• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ମିଶନ ଶକ୍ତି ବିଭାଗକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏଠି ବାଡ଼ ଫସଲ ଖାଇବା ଭଳି ଅବସ୍ଥା । କେନ୍ଦ୍ରାପଡ଼ା ଜିଲ୍ଲା ଘାଗରା ପଞ୍ଚାୟତରୁ ସେମିତି ଏକ ଅଭିଯୋଗ ଆସିଛି । ଘାଗରା ପଞ୍ଚାୟତର MBK, ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସଂପାଦିକାଙ୍କ ଜାଲ୍ ଦସ୍ତଖତ କରି ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ା ଘାଗରା ପଞ୍ଚାୟତ ଦାୟିତ୍ୱରେ ଥିବା ଏମବିକେ ଲୋପାମୁଦ୍ରା ବେହେରା ଭିନ୍ନ ଭିନ୍ନ ଚେକ୍ ବଳରେ ନିଜ ସଂପର୍କୀୟ ମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ଜଣେ ଅଟୋ ଚାଳକ ଓ ଜଣେ ଦୋକାନୀଙ୍କ ଆକାଉଣ୍ଟକୁ ବି ଟଙ୍କା ଟ୍ରାନ୍ସଫର ହୋଇଛି । ତାଙ୍କ ସାନ ଭଉଣୀ ସଂଘମିତ୍ରା ବେହେରାଙ୍କ ଆକାଉଣ୍ଟକୁ ୫ଟି ଫେଜରେ ୪ ଲକ୍ଷ ୪୨ ହଜାର ଟଙ୍କା ପଠାଯାଇଛି । ସଂପର୍କୀୟ ସାନ ଭାଉଜ, ବଡ଼ ଭାଉଜ ଓ ସାନ ଯାଆଙ୍କ ଆକାଉଣ୍ଟକୁ ବି ଟଙ୍କା ପଠାଯାଇଛି। ଏପରିକି ଡିସେମ୍ବର ୧୬ ତାରିଖରେ ନିଜ ଆକାଉଣ୍ଟକୁ ମଧ୍ୟ ଟଙ୍କା ନେଇଥିବା ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣାପଡିଛି।

ଗତ ୮ ମାସ ଧରି ବିଭିନ୍ନ କିସ୍ତିରେ ହଜାର ହଜାର ଟଙ୍କା ହଡପ୍ ହୋଇଛି । ସାଂଘାତିକ କଥା ହେଉଛି ଯେଉଁ ଦିନ ଏସବୁ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି, ସେହି ଦିନ ହିଁ ଉଠାଣ ହୋଇଛି । ଏନେଇ ଏମବିକେ ଲୋପାମୁଦ୍ରା ବେହେରାଙ୍କ ବିରୋଧରେ କେନ୍ଦ୍ରାପଡ଼ା ନିକିରାଇ ଥାନାରେ ଏତଲା ଦେଇଛନ୍ତି ଘାଗରା ମିଶନଶକ୍ତି ଫେଡେରେସନ୍ ସଭାନେତ୍ରୀ ଓ ସଂପାଦିକା । ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ବ୍ୟାଙ୍କ ଅଫ୍ ବରୋଦାରେ ଏସବୁ ଟଙ୍କା ଟ୍ରାନ୍ସଫର ଓ ଉଠାଣ ହୋଇଛି । ତେବେ ଜାଲ୍ ଦସ୍ତଖତ କରି ଏମବିକେ ଟଙ୍କା ଉଠାଇବା ଘଟଣା ନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିବାରୁ ସେ ଏକଥା ସ୍ୱୀକାର କରିଛନ୍ତି । ଏବେ ଆକାଉଣ୍ଟକୁ ସିଜ୍ କରାଯାଇଥିବା କହିଛନ୍ତି।

କେନ୍ଦ୍ରାପଡ଼ା ବିଡିଓଙ୍କୁ ପଚାରିବାରୁ ସେ ଅଭିଯୋଗ ହୋଇଛି କହି କଥା ସାରିଦେଇଛନ୍ତି । ଶେଷରେ ଆମେ ପହଞ୍ଚିଥିଲୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ପାଖରେ। ଖୁବ୍ ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

୮ ମାସ ଧରି କିସ୍ତି କିସ୍ତି ହୋଇ ଟଙ୍କା ହଡପ୍ ହୋଇଛି ଅଥଚ ବିଭାଗୀୟ ଅଧିକାରୀ ଜାଣିପାରିଲେନି କେମିତି ? କାହିଁକି ଚୁପ୍ ବସିଛନ୍ତି ଓଡ଼ିଶା ଜୀବିକା ମିସନର ବିଭାଗୀୟ ଅଧିକାରୀ ?

 

  • Reported by:
  • MANOJ SWAIN