/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647157907.jpg)
Sambit Patra
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବର୍ବରତାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ତୀବ୍ର ସମାଲୋଚନା । ପ୍ରଶାନ୍ତ ଜଗଦ୍ଦବେଙ୍କୁ ଦଳରୁ ବହିଷ୍କାର କରିବ ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ଦାବି କରିଛନ୍ତି । ବିଧାୟକ ମଦ ପିଇ ଗାଡ଼ି ଚଳାଇବା ସହ ବିଜେପି କର୍ମୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଖାଲି ଏତିକି ନୁହେଁ ବିଧାୟକଙ୍କ ଦବଙ୍ଗଗିରି ବାରମ୍ବାର ସାମନାକୁ ଆସୁଥିଲେ ହେଁ ବିଜେଡି ତାଙ୍କୁ କାହିଁକି ବହିଷ୍କାର କରିନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଗତକାଲି ଶାସକ ଦଳର ମୁଖପାତ୍ର କହିଥିଲେ ପ୍ରଶାନ୍ତଙ୍କୁ ନିଲମ୍ବନ କରାଯାଇଛି । ହେଲେ ବାସ୍ତବରେ ତାହା ହୋଇଥିବା ଭଳି ଲାଗୁନଥିଲା । ନିଲମ୍ବନ ସତ୍ତ୍ୱେ ପ୍ରଶାନ୍ତ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ବୋଲି ସମ୍ବିତ ଅଭିଯୋଗ କରିଛନ୍ତି । ପୂର୍ବରୁ ବୌଦ୍ଧରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ଚିଲିକାରେ ଦଳିତ ଯୁବକଙ୍କୁ ମାଡ଼ ମାରିଥିଲେ ଓ ଜଣେ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏହାପରେ ବି ଦଳରୁ ବହିଷ୍କାର ନ କରି ତାଙ୍କୁ ବିଜେଡି ପ୍ରଶ୍ରୟ ଦେଉଥିଲା ।
ପଶ୍ଚିମବଙ୍ଗରେ ଯେମିତି ବିଜେପି କର୍ମୀମାନଙ୍କୁ ମାରିଦେବକୁ ଉଦ୍ୟମ ହେଉଛି ଏଠି ଓଡ଼ିଶାରେ ବି ସେଇଭଳି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରାଯାଉଛି । ଚିଲିକା ବାଣପୁରରେ ବିଜେପି ଜିତୁଥିବା ଜାଣି ବିଧାୟକ ଫ୍ରଷ୍ଟେସନରେ ନିର୍ବାଚନକୁ ବନ୍ଦ କରିବାକୁ ଚାହୁଁଥିଲେ । ଆଉ ସବୁ କରିବା ପାଇଁ ବିଜେଡି ତାଙ୍କୁ ଉତ୍ସାହିତ କରିବା ପରି ଲାଗୁଛି । ଏହା ପୂର୍ବରୁ ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମ୍ବିତ କହିଥିଲେ ଜଗଦ୍ଦେବଙ୍କ ଯୋଗୁଁ ପୂରା ଭାରତରେ ଓଡ଼ିଶାର ଛବି ମଳିନ ହୋଇଛି ।
ଗତକାଲି ଡ୍ରାଇଭର ସିଟ୍ରେ ବସି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ । ଏହି ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୧୫ ଜଣ ବିଭିନ୍ନ ଦଳର ସମର୍ଥକ ମଧ୍ୟ ଆହତ ହୋଇଥିଲେ । ତେବେ ବର୍ତ୍ତମାନ ପୋଲିସ କବଜାରେ ଅଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆହତ ଜଗଦ୍ଦେବ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ।
ସୂଚନାଯୋଗ୍ୟ ବିଧାୟକଙ୍କ ଦାଦାଗିରି ପାଇଁ ଗତବର୍ଷ ସେପ୍ଟେମ୍ବର ୯ରେ ତାଙ୍କୁ ବିଜେଡିରୁ ନିଲମ୍ବନ ସହ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ବି ବିଦା କରିଥିଲେ ମୁଖ୍ୟମନ୍ତ୍ରୀ । ତା’ ସତ୍ତ୍ୱେ ଗତ ମାସ ୧୧ ତାରିଖରେ ବନ୍ଧୁକ ମୁନରେ ଜଣେ ବ୍ୟକ୍ତିଙ୍କୁ ଧମକାଉଥିବାର ଭିଡିଓ ବି ଭାଇରାଲ୍ ହୋଇଥିଲା । ଏସବୁ ଘଟଣାର ବହୁ ପୂର୍ବରୁ ଭୁବନେଶ୍ୱର ଏମ୍ଏଲ୍ଏ କଲୋନୀରେ ଜଣେ ବ୍ୟବସାୟୀଙ୍କୁ ଧମକ ସହ ଗାଳିଗୁଲଜ ଏବଂ ଖୋର୍ଦ୍ଧାରେ ବିଜେଡି ରାଲି ବେଳେ ଜଣେ କର୍ମୀଙ୍କୁ ମାଡ଼ମାରିବା ଅଭିଯୋଗ ନେଇ ବି ବିବାଦରେ ରହିଥିଲେ ବିଧାୟକ ଜଗଦ୍ଦେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)