• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରତି ଘରେ ପାଇଖାନା ପାଇଁ କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଭାରତ ଯୋଜନା । ପାଇଖାନା ପିଛା ହିତାଧିକାରୀଙ୍କୁ ମିଳିଥାଏ ୧୨ ହଜାର ଟଙ୍କା ସହାୟତା ରାଶି । କିନ୍ତୁ ସାରା ଓଡ଼ିଶାରେ ସ୍ୱଚ୍ଛ ଭାରତ ଯୋଜନାରେ ରହୁନି ସ୍ୱଚ୍ଛତା । କେଉଁଠି ହିତାଧିକାରୀ ପାଇଖାନା କରି ଟଙ୍କା ପାଉନାହାନ୍ତି ଆଉ କେଉଁଠି ତାଲିକାରେ ନାଁ ଥାଇ ବି ଗାଏବ୍ ହୋଇଯାଉଛି ଟଙ୍କା । କଟକ ଜିଲ୍ଲା ସାଲେପୁର ବ୍ଲକ ରଟିଲୋ ପଞ୍ଚାୟତରେ ଏଭଳି ହେଉଥିବା ଖବର ଆସିଛି ।

ସାଲେପୁର ବ୍ଲକ ରଟିଲୋ ଗାଁର ସଞ୍ଜୁଲତା ସାହୁ ୨୦୧୮ ମସିହା ଏପ୍ରିଲରେ ପାଇଥିଲେ ୱର୍କ ଅର୍ଡର । ଏହାପରେ ଧାର ଉଧାର କରି ତିଆରି କଲେ ପାଇଖାନା । ତାଲିକାରେ ମଧ୍ୟ ତାଙ୍କର ନାଁ ଅଛି, ହେଲେ ଆଜି ଯାଏଁ ଏ ବାବଦ ୧୨ ହଜାର ଟଙ୍କା ପାଇନାହାନ୍ତି ସଞ୍ଜୁଲତା । ସମାନ ଦୁଃଖ ପ୍ରଭାତ ସେଠୀଙ୍କର । ଧାର ଉଧାର କରି ପାଇଖାନା କରିବାର ୪ ବର୍ଷ ବିତିଲାଣି । ସ୍ୱଚ୍ଛ ଭାରତ ମିଶନ୍ ତାଲିକାରେ ନାଁ ଅଛି, ହେଲେ ଆଜିଯାଏଁ ଟଙ୍କା ପାଇନାହାନ୍ତି, ତାଙ୍କ ଟଙ୍କା ଅନ୍ୟ କେହି ନେଇଯାଇଥିବା ଅଭିଯୋଗ ହୋଇଛି ।

ରଟିଲୋ ପଞ୍ଚାୟତ ରଟିଲୋ ଗାଁର ବଳରାମ ବେହେରା । ବଳରାମ ପାଇଖାନା ତିଆରି କରି ପୂରା ୧୨ ହଜାର ଟଙ୍କା ପାଇଛନ୍ତି । ହେଲେ ସେହି ସମାନ ତାଲିକାରେ ଥିବା ଆଉ ଜଣେ ହିତାଧିକାରୀ ଲକ୍ଷ୍ମୀଧର ସେଠୀ ଏଥିରୁ ବଞ୍ଚିତ । ଲକ୍ଷ୍ମୀଧରଙ୍କର ଆଦୌ ପାଇଖାନା ନାହିଁ, ତେଣୁ ସେ ବାହାରକୁ ମଳତ୍ୟାଗ ପାଇଁ ଯାଉଥିବା କହିଛନ୍ତି । ଲକ୍ଷ୍ମୀଧରଙ୍କର ସ୍ୱଚ୍ଛ ଭାରତ ମିଶନ୍ ବାବଦ ୧୨ ହଜାର ଟଙ୍କା ପଞ୍ଚାୟତ କିମ୍ବା ବ୍ଲକର କେହି କର୍ମଚାରୀ ହଡପ୍ କରିଥିବା ସନ୍ଦେହ କରାଯାଉଛି ।

ରଟିଲୋ ପଞ୍ଚାୟତରେ ପାଇଖାନା ନିର୍ମାଣରେ ଚଞ୍ଚକତା ନେଇ ହେମନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ବଳରେ ତଥ୍ୟ ମାଗିଥିଲେ । ସେହି ତଥ୍ୟରୁ ବ୍ୟାପକ ଅର୍ଥ ତୋଷାରପାତ ହୋଇଥିବା ଜଣାପଡିଛି, ଯାହାର ତାଲିକାରେ ନାଁ ଅଛି ତାର ପାଇଖାନା ନାହିଁ । ଆଉ ଯିଏ ପାଇଖାନା କରିସାରିଛି, ତାକୁ ଟଙ୍କା ମିଳୁନି ଏଭଳି ଅନେକ ତଥ୍ୟ ସାମ୍ନାକୁ ଆସିଛି ।

ସ୍ୱଚ୍ଛ ଭାରତ ଯୋଜନାର ନିୟମ ଅନୁସାରେ, ହିତାଧିକାରୀଙ୍କୁ ପ୍ରଥମେ କାର୍ଯ୍ୟାଦେଶ ମିଳିବ, ତାପରେ ପାଇଖାନା ତିଆରି କରିବେ । ତିଆରି ସରିବା ପରେ ଫଟୋ ଉଠାଇ ଦେଲେ ଆକାଉଣ୍ଟକୁ ୧୨ ହଜାର ଟଙ୍କା ଆସିବ । କିନ୍ତୁ ଏଠି ବହୁ ହିତାଧିକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ସରକାରୀ ବାବୁ ମାନେ ମିଳିମିଶି ଖାଇଦେଇଥିବା ଜଣାପଡୁଛି । ତେବେ ଏନେଇ ସାଲେପୁରର ଅତିରିକ୍ତ ବିଡିଓଙ୍କୁ ପଚାରିଥିଲୁ ସେ କୌଣସି ଦୁର୍ନୀତି ହୋଇନଥିବା ଉଦ୍ଭଟ ଯୁକ୍ତି ବାଢିଛନ୍ତି ।

ରଟିଲୋ ଏକ ବାହ୍ୟମଳମୁକ୍ତ ଗାଁ ବୋଲି ବୋର୍ଡରେ ଲେଖା ଅଛି, କିନ୍ତୁ ଲେଖା ଲେଖା ବାଟରେ ଆଉ ଯୋଜନା ତା ବାଟରେ । ତେବେ କିଏ ହଡପ୍ କରୁଛି ହିତାଧିକାରୀଙ୍କ ପାଇଖାନା ଟଙ୍କା, ତାର ତୂରନ୍ତ ତଦନ୍ତ ହେବା ଦରକାର ।