• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଚ୍ଚୋଟ ମଣିଷକୁ ସଚ୍ଚୋଟତା ପାଇଁ ଦଣ୍ଡ ? ଟେଣ୍ଡର ଫିକ୍ସିଂ ନକରିବାରୁ ବଦଳି । ଯାଜପୁରରୁ ସିଧା କଳାହାଣ୍ଡିକୁ ଟ୍ରାନ୍ସପର । ଏଭଳି କିଛି ଅଭିଯୋଗ ଆସିଛି ଯାଜପୁରରୁ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିରଞ୍ଜି ନାରାୟଣ ବାରିକଙ୍କୁ କଳାହାଣ୍ଡିକୁ ବଦଳି କରାଯାଇଛି । ଏକ ଠିକା ସଂସ୍ଥାର ଟେଣ୍ଡରକୁ ଖାରଜ କରିବା ପରେ ଏପରି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହୋଇଥିବା ସେ କହିଛନ୍ତି ।

ମେଡିକାଲର ସଫେଇ ପାଇଁ ଏକ ଠିକା ସଂସ୍ଥା ଟେଣ୍ଡର ଫାଇଲ୍ କରିଥିଲା । ଟେଣ୍ଡର ଟଙ୍କା ୨୦ ଲକ୍ଷ ଥିଲା ଯାହା ଅନ୍ୟ ଜିଲ୍ଲା ଅପେକ୍ଷା ବହୁତ ଅଧିକ ଦର୍ଶାଇ ସିଡିଏମ୍ଓ ଏହାକୁ ଖାରଜ କରିଥିଲେ । ହେଲେ ରାଜନୈତିକ ଚାପ ପକାଇ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ବଦଳି କରିଥିବା ସେ ଅଭିଯୋଗ କରିଛନ୍ତି । କାରଣ KBK ଜିଲ୍ଲାରେ ସେ ପୂର୍ବରୁ ୧୦ ବର୍ଷ କାର୍ଯ୍ୟ କରିଛନ୍ତି । ନିର୍ଦ୍ଦେଶକ ଭାବେ ପଦୋନ୍ନତି ହେବା ବଦଳରେ ତାଙ୍କୁ ରାତିଅଧିଆ କଳାହାଣ୍ଡି ଯିବାକୁ ନିର୍ଦ୍ଦେଶ ହୋଇଛି ।

ହେଲେ ସରକାରୀ ଭାବେ ତାଙ୍କ ନିକଟକୁ ବଦଳି ପାଇଁ କୌଣସି ଚିଠି କରା ଯାଇନି । କେବଳ ହ୍ୱାଟସଆପ୍‌ରେ ଏକ ନୋଟିସ୍ ପଠାଯାଇଛି। ଦୁର୍ନୀତିକୁ ପ୍ରଶୟ ନଦେବାରୁ ତାଙ୍କ ସହ ଏଭଳି ଘଟଣା ଘଟିଛି, ଯାହା ଅନ୍ୟାୟ ବୋଲି ସେ କହିଛନ୍ତି ।

କିନ୍ତୁ ସେ ମାନସିକ ଚାପରେ ଥିବାରୁ ଛୁଟି ଆବେଦନ କରିଛନ୍ତି । ତେଣୁ ଇଚ୍ଛାକୃତ ଭାବେ ଅବସର ନେବେ ବୋଲି ସେ ମନସ୍ଥ କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିପାରିନି ।

(ରିପୋର୍ଟ- ସଞ୍ଜିବ ନାୟକ, ଯାଜପୁର)