/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651385829.jpg)
Yojana Ra Na Hariloot
ମନରେଗା ଯୋଜନା ଅନ୍ତର୍ଗତ ରାସ୍ତା କାମରେ ଘୋଟାଲା । କେଉଁଠି ରାସ୍ତାର ଆବଶ୍ୟକତା ନଥାଇ ଟଙ୍କା ଆତ୍ମସାତ୍ ପାଇଁ ରାସ୍ତା କରାଯାଉଛି ଆଉ କେଉଁଠି ରାସ୍ତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଥିଲେ ବି କାଗଜ କଲମରେ କାମ ସାରି ସବୁ ଟଙ୍କା ପକେଟରେ ପୂରାଇ ଦେଉଛନ୍ତି ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ତେତେରକେଲା ପଞ୍ଚାୟତରେ ହୋଇଥିବା ରାସ୍ତା କାମରେ ଲକ୍ଷାଧିକ ଟଙ୍କା ବାଟମାରଣା ଅଭିଯୋଗ ହୋଇଛି । ସେପଟେ ଗଂଜାମ ସୋରଡ଼ା ବ୍ଲକରେ ମାଟି ଛିଞ୍ଚି ଲକ୍ଷ ଲକ୍ଷ ଟଙ୍କା ହଡପ୍ କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ତେତେରକେଲା ପଞ୍ଚାୟତ ରାସ୍ତା, ଯେଉଁଥିରେ ଆତ୍ମସାତ୍ ହୋଇଛି ଲକ୍ଷାଧିକ ଟଙ୍କା । ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋରମ କାମ ହୋଇଥିବା ଫଳକ ମାରିଛି ସୁନ୍ଦରଗଡ଼ ଡିଆରଡିଏ । ଫୁଲଝର ରେଳ ଫାଟକଠାରୁ ଜଙ୍ଗଲକୁ ରାସ୍ତା କଥା ବୋର୍ଡରେ ଲେଖାଅଛି । ୨୦୧୯ରୁ କାମ ଆରମ୍ଭ ହୋଇ ୨୦୨୧ରେ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି । ତେବେ ରାସ୍ତା ଆଡେ ଟିକେ ନଜର ପକାଇଲେ ସବୁ ଜଣାପଡ଼ିଯିବ, ବାବୁ ମାନେ ଫଲ୍ସ ବିଲ୍ କରିବାରେ କେତେ ମାହିର ।
ଫଳକରେ ଲେଖାଅଛି ମୋରମ୍ ରାସ୍ତା, କିନ୍ତୁ ବାସ୍ତବରେ ମାଟି ରାସ୍ତା କରାଯାଇଛି । ପୁଣି ଅଧପନ୍ତରିଆ କାମ କରି ଛାଡି ଦିଆଯାଇଛି । ରାସ୍ତା ମଝିରେ ଏକ କଲଭର୍ଟର ଆବଶ୍ୟକତା ଥିବା ବେଳେ ତାହା ମଧ୍ୟ ହୋଇନି । ତେଣୁ ଏହି ରାସ୍ତା କାମରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ଫୁଲଝର ବାସିନ୍ଦା ।
ତେତେରକେଲା ପଞ୍ଚାୟତ ଅଧୀନ ଗାଁ ଗୁଡିକର ଲୋକେ ଏହି ରାସ୍ତା ଦେଇ ଜଙ୍ଗଲକୁ ଯାଇଥାନ୍ତି । କିନ୍ତୁ କାମ ସମ୍ପୂର୍ଣ୍ଣ ନହୋଇ ଟଙ୍କା ହଡପ କରାଯାଇଥିବାରୁ ଲୋକେ ହଇରାଣ ହେଉଛନ୍ତି । ଏ ସମ୍ପର୍କରେ ନବନିର୍ବାଚିତ ଜିଲ୍ଲା ପରିଷଦଙ୍କୁ ପଚାରିବାରୁ ସେ କାମରେ ଦୁର୍ନୀତିର ବାସ୍ନା ବାରିଛନ୍ତି । ନବନିର୍ବାଚିତ ସରପଞ୍ଚ ମଧ୍ୟ ଫାଇଲ୍ ଦେଖିବେ ବୋଲି କହିଛନ୍ତି ।
ଫୁଲଝର ରେଳ ଫାଟକଠାରୁ ଜଙ୍ଗଲକୁ ଯିବା ପାଇଁ ରାସ୍ତାର କଣ ଆବଶ୍ୟକତା ରହିଛି ? ଏ ସମ୍ପର୍କରେ କାମ ହାତକୁ ନେଇଥିବା ସୁନ୍ଦରଗଡ଼ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପାଖରେ ମଧ୍ୟ ଉତ୍ତର ନାହିଁ, ତଥାପି ଭୁଲ୍ ଭଟକା ହୋଇଥିଲେ ଆକ୍ସନ୍ ନିଆଯିବ ବୋଲି କହିଛନ୍ତି ।
ପବନ ତିୱାରୀ,ସୁନ୍ଦରଗଡ଼
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)