• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଟବଣା ସ୍ୱଚ୍ଛ ଭାରତ ମିଶନ୍ । ପାଇଖାନା ନିର୍ମାଣରେ ଘୋଟାଲା । ରାଜନଗର ବ୍ଲକ କେରୁଆପାଳ ପଞ୍ଚାୟତରେ ଘରେ ଘରେ ପାଇଖାନା ଦୁର୍ନୀତି । କେରୁଆପାଳ ପଞ୍ଚାୟତର ବନିପାଳ ଓ ସରେନ୍ଦ୍ରପୁର ଗାଁରେ ଗ୍ରାଉଣ୍ଡ ଜିରୋକୁ ଯାଇ ପାଇଖାନା ଯାଞ୍ଚ କରିବା ବେଳେ ଦେଖିବାକୁ ମିଳିଥିଲା ଅଜବ ଦୃଶ୍ୟ । କେଉଁ ପାଇଖାନାର କବାଟ ନାହିଁ ତ ଆଉ କେଉଁଠି ପ୍ୟାନ୍ କି ଟାଙ୍କି ବସିନି କାନ୍ଥ ଫାଟି ଆଁ କରିଛି । ବ୍ୟବହାର ଯୋଗ୍ୟ ନଥିବାରୁ ଲୋକେ ଘଷି, ଜାଳେଣି କାଠ ଇତ୍ୟାଦି ରଖୁଛନ୍ତି ମଳତ୍ୟାଗ ପାଇଁ ବାହାରକୁ ଯାଉଛନ୍ତି ।

ଏଭଳି ନିମ୍ନମାନର ପାଇଖାନା ପାଇଁ ଗ୍ରାମବାସୀ ମୋଟିଭେଟର ଚନ୍ଦନ ସିଂକୁ ଦାୟୀ କରିଛନ୍ତି । ମୋଟିଭେଟରକୁ ଏନେଇ ଜଣାଇଲେ ସେ କିଛି ଶୁଣୁନଥିବା କହିଛନ୍ତି ହିତାଧିକାରୀ । କିନ୍ତୁ ପାଇଖାନା କାନ୍ଥରେ ହିତାଧିକାରୀଙ୍କ ନାଁ ଲେଖି ଫଟୋ ଉଠାଇ ଟଙ୍କା ଉଠାଯାଇଛି । କେରୁଆପାଳ ପଞ୍ଚାୟତରେ ଏଭଳି ୧୦୦ରୁ ଅଧିକ ଲୋକ ଠକାମିର ଶିକାର ହୋଇଛନ୍ତି ।

ବନିପାଳ ଗାଁର ମନୋରଞ୍ଜନ ସେଠୀ ସେ ୨୦୧୭ ମସିହାରେ କାର୍ଯ୍ୟାଦେଶ ପାଇଥିଲେ କାମ ମଧ୍ୟ ଠିକ୍ ସମୟରେ କରିଥିଲେ । କିନ୍ତୁ ପାଇଖାନା ବାବଦ ୧୨ ହଜାର ଟଙ୍କା ଏପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟକୁ ଆସିନାହିଁ ସମାନ ଅବସ୍ଥା ପରିବାଳାଙ୍କର ସେ ମଧ୍ୟ ୨୦୧୭ରୁ ୱାର୍କ ଅର୍ଡର ପାଇବା ମାତ୍ରେ ଲାଟ୍ରିନ୍ ତିଆରି କରିଛନ୍ତି । ହେଲେ ୫ ବର୍ଷ ହେଲାଣି RWSS ଅଫିସ୍ ଦୌଡ଼ି ନୟାନ୍ତ ହେଲେଣି ସିନା, ପଇସା ଆସୁନି ।

କେରୁଆପାଳ ପଞ୍ଚାୟତରେ ହୋଇଥିବା ପାଇଖାନା ଦୁର୍ନୀତିରେ କାମ ହାତକୁ ନେଇଥିବା ଲୋକ, ଜେଇ ଏବଂ ମୋଟିଭେଟରର ସିଧାସଳଖ ହାତ ରହିଛି । ତତ୍କାଳୀନ ଜେଇ ଅସିତ୍ ନନ୍ଦନ ସୁନ୍ଦରାୟଙ୍କୁ ପଚାରିବାରୁ ସେ ବର୍ତ୍ତମାନର ସମିତିସଭ୍ୟ ମଧୁସୂଦନ ପ୍ରଧାନଙ୍କ ଆକାଉଣ୍ଟକୁ ୬୦ ହିତାଧିକାରୀଙ୍କ ଟଙ୍କା ପଠାଇଥିବା କହିଛନ୍ତି । ଏହାକୁ ସମିତି ସଭ୍ୟ ସ୍ୱୀକାର ମଧ୍ୟ କରିଛନ୍ତି ।

ସ୍ୱଚ୍ଛ ଭାରତ ମିଶନରେ RWSS ଅଫିସରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସେ । କିନ୍ତୁ ଏଠି ତତ୍କାଳୀନ ଜେଇ, ସମିତି ସଭ୍ୟ ଓ ମୋଟିଭେଟର ମିଳିମିଶି ପାଇଖାନା ଟଙ୍କା ହଡପ୍ କରିଛନ୍ତି । ବଳି ପଡିଛନ୍ତି ଗରିବ ଜନସାଧାରଣ । ଏ ସମ୍ପର୍କରେ RWSS ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ତଦନ୍ତ କରାଯିବା କଥା କହିଛନ୍ତି । କେବଳ କେରୁଆପାଳ ପଞ୍ଚାୟତରେ ନୁହେଁ ପୂରା ରାଜନଗର ବ୍ଲକରେ ଏଭଳି ହଜାର ହଜାର ଲୋକେ ପାଇଖାନା ଠକାମିର ଯେ ଶିକାର ହୋଇଥିବେ, ଏଥିରୁ ସ୍ପଷ୍ଟ ।