• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ସମନ୍ୱୟର ଅଭାବ ହେଉ କିମ୍ବା ଅନ୍ୟ କିଛି କାରଣ ପାଇଁ ଯୋଜନାର ସଫଳ ରୁପାୟନ ହୋଇପାରୁନି । ଯାହାଦ୍ୱାରା ପାଣିରେ ପଡୁଛି କୋଟି କୋଟି ଟଙ୍କା । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରେ । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା-ITDA ଦ୍ୱାରା ଘଟଗାଁ ବ୍ଲକରେ ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ୩ଟି ହଷ୍ଟେଲ କିନ୍ତୁ ସେଥିରୁ ୨ଟି ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନି ।

ଆଇଟିଡିଏ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ପାଣିରେ ପଡିଲା ୫ କୋଟି ଟଙ୍କା । ୨୦୧୪ ମସିହାରେ କେନ୍ଦୁଝର ଘଟଗାଁ ବ୍ଲକରେ ୩ଟି ଆଦିବାସୀ ହଷ୍ଟେଲ ନିର୍ମାଣ କରିଥିଲା ଆଇଟିଡିଏ । ଘଟଗାଁସ୍ଥିତ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ, ଢେଙ୍କିକୋଟ ସ୍ଥିତ ରିଜିଓନାଲ ଏସ୍.ଏନ୍. କଲେଜ ଓ ପିପିଲିଆସ୍ଥିତ ଲକ୍ଷ୍ମୀ ନାରାୟଣ କଲେଜରେ ୫ କୋଟି ବ୍ୟୟରେ ନିର୍ମାଣ ହୋଇଥିଲା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ । ସେତେବେଳେ ମନ୍ତ୍ରୀ ଥିବା ବଦ୍ରିନାରାୟଣ ପାତ୍ର ଏହାକୁ ଉଦଘାଟନ କରିଥିଲେ । ଉଦଘାଟନ ପରେ ଆଇଟିଡିଏ ଏହାକୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା । କିନ୍ତୁ ଉଦଘାଟନର ୮ ବର୍ଷ ପରେ ବି ୨ଟି ହଷ୍ଟେଲ କାର୍ଯ୍ୟକ୍ଷମ ହୋଇପାରିନି । କେବଳ ପିପିଲିଆସ୍ଥିତ ଲକ୍ଷ୍ମୀନାରାୟଣ କଲେଜ ହଷ୍ଟେଲଟି କାର୍ଯ୍ୟକ୍ଷମ ହୋଇଛି । ସେଠାରେ ଆଦିବାସୀ ଛାତ୍ରୀମାନେ ରହି ଉଚ୍ଚଶିକ୍ଷା ଲାଭ କରୁଛନ୍ତି ।

ଆଦିବାସୀ ଛାତ୍ରୀଙ୍କ ପାଇଁ ନିର୍ମିତ ଏହି ହଷ୍ଟେଲ କାର୍ଯ୍ୟକ୍ଷମ ହେଲେ ବିଭିନ୍ନ ସରକାରୀ ସୁବିଧା ପାଇପାରନ୍ତେ । ଆଦିବାସୀ ପିଲା ମାଗଣାରେ ରହିବା ଓ ସ୍ୱଳ୍ପ ମୂଲ୍ୟରେ ଖାଇବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ପାଇପାରନ୍ତେ । କିନ୍ତୁ କାର୍ଯ୍ୟକ୍ଷମ ହେଉନଥିବାରୁ ଗରିବ ଆଦିବାସୀ ଅଭିଭାବକ ବାଧ୍ୟ ହୋଇ ବାହାର ହଷ୍ଟେଲ ଓ ମେସରେ ପିଲାଙ୍କୁ ରଖି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ।

ଯଦି ପିପିଲିଆରେ ଥିବା ହଷ୍ଟେଲଟି କାର୍ଯ୍ୟକ୍ଷମ ହୋଇପାରିଲା, ତେବେ କାହିଁକି ହେବନି ଘଟଗାଁ ଓ ଢେଙ୍କିକୋଟ ହଷ୍ଟେଲ ? ଆଇଟଡିଏ ଜିଲ୍ଲା ମଙ୍ଗଳ ବିଭାଗକୁ ହସ୍ତାନ୍ତର କରିବା ସତ୍ତ୍ୱେ ମଙ୍ଗଳ ବିଭାଗ କାହିଁକି କାର୍ଯ୍ୟକ୍ଷମ କରୁନି ? ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପଚାରିବାରୁ ସେ କଲେଜ ପ୍ରିନ୍ସିପାଲଙ୍କୁ ଦୋଷ ଦେଇଛନ୍ତି । ସେପଟେ କଲେଜ ପ୍ରିନ୍ସିପାଲ କହିଛନ୍ତି, ମଙ୍ଗଳ ବିଭାଗ ସମ୍ପୂର୍ଣ୍ଣ ଭାବେ କଲେଜକୁ ହସ୍ତାନ୍ତର କରିନି ।

ଏଠି ପ୍ରଶ୍ନ, ଭୁଲ ରହିଛି କେଉଁଠି ? କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା ହଷ୍ଟେଲ, କିନ୍ତୁ କାହିଁକି କାର୍ଯ୍ୟକ୍ଷମ ହେଉନି ? ଯଦି ଆଦିବାସୀ ଛାତ୍ରୀ ନରହିବେ, ତେବେ କାହିଁକି ପାଣିରେ ପଡିଲା ସରକାରଙ୍କ ୫ କୋଟି ଟଙ୍କା ? ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେଲେ କେନ୍ଦୁଝର ଜିଲ୍ଲାର ଶହ ଶହ ଆଦିବାସୀ ଛାତ୍ରୀ ହଷ୍ଟେଲରେ ରହିବାର ସୁଯୋଗ ପାଆନ୍ତେ ।

(ରିପୋର୍ଟ- ପ୍ରଣୟ ପାଣି, କେନ୍ଦୁଝର)