• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ ଚାନ୍ଦବାଲି ଏନ୍ଏସିରେ ଆବାସ ଯୋଜନାରେ ବଡ଼ଧରଣର ଘୋଟାଲା । କେଉଁଠି ମଲା ଲୋକଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଘର, ଆଉ କେଉଁଠି ଜଣ ଜଣଙ୍କୁ ଦୁଇ ଦୁଇଟି ଘର ମିଳିଛି । ସ୍ୱାମୀଙ୍କୁ ଗୋଟିଏ ଆଉ ସ୍ତ୍ରୀଙ୍କୁ ଗୋଟିଏ । ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳରେ ଆବାସ ଯୋଜନାରେ ଏଭଳି ପ୍ରିୟାପ୍ରୀତି ହୋଇଛି । ଲାଞ୍ଚ ଦେଇଥିବା ଲୋକଙ୍କୁ ସରକାରୀ ଘର ମିଳିଥିବା ବେଳେ ଯେଉଁମାନେ ହାତଗୁଞ୍ଜା ଦେଇନାହାନ୍ତି, ସେମାନେ ଘର ପାଇବାରୁ ବଞ୍ଚିତ । ଏଭଳି ପାଖାପାଖି ୨୦୦ ଲୋକଙ୍କର ଘର ବାବଦକୁ ପ୍ରାୟ ୪ କୋଟି ଟଙ୍କା ଚଳୁ ହୋଇଛି । ସନ୍ଦେହ ଘେରକୁ ଆସିଛନ୍ତି ଚାନ୍ଦବାଲି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ।

ଚାନ୍ଦବାଲି ଏନ୍ଏସି ୮ ନମ୍ବର ୱାର୍ଡର ନାରାୟଣ ମିସ୍ତ୍ରୀଙ୍କ ନାଁରେ ଆବାସ ଘର ଆସିଥିଲା । ୨୦୨୦ ନଭେମ୍ବର ୧୪ ତାରିଖରୁ ମୃତ୍ୟୁ ହୋଇସାରିଛି । ଆଶ୍ଚର୍ଯ୍ୟର କଥା, ନାରାୟଣଙ୍କ ମୃତ୍ୟୁ ପରେ ୨୦୨୧ ଫେବୃଆରୀ ୨୫ରେ ତାଙ୍କ ଆକାଉଣ୍ଟକୁ ଲକ୍ଷେ ଟଙ୍କା ଏବଂ ପୁଣିଥରେ ୨୦୨୧ ଏପ୍ରିଲ ୩ ତାରିଖରେ ୫୦ ହଜାର ଟଙ୍କା ଆସିଛି । ସେହି ଟଙ୍କାକୁ ୱାର୍ଡର କୁଜି ନେତା ଉଠାଇ ନେଇ ୨ ମାସ ହେବ ଘର ଅଧାଅଧି କରି ଛାଡିଦେଇଛନ୍ତି । ମୃତ ନାରାୟଣଙ୍କ ସ୍ତ୍ରୀ ଦୁର୍ଗା ମିସ୍ତ୍ରୀ ପୂର୍ବରୁ ମଧ୍ୟ ୪୫ ହଜାର ଟଙ୍କାର ଏକ ଇନ୍ଦିରା ଆବାସ ଘର ପାଇଥିଲେ ।

ଚାନ୍ଦବାଲି ଏନ୍ଏସି ୧୩ ନମ୍ବର ୱାର୍ଡର ଆକବର ଖାନ୍ ୨୦୧୭-୧୮ରେ ୨ ଲକ୍ଷ ଟଙ୍କାର ପ୍ରଧାନମନ୍ତ୍ରୀ ଆବାସ ଘର ପାଇଛନ୍ତି । ୨୦୧୫-୧୬ରେ ମଧ୍ୟ ବିଜୁ ପକ୍କା ଘର ଯୋଜନାରେ ୭୦ ହଜାର ଟଙ୍କାର ଘର ପାଇଛନ୍ତି । ଗୋଟିଏ ଆଜବେଷ୍ଟସ୍‌ ଆଉ ଗୋଟିଏ ଛାତ ଘର ବି କରିଛନ୍ତି ଅର୍ଥାତ୍ ଆକବର ଖାନ୍ ଜଣେ ବ୍ୟକ୍ତି, ହେଲେ ପାଇଛନ୍ତି ଦୁଇଟି ଘର ।

ସେହିପରି ୪ ନମ୍ବର ୱାର୍ଡର ଉମାକାନ୍ତ ପଟ୍ଟନାୟକ । ୨୦୨୦-୨୧ରେ ପ୍ରଧାନମନ୍ତ୍ରୀ ଆବାସ ଓ ୨୦୦୫-୦୬ରେ ଇନ୍ଦିରା ଆବାସ ଘର ପାଇଛନ୍ତି । ଅନ୍ୟପଟେ ଗୋଟିଏ ପରିବାରର ସ୍ୱାମୀ ଓ ସ୍ତ୍ରୀଙ୍କୁ କିଭଳି ୨ଟି ଘର ମିଳିଛି । ଇନ୍ଦ୍ରମଣି ନାଥ ୨୦୧୭-୧୮ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ, ତାଙ୍କ ସ୍ତ୍ରୀ ଅନୀତା ନାଥ ମଧ୍ୟ ୨୦୧୫-୧୬ରେ ବିଜୁ ପକ୍କା ଘର ବାବଦକୁ ୭୦ ହଜାର ଟଙ୍କା ଉଠାଇଥିଲେ । ସେହିପରି ସସ୍ମିତା ବାରିକ ଓ ତାଙ୍କ ସ୍ୱାମୀ ମୁରଲୀଧର ବାରିକ ପ୍ରଧାନମନ୍ତ୍ରୀ ଆବାସ ଓ ଇନ୍ଦିରା ଆବାସ ଘର ବାବଦକୁ ଟଙ୍କା ପାଇଛନ୍ତି ।

କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ କାହାକୁ ୨ଟି ଘର, କାହାକୁ ଆଦୌ ନାହିଁ । ଆରଟିଆଇରୁ ଏହି ଘର ଘୋଟାଲା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଚାନ୍ଦବାଲି ଏନ୍ଏସିରେ ଆବାସ ଦୁର୍ନୀତି ଏତେ ବ୍ୟାପକ ଯେ, ସମସ୍ତଙ୍କ କଥା କହିବା ସମ୍ଭବ ନୁହେଁ । ଏଭଳି ୨୦୦ରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ବିନା କାଗଜପତ୍ର ଯାଞ୍ଚରେ ଆବାସ ଘର ମଞ୍ଜୁର ହୋଇଛି । ଯିଏ ୨୦ରୁ ୩୦ ହଜାର ଟଙ୍କା ଲାଞ୍ଚ ଦେଲା, ତାକୁ ଘର ମିଳିଲା । କିନ୍ତୁ ଯିଏ ଅସହାୟ, ହାତ ଗୁଞ୍ଜା ଦେଇପାରିଲାନି, ସେ ଘର ପାଇବାରୁ ବଞ୍ଚିତ ।