁ ମିଳିଛି । କେହି କେହି ପ୍ଲାଷ୍ଟିକ ବାହୁଙ୍ଗି ଧରିଥିବା ବେଳେ ଆଉ କେହି ପ୍ଲାଷ୍ଟିକ ଢାଳ ଆଣିଥିବା ଦେଖିବାକୁ ମିଳିଛି । ଏମିତିକି ଏନେଇ ସେବାୟତମାନେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ଧାର୍ମିକ ଭାବନାକୁ ଆଘାତ ଦେଉଥିବା କହିଛନ୍ତି ସେବାୟତ । ସେପଟେ ପ୍ଲାଷ୍ଟିକ ବଦଳରେ ପିତ୍ତଳ କିମ୍ବା ତମ୍ବା ଢାଳ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ସେହିପରି ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିପାଇଁ ଶୈବପୀଠ ଗୁଡିକ ସକାଳୁ ସକାଳୁ ଚଳଚଞ୍ଚଳ ହୋଇପଡିଛି । ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି । ଲୋକନାଥଙ୍କଠୁ ଲିଙ୍ଗରାଜ, ଧବଳେଶ୍ୱରଙ୍କଠୁ ପଞ୍ଚଲିଙ୍ଗେଶ୍ୱର ରାଜ୍ୟର ସମସ୍ତ ଶୈବପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଛି ।

ଅନ୍ୟପକ୍ଷେ, ବଢ଼ୁଥିବା କରୋନାକୁ ଦୃଷ୍ଟିରେ ରଖି କାଉଡ଼ିଆଙ୍କୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । କାଉଡିଆମାନେ ଶ୍ରାବଣ ମାସରେ ଜଳ ଲାଗି ଯାତ୍ରା କରନ୍ତୁ ହେଲେ ମାସ୍କ ପିନ୍ଧିବା ସହ କୋଭିଡ ନିୟମ ମଧ୍ୟ ପାଳନ କରନ୍ତୁ । ଏହାସହ ଦଳ ଦଳ ହୋଇ ନଚାଲି ଦୂରତା ରକ୍ଷା କରି ଚାଲନ୍ତୁ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।

ସେହିପରି ଧବଳେଶ୍ୱର ପୀଠକୁ କାଉଡ଼ିଆମାନେ ବାହୁଙ୍ଗି ନେଇ ଯାଇପାରିବେ ନାହିଁ । ଶ୍ରାବଣ ମାସରେ ଧବଳେଶ୍ୱର ପୀଠକୁ କାଉଡ଼ିଆମାନେ ବାହୁଙ୍ଗି ଆଣିବାକୁ ବାରଣ କରାଯାଇଛି । ଝୁଲାପୋଲ ପର୍ଯ୍ୟନ୍ତ କାଉଡ଼ିଆ ବାହୁଙ୍ଗି ନେଇପାରିବେ, ହେଲେ ଆଉ ଭିତରକୁ ନେଇପାରିବେନାହିଁ । ସେହିଠାରେ ହିଁ ବାହୁଙ୍ଗି ରଖିବେ । ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ ଯିବେ । ଏନେଇ ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।