• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରକାରୀ ଖାତାରୁ ସରକାରୀ ଜମି ଗାଏବ୍ । ଲାଞ୍ଚ ନେଇ ଏକର ଏକର ସରକାରୀ ଜମିକୁ ଦଲାଲଙ୍କ ହାତକୁ ଟେକିଦେଇଛନ୍ତି ସରକାରୀ ବାବୁ । ଖୋଦ୍ ତହସିଲଦାର ଓ ତହସିଲ୍ ଅଫିସ୍ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ବଦଳିଯାଇଛି ଜମିର କିସମ, ଜମିର ମାଲିକାନା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ୍ ଅଞ୍ଚଳରେ ଏଭଳି ବଡ଼ଧରଣର ଜମି ଜାଲିଆତି ହୋଇଛି ।

୨୦୧୨ରୁ ସରକାରୀ ଜମିକୁ ବିକ୍ରି କରାଯାଇଛି । ଏଇ ୧୦ ବର୍ଷ ଭିତରେ ଅନେକ ତହସିଲଦାର, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳ ବଦଳିଛନ୍ତି । ଆଉ ତଦନ୍ତ ହେବାର ମଧ୍ୟ ୩ ବର୍ଷ ବିତିଗଲାଣି ହେଲେ କେବଳ କାଗଜ ପତ୍ରରେ ସୀମିତ ରହିଯାଇଛି ତଦନ୍ତ । ବୀରମହାରାଜପୁର ତହସିଲରେ ଜମି ମହାଘୋଟାଲା ।

ବୀରମହାରାଜପୁର ତହସିଲ୍ ସଂଗ୍ରାମପୁର ପଞ୍ଚାୟତର ତିଲେଇମାଲ ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲ ଏବଂ ପତରା ଜଙ୍ଗଲ ଗାଁରେ ଥିବା ୬୩ ଏକରରୁ ୩୦ ଏକରରୁ ଅଧିକ ଜମିକୁ ବିକ୍ରି କରିଦେଇଛନ୍ତି ତହସିଲ ଅଫିସର କର୍ମଚାରୀ । ଗ୍ରାମବାସୀ ଗ୍ରାମ୍ୟ ଜଙ୍ଗଲ ଫେରିପାଇବାକୁ ଅଭିଯୋଗ ପରେ ଅଭିଯୋଗ କରିଚାଲିଛନ୍ତି ସିନା କିନ୍ତୁ ଜମି ସରକାରୀ ଖାତାକୁ ଫେରିପାରୁନି ।

ଟଙ୍କାନେଇ ଧନୀ ଶ୍ରେଣୀର ଲୋକ ଓ ଜମି ମାଫିଆଙ୍କୁ ଶାଗ ମାଛ ଦରରେ ବିକି ଜଙ୍ଗଲ ଜମିର କିସମକୁ ବଦଳାଇ ଦେଇଛନ୍ତି ତହସିଲ କର୍ମଚାରୀ । ଜମିର ମାଲିକାନା ମଧ୍ୟ ରାତାରାତି ବଦଳି ଯାଇଛି । ଶସ୍ୟ ଶ୍ୟାମଳାରେ ଭରପୁର ଜମିରେ କେଉଁଠି କପା ଚାଷ ହୋଇଛି ତ କେଉଁ ଜମିରେ ଧାନ ଚାଷ ହେଲେ । ଏହା କୌଣସି ରୟତି ଜମି ନୁହେଁ ।

କେବଳ ତିଲେଇମାଲ ଗାଁ ନୁହେଁ ବୀରମହାରାଜପୁର ତହସିଲ ଅନ୍ତର୍ଗତ ଅମୂଲ୍ୟମଣି ରାଣୀପୁର ଗାଁର ୪୦ ଏକର ସଂରକ୍ଷିତ ଗ୍ରାମ୍ୟ ଜଂଗଲ ଏବଂ କୁଶାଦାଦର ଗାଁର ୭ ଏକର ସଂରକ୍ଷିତ ଗ୍ରାମ୍ୟ ଜଂଗଲକୁ ବି ଛାଡିନାହାନ୍ତି ତହସିଲ ଅଧିକାରୀ ।

ଆରଟିଆଇ ତଥ୍ୟରୁ ସରକାରୀ ଜମି ଚଞ୍ଚକତା କଥା ଧରାପଡିବା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ । ରାଜସ୍ୱ ବିଭାଗରୁ ମଧ୍ୟ ଜିଲ୍ଲାପାଳଙ୍କ ପାଖକୁ ଏକ ଚିଠି ଆସିଛି, ଯେଉଁଥିରେ ଦୋଷୀ ତହସିଲଦାର ଓ ତହସିଲ୍ କର୍ମଚାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଭାବେ ଡ୍ରାଫ୍ଟ ଚାର୍ଜ କରିବା ପାଇଁ ନିର୍ଦ୍ଦେଶ ରହିଛି । ଜିଲ୍ଲାପାଳଙ୍କ ପାଖକୁ ଏହି ଚିଠି ଆସିବାର ୪ ମାସ ବିତିଗଲାଣି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଜନସ୍ୱାର୍ଥ ମାମଲା ଦାୟର କରିବେ ବୋଲି କହିଛନ୍ତି ସାମାଜିକ କର୍ମୀ ।