• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭେଣ୍ଡିଙ୍ଗ ଜୋନ୍ ନିର୍ମାଣରେ ଚଞ୍ଚକତା । ଷ୍ଟଲ ତିଆରି ନାଁରେ ବଡ଼ ଘୋଟାଲା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍ଏସିରେ ଉଠା ଦୋକାନୀଙ୍କ ପାଇଁ ହେଉଥିବା ଭେଣ୍ଡିଙ୍ଗ ଜୋନରେ ପ୍ରାୟ ୨୦ ଲକ୍ଷ ଟଙ୍କା କିକବ୍ୟାକ୍ ଅଭିଯୋଗ । କଣ୍ଟାବାଞ୍ଜି ମେଡିକାଲ କାନ୍ଥକୁ ଲାଗି ୧୦ଟି, ସାଇ ଟାୱାର ପଛ ପଟେ ୧୦ଟି ଓ ଏନ୍ଏସି ପାଖରେ ୬ଟି ଏମିତି ମୋଟ ୨୬ଟି ଷ୍ଟଲ ହେବାର ଥିଲା । ପ୍ରତି ଷ୍ଟଲ ପାଇଁ ୯୦ ହଜାର ଟଙ୍କା ବ୍ୟୟବରାଦ କରିଥିଲା ଏନ୍ଏସି । ହେଲେ ଏହି ଷ୍ଟଲ ଗୁଡିକୁ ପାଞ୍ଚ ଇଞ୍ଚିଆ କରାଯାଇ ଉପର ପଟକୁ ଟିଣ ଚଦର ଦିଆଯାଇଛି । ସୁରକ୍ଷା ପାଇଁ ମଧ୍ୟ କୌଣସି ସୁବିଧା କରାଯାଇନି । କାମ ହାତକୁ ନେଇଥିବା ଠିକାଦାର, ଏନ୍ଏସି ଅଧିକାରୀଙ୍କ ସହ ସଲାସୁତୁରା କରି ଏମିତି ନିମ୍ନମାନର କାମ କରୁଥିବା ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍ଏସିରେ ମାର୍କେଟ କଂପ୍ଲେକ୍ସ ନାଁରେ ବିରାଟ ଘୋଟାଲାର ଅଭିଯୋଗ ।

ଷ୍ଟଲ୍ ପିଛା ୯୦ ହଜାର ଟଙ୍କା ଅଟକଳ ହୋଇଛି । ହିସାବ କଲେ ମୋଟ ୨୬ଟି ଷ୍ଟଲ ପାଇଁ ୨୩ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟବରାଦ ହୋଇଛି । ହେଲେ କାମ ଏତେ ନିମ୍ନମାନର ଯେ, ଗୋଟିଏ ଗୋଟିଏ ଷ୍ଟଲରେ ସର୍ବାଧିକ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡୁଛି । ଏ ସମ୍ପର୍କରେ କଣ୍ଟାବାଞ୍ଜି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ନିୟମ ଅନୁସାରେ କାମ ଠିକ୍ଠାକ୍ କରାଯାଇଥିବା ସେ ସଫେଇ ଦେଇଛନ୍ତି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍ଏସି ପକ୍ଷରୁ ନିର୍ମାଣ ହୋଇଥିବା ମାର୍କେଟ କଂପ୍ଲେକ୍ସରେ ମଧ୍ୟ ସମାନ ଅବସ୍ଥା ବିନିକା । ବସଷ୍ଟାଣ୍ଡରୁ ଏନ୍ଏସି ପର୍ଯ୍ୟନ୍ତ ନିର୍ମାଣ ହୋ‌ଇଛି ଦୁଇ ଥାକିଆ ମାର୍କେଟ କଂପ୍ଲେକ୍ସ । ଗ୍ରାଉଣ୍ଡ ଫ୍ଲୋରରେ ୫୬ ଲକ୍ଷ ଟଙ୍କାରେ ୪୪ଟି ଦୋକାନ ଘର ନିର୍ମାଣ ସରି ଦୋକାନୀଙ୍କୁ ବଣ୍ଟନ ହୋଇଯାଇଛି । ନୂତନ ଭାବେ ୩୩ଟି ଦୋକାନ ଘର ୬୦ ଲକ୍ଷ ଟଙ୍କାରେ ତିଆରି ହୋଇଛି, ହେଲେ ବଣ୍ଟନ ହୋଇନି । ତେବେ ଦୋକାନୀଙ୍କ ଅଭିଯୋଗ, ଯେଉଁ ଘର ଗୁଡିକ ବଣ୍ଟନ ହୋଇଛି, ତା ଭିତରୁ ଅଧିକାଂଶ ଫାଟି ଆଁ କଲାଣି । ଛାତରୁ ସିମେଣ୍ଟ ଖସି ଲୁହାରଡ଼ ବାହାରି ଯାଇଛି ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ଅଭିଯୋଗ କରିଛନ୍ତି ଦୋକାନୀ ।

ବିନିକା ଏନ୍ଏସି ପକ୍ଷରୁ ହୋଇଥିବା ଏହି ମାର୍କେଟ କଂପ୍ଲେକ୍ସ ନିର୍ମାଣରେ ବ୍ୟାପକ ଅର୍ଥ ତୋଷାରପାତ ହୋଇଥିବା ଅଭିଯୋଗ ଆସିଛି । ଠିକାଦାର ଏବଂ ଏନ୍ଏସି ଅଧିକାରୀଙ୍କ ମିଲିଭଗତରେ ନିମ୍ନମାନର କାର୍ଯ୍ୟ କରାଯାଇ ଲକ୍ଷ ଲକ୍ଷ ଟଙ୍କା ପକେଟକୁ ଯାଇଛି । ତେବେ ଏନେଇ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ତାଙ୍କ ପାଖକୁ କୌଣସି ଦୋକାନୀଙ୍କ ଅଭିଯୋଗ ଆସିନଥିବା କହିଛନ୍ତି । ସେପଟେ ପିଡି ଡିଆରଡିଏ ସରଜମିନ୍ ତଦନ୍ତ କଥା କହିଛନ୍ତି ।