• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୃକ୍ଷରୋପଣ ନାଁରେ ବଡ଼ ଘୋଟାଲା । ଗଛ ନଲଗାଇ ଟଙ୍କା ଚଳୁ । ସରକାରୀ ବାବୁଙ୍କ ପକେଟକୁ ଯାଇଛି ୮ ଲକ୍ଷ ଟଙ୍କା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା କୁନ୍ଦୁରୁଝୁଲି ଜଙ୍ଗଲରେ ଏଭଳି ଗଛ ଘୋଟାଲା ସାମ୍ନାକୁ ଆସିଛି । ୧୦ ହେର ଜମିରେ ଗଛ ଲାଗିବାର ଥିଲା ଗଛର ଚିହ୍ନ ବର୍ଣ୍ଣ ନାହିଁ, ହେଲେ ୮ ଲକ୍ଷ ଟଙ୍କା ହଡପ୍ ହୋଇଛି ।

୨୦୨୦-୨୧ରେ ୧୦ ହେକ୍ଟର ଜମିରେ ଗଛ ଲଗାଯାଇଛି ଏବଂ ଏ ବାବଦକୁ ୮ ଲକ୍ଷ ୩୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଫଳକ ସୂଚଉଛି । କିନ୍ତୁ ବାସ୍ତବ ଚିତ୍ର ପୂରା ଭିନ୍ନ । ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଗୋଟିଏ ବି ଗଛ ଲଗାଯାଇନି । ଜମି ଟାଙ୍ଗରା ପଡିଛି । କେବଳ କାଗଜ କଲମରେ ବୃକ୍ଷରୋପଣ କରି ବନ ବିଭାଗ ଅଧକାରୀ ଟଙ୍କା ଆତ୍ମସାତ୍ କରିଛନ୍ତି ।

୧୦ ହେକ୍ଟର ଜମିରେ ପ୍ରାୟ ୧୬ ହଜାର ଗଛ ଲାଗିବାର ଥିଲା ସ୍ଥାନୀୟ ଲୋକଙ୍କ ଆଶା ଥିଲା । ଏତେ ସଂଖ୍ୟକ ଗଛ ଲାଗିଥିଲେ ସବୁଜ ବନାନୀରେ ପରିଣତ ହୋଇଥାନ୍ତା କୁନ୍ଦୁରୁଝୁଲି ଜଙ୍ଗଲ । ହେଲେ ବାଡ଼ ଫସଲ ଖାଇବା ଭଳି ଖୋଦ୍ ବନ ବିଭାଗ ଅଧିକାରୀ କାଗଜ କଲମରେ ଗଛ ଲଗାଇ ଟଙ୍କା ଖାଇଦେଲେ ଲୋକଙ୍କ ଦାବି, ତଦନ୍ତ କରାଯାଉ ।

ଜଙ୍ଗଲରେ ବୃକ୍ଷରୋପଣ ପାଇଁ ବ୍ୟୟବରାଦ ହେଲେ ଏହି ଦାୟିତ୍ୱ ଫରେଷ୍ଟର ଓ ରେଞ୍ଜରଙ୍କର କିନ୍ତୁ ତତ୍କାଳୀନ ବିନିକା ଫରେଷ୍ଟର ଜଗବନ୍ଧୁ ବାରିକ ନିଜେ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ମଝିରେ ଫରେଷ୍ଟରଙ୍କ ଘରେ କୌଣସି ମାମଲାରେ ଭିଜିଲାନ୍ସ ଚଢାଉ ମଧ୍ୟ ହୋଇଥିଲା ଗଛ ନାଁରେ ଟଙ୍କା ଅନିୟମିତତା ସମ୍ପର୍କରେ ସୁବର୍ଣ୍ଣପୁର ଏସିଏଫଙ୍କୁ ପଚାରିବାରୁ ସେ ଗ୍ରାଉଣ୍ଡ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । ସେପଟେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ତଦନ୍ତ କଥା କହିଛନ୍ତି ।

ବିନିକା ଏନ୍ଏସି ଅଞ୍ଚଳରେ ଚାରା ରୋପଣ ନାଁରେ କିପରି ଲକ୍ଷାଧିକ ଟଙ୍କା ହଡପ୍ ହୋଇଥିଲା, ତାର ଖୁଲାସା କରିଥିଲା ଆରଟିଆଇ ତଥ୍ୟ । ଏବେ ପୁଣିଥରେ ବିନିକା ବନ ବିଭାଗ ଅନ୍ତର୍ଗତ କୁନ୍ଦୁରୁଝୁଲି ଜଙ୍ଗଲରେ କିପରି ବୃକ୍ଷରୋପଣ ନାଁରେ ଦୁର୍ନୀତି ହୋଇଛି, ତାହା ସାମ୍ନାକୁ ଆସିଛି । ଏଠି ପ୍ରଶ୍ନ ଉଠୁଛି, ବାରମ୍ବାର ବନ ବିଭାଗ ବିରୋଧରେ ଅଭିଯୋଗ ସତ୍ତ୍ୱେ କାହିଁକି ହେଉନି ତଦନ୍ତ ?