• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗୋଟେ ପଟେ ସରକାର ବିକାଶର ଡିଣ୍ଡିମ ପିଟୁଛନ୍ତି, ହେଲେ ଅନ୍ୟପଟେ ଉପାନ୍ତରୁ ଉପକୂଳ ଅନେକ ଅଞ୍ଚଳରୁ ଦେଖିବାକୁ ମିଳୁଛି ଲୋକଙ୍କ ଦୁର୍ଦ୍ଧଶା ଓ ଦୂରାବସ୍ଥାର ନଗ୍ନ ଚିତ୍ର । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକର ଗ୍ରାମବାସୀଙ୍କ ପ୍ରଶାସନିକ ଅବହେଳାର ନଗ୍ନ ଚିତ୍ର । ଏଠାରେ ବର୍ଷ ବର୍ଷ ଧରି ନଦୀ ଉପରେ ସ୍ଥାୟୀ ପୋଲ ପାଇଁ ପ୍ରଶାସନକୁ ନେହୁରା ହୋଇ ମଧ୍ୟ ସମାଧାନ ହୋଇପାରିଲନି । ଶେଷରେ ନିଜେ ଚାନ୍ଦା ଆଦୟ କରି ଗ୍ରାମବାସୀ ନିର୍ମାଣ କଲେ ଅସ୍ଥାୟୀ ପୋଲ । ହେଲେ ଭରା ନଦୀ ଉପରେ କିଭଳି ବିପଦସଙ୍କୁଳ ଅବସ୍ଥାରେ ବିତୁଛି ଜୀବନ ।

ବିକାଶର ଗୋଲାପୀ ଚିତ୍ର ଦେଖିାଉଥିବା ସରକାରଙ୍କ ପ୍ରତି ଉପହାସଠାରୁ କିଛି କମ ନୁହେଁ ଅବ୍ୟବସ୍ଥା, ଅବହେଳା ଓ ଅଣଦେଖାରେ ଅତିଷ୍ଠ ହୋଇ ଶେଷରେ ନିଜ ଗାଁ ସମସ୍ୟାକୁ ନିଜେ ସୁଧାରିବାର ପ୍ରୟାସ । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଟପେରିକିଆ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଓ ଦୂରାବସ୍ଥାର ଚିତ୍ର ।

ଗାଁ ପାର ହୋଇ ଅନ୍ୟ ଗାଁକୁ ଯିବା ପାଇଁ ଏହି ଝୁଲା ପୋଲ ହିଁ ଏକମାତ୍ର ବିକଳ୍ପ । ହେଲେ ବିଡମ୍ବନାର କଥା ଯେ ଏହି ପୋଲ ପାଇଁ ବାରମ୍ବାର ଗୁହରି କରି ଶେଷରେ ନିଜସ୍ୱ ଉଦ୍ୟମ ଓ ଖର୍ଚ୍ଚରେ ଏହି ଝୁଲାପୋଲ ନିର୍ମାଣ କରିଛନ୍ତି । ଲୁହା ଛଡ, ତାର ଜାଲି, କାଠ ଆଦି ଆଣି ଏହି ଦେଶୀ ଯୁଗାଡ କରିଛନ୍ତି ଗ୍ରାମବାସୀ । ହେଲେ ଏଠି ଛୋଟ ଛୋଟ ସ୍କୁଲ ପିଲାଙ୍କଠୁ ଆରମ୍ଭ କରି ବଡ ଯାଏଁ ସଭିଏଁ ପାଦେ ପାଦେ ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରନ୍ତି ।

କଲିପେନୁ ନଦୀ ଉପରେ ନିର୍ମିତ ଏହି ଝୁଲାପୋଲ, ବର୍ଷା ଦିନ ଆସିଲେ ଟପେକିରିଆ,ପାତ୍ରସାହି, ପୁରୁଣା ସାହି ଓ ଡଗାକଲା ଆଦି ଗାଁର ଶହେରୁ ଅଧିକ ପରିବାର ଲୋକଙ୍କ ଲାଇଫ ଲାଇନ ପାଲଟିଥାଏ । ଆଉ ବାଜିରେ ଲାଗିଥାଏ ପ୍ରାୟ ୪ ଶହ ଲୋକଙ୍କ ଜୀବନ ।

ବର୍ଷା ଦିନ ଆସିଲେ ବର୍ଷ ବର୍ଷ ଧରି ବାହ୍ୟ ଜଗତରୁ ପ୍ରାୟତ ବିଛିନ୍ନ ରହୁଥିବା ଗ୍ରାମବାସୀ ୫ ବର୍ଷ ତଳେ ଏହି ପୋଲ ନିର୍ମାଣ କରିଥିଲେ । ନିଜେ ଗ୍ରାମବାସୀ ହିଁ ଅର୍ଥ ଓ ଶ୍ରମଦାନ କରି ଏହା ତିଆରି କରିଥିଲେ । ହେଲେ ଏହାର ରକ୍ଷଣାବେକ୍ଷଣ ପାଇଁ ବି ଏମାନଙ୍କୁ କମ କଷ୍ଟ କରିବାକୁ ପଡିନି । ଖରାପ ହୋଇଗଲେ ଲୋକେ ମରାମତି କରି ପୁଣି ପ୍ରସ୍ତୁତ କରିଥାନ୍ତି ।

ତେବେ ଗ୍ରାମବାସୀ ପୋଲ ପାଇଁ ବହୁ ବାର ପ୍ରଶାସନଠାରୁ ଆରମ୍ଭ କରି ଜନପ୍ରତିନିଧି ଯାଏଁ ସମସ୍ତଙ୍କୁ ନିବେଦନ କରିଥିଲେ । ହେଲେ ଏତେ ବର୍ଷରେ କେହି ବି ସେମାନଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରିନଥିବା କ୍ଷୋଭର ସହ ଗାଁ ଲୋକେ କହିଛନ୍ତି । ତେବେ ଜିଲ୍ଲାର ଶାସନ ଏନେଇ ଅବଗତ ଥିବା ଏବଂ ଶୀଘ୍ର ଏଦେିଗରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେ. ନୂଆଗାଁର ବିଡିଓ ଶରତ କୁମାର ପାତ୍ର ।