• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୟୂରଭଂଜ ଜିଲ୍ଲା ଉଦଳା ଉଦ୍ୟାନ ବିଭାଗ ବିରୋଧରେ ଟଙ୍କା ଆତ୍ମସାତ୍ ଅଭିଯୋଗ । ଉଦଳା ବହୁବନ୍ଧ ପଞ୍ଚାୟତ ନବରା ଗାଁରେ କାଜୁ ଚାଷ ପାଇଁ ମନରେଗା ଯୋଜନାରେ ବ୍ୟୟ ଅଟକଳ ହୋଇଥିଲା ୨ ଲକ୍ଷ ୬୩ ହଜାର ଟଙ୍କା । ନବରା ଗାଁର ବଂଶୀଧର ପାତ୍ରଙ୍କ ବାଡିରେ ୩୦୦ କାଜୁ ଗଛ ଲଗାଇବାକୁ ଟଙ୍କା ମଞ୍ଜୁର ହୋଇଥିଲା, ଗଛ ବି ଲାଗିଥିଲା । ତଦାରଖ ପାଇଁ ବଂଶୀଧର ପାତ୍ରଙ୍କ ସମେତ ଗାଁର କେତେ ଜଣଙ୍କୁ ଦାୟିତ୍ୱ ଦେଇଥିଲା ବନ ବିଭାଗ । ଏବେ ଗୋଟିଏ ବି ଗଛ ଦେଖିବା ମିଳୁନାହିଁ । ଯୁଆଡେ ଚାହିଁଲେ ଥୁଣ୍ଟା ପଡିଆ । ଯେଉଁ ବଗିଚାରେ କାଜୁ ଚାଷ ପାଇଁ ୨ ଲକ୍ଷ ୬୩ ହଜାର ବ୍ୟୟ ଅଟକଳ ହୋଇଥିଲା, ଏବେ ତାହା ଖେଳପଡିଆ ପାଲଟିଛି । ପିଲାମାନେ ସେଠାରେ କ୍ରିକେଟ୍ ଖେଳୁଛନ୍ତି ।

କେତେ ଗଛ ଲାଗିଥିଲା ତାହା ତ କାହାକୁ ଜଣାନାହିଁ । ତେବେ ଯେଉଁମାନଙ୍କୁ ଗଛ ଦେଖାରଖା ପାଇଁ ଦାୟିତ୍ୱ ଦିଆଯାଇଥିଲା, ସେମାନେ ଉଦ୍ୟାନ ବିଭାଗ ପକ୍ଷରୁ ଟଙ୍କାଟିଏ ପାଇନାହାନ୍ତି । କିନ୍ତୁ ମନଇଚ୍ଛା ଶ୍ରମିକ ମାନଙ୍କ ନାଁ ମଷ୍ଟର ରୋଲରେ ଏଣ୍ଟ୍ରି କରି ବିଲ୍ କରାଯାଇଛି । ଆଶ୍ଚର୍ଯ୍ୟର କଥା, ଯେଉଁ ମାନେ ଦିନେ ବି କାମ କରିନାହାନ୍ତି, ସେମାନଙ୍କ ନାଁ ବି ମଷ୍ଟର ରୋଲରେ ରହିଛି । ଯେମିତି ନବରା ଗାଁର ସୁରେନ୍ଦ୍ର ନାୟକ ତାଙ୍କର ବୟସ ୬୫ରୁ ଅଧିକ, ସେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ଦିନେ କାମ କରିନାହାନ୍ତି, କିନ୍ତୁ ତାଙ୍କ ନାଁ କେମିତି ମଷ୍ଟର ରୋଲରେ ରହିଲା, କିଏ ଚଢାଇଲା, ତାର ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

୨ ଲକ୍ଷ ୬୩ ହଜାର ଟଙ୍କାରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେ ୩୫ ହଜାର ୮୫୦ ଟଙ୍କା ବିଲ୍ ହୋଇସାରିଥିବା ମନରେଗା ୱେବସାଇଟ୍ କହୁଛି । ଫଳକ ମାରିଦେଇ କାଜୁ ଗଛ ନାଁରେ କିଭଳି ଟଙ୍କା ଖାଇଗଲେ ? ପ୍ରକୃତରେ ଗଛ ଲାଗିଥିଲା ନା ନାହିଁ ? ଯଦି ଲାଗିଥିଲା, କାହିଁକି ରକ୍ଷଣାବେକ୍ଷଣ କଲାନି ଉଦ୍ୟାନ ବିଭାଗ ? ଏତେ ଶୀଘ୍ର କଣ ସବୁ ଗଛ ଗାଏବ୍ ହୋଇଗଲା ?

କାଜୁ ଗଛ କେଳେଙ୍କାରୀ ପଛର ସତ କଣ ? କେବଳ ମନରେଗା ଯୋଜନାର ଟଙ୍କା ବାଟମାରଣା କରିବା ନା ଆଉ କିଛି ? ଉଦଳା ଉଦ୍ୟାନ ବିଭାଗର ଏହି ଘୋଟାଲା ସମ୍ପର୍କରେ ସହକାରୀ ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ କେବଳ ତଦନ୍ତ କରାଯିବ ବୋଲି କହିଛନ୍ତି ।

ଉଦ୍ୟାନ ବିଭାଗର ଯୋଜନା, ହେଲେ କେମିତି ଜାଣିପାରିଲେନି ସହକାରୀ ନିର୍ଦ୍ଦେଶକ ସେ ଏ ବିଷୟରେ ଜାଣିନଥିବା କହିଛନ୍ତି ଉଦ୍ୟାନ ବିଭାଗ ନିର୍ଦ୍ଦେଶକଙ୍କ ଅଗୋଚରରେ ଲକ୍ଷାଧିକ ଟଙ୍କା ବିଲ୍ ହେବା କେମିତି ସମ୍ଭବ ?