• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୮ ଲକ୍ଷ ଟଙ୍କାର ପୋଖରୀ । ଏତେ ଟଙ୍କା ବ୍ୟୟରେ ପୋଖରୀ ହୋଇଛି ମାନେ, ପୂରା ଚକାଚକ୍ ହୋଇଥିବ । ଚାରିପଟେ ପାହାଚ ଥିବ, ଗାର୍ଡ ୱାଲ ଥିବ, ହୁଡ଼ାରେ ସୌନ୍ଦର୍ଯ୍ୟକରଣ ହୋଇଥିବ । ଏଭଳି ଅନେକ ଜିନିଷ ହୋଇଥିବ । କିନ୍ତୁ ଏମିତି କିଛି ହୋଇନି । ଯାଜପୁର ଧର୍ମଶାଳା ବ୍ଲକ ତରଞ୍ଜିଆ ପଞ୍ଚାୟତରେ ଏକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟରେ ହୋଇଛି । ଏଭଳି ବଡ଼ ଜାଲିଆତି ପୁଣି ଗୋଟିଏ ବର୍ଷରେ ୨ଥର ବିଲ୍ ହୋଇଛି । ଥରେ କ୍ଷୁଦ୍ର ଜଳସେଚନ ବିଭାଗ ଆଉ ଥରେ ଧର୍ମଶାଳା ବ୍ଲକ ପ୍ରଶାସନ ।

ପୋଖରୀ ପୁନରୁଦ୍ଧାର କାମରେ ଜାଲିଆତି । ଗୋଟିଏ ଆର୍ଥିକ ବର୍ଷରେ ଦୁଇଥର ବିଲ୍ ହୋଇଛି, ୨ଟି ବିଭାଗ କାମ କରିଛି । ଯାଜପୁର ଧର୍ମଶାଳା ବ୍ଳକ ତରଞ୍ଜିଆ ପଞ୍ଚାୟତର ଏକ ନୂଆ ପୋଖରୀ ପୁନରୁଦ୍ଧାର କାମରେ ହୋଇଛି ବ୍ୟାପକ ଗଫଲତି । ୨୦୧୯-୨୦ ଆର୍ଥିକ ବର୍ଷରେ ଯାଜପୁର କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୨୪ ଲକ୍ଷ ୯୯ ହଜାର ଟଙ୍କା ବ୍ୟୟ ଅଟକଳରେ ଏହାର ପୁନରୁଦ୍ଧାର ହୋଇଥିଲା । ସେହି ବର୍ଷ ପୁଣିଥରେ ଧର୍ମଶାଳା ବ୍ଲକ ପକ୍ଷରୁ ପୋଖରୀରେ ୩ ଲକ୍ଷ ୫୦ ହଜାର ଏଷ୍ଟିମେଟରୁ ୩ ଲକ୍ଷ ୪୬ ହଜାର ୫୦୦ ଟଙ୍କା ବ୍ୟୟ କରାଯାଇଛି । ସୂଚନା ଅଧିକାର ଆଇନ୍ ସହାୟତାରେ ସାମ୍ନାକୁ ଆସିଛି ଏହି ଚାଞ୍ଚଲ୍ୟକର ତଥ୍ୟ ।

ତରଞ୍ଜିଆର ଏହି ପୋଖରୀ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଓ ବ୍ଲକ ପକ୍ଷରୁ ୨୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଯାଇଥିବା ଦସ୍ତାବିଜ୍ ଦର୍ଶାଉଛି । ହେଲେ ପୋଖରୀର ଅବସ୍ଥା କହିଲେ ନସରେ । କିଛି ଖୋଳାଯାଇଛି ଏବଂ ହୁଡ଼ାରେ କିଛି ପଥର ଛପାଯାଇଛି । ଚାଷୀଙ୍କ ଜମିକୁ ପାଣି ମାଡ଼ିବ ବୋଲି ଯେଉଁ ଉଦ୍ଦେଶ୍ୟରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କାଗଜପତ୍ରରେ ଦେଖାଇଛି କ୍ଷୁଦ୍ର ଜଳସେଚନ ବିଭାଗ, ତାହା ବି ଚାଷୀଙ୍କ କାମରେ ଲାଗିବ ନାହିଁ ।

ଗୋଟିଏ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ୨ଟି ବିଭାଗ କିଭଳି କାମ କରି ଟଙ୍କା ଉଠାଇଲା ? ଏହା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଆସୁଥିବା ବେଳେ ବ୍ଲକ ପ୍ରଶାସନ କାହା ଅନୁମତିରେ କାମ କଲା ? ଏ ସମ୍ପର୍କରେ ଧର୍ମଶାଳା ବିଡିଓଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଛନ୍ତି ।

ତରଞ୍ଜିଆର ଏହି ନୂଆ ପୋଖରୀ କାମରେ ଜାଲିଆତି ଜଣାପଡିବା ପରେ ସୂଚନା ଅଧିକାର କର୍ମୀ ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ନିକଟରେ ଅପିଲ୍ କରିଥିଲେ । ଅଭିଯୋଗ ପରେ ଲୋକାୟୁକ୍ତଙ୍କ ପକ୍ଷରୁ ଏହି ମହାଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି ।

ତଦନ୍ତ ସରି ଲୋକାୟୁକ୍ତଙ୍କ ପାଖରେ ରିପୋର୍ଟ ହସ୍ତଗତ ହେବା ପରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଦୋଷୀ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି, ତା ଉପରେ ସମସ୍ତଙ୍କ ନଜର ।

ଯାଜପୁରରୁ ଗୁଲାମ୍ ଗସଙ୍କ ରିପୋର୍ଟ