• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

JSWର ପ୍ରସ୍ତାବିତ ଶିଳ୍ପ ପାଇଁ ପ୍ରଶାସନିକ ଜୁଲମ୍ ଆଗରେ ଅସହାୟ ଢିଙ୍କିଆ ବାସିନ୍ଦା । ଘରେ ଥିଲେ ପୋଲିସକୁ ଭୟ, ପାନବରଜକୁ ଟେକିନଦେଲେ ମିଥ୍ୟା ମାମଲାର ଡର । ତେଣୁ ଘର ଛାଡ଼ି କିଏ ବିଲରେ ତ ଆଉ କିଏ ଦଳଭର୍ତ୍ତି ପାଣି କାଦୁଅରେ ଲୁଚିଛନ୍ତି ପୋଲିସ ଭୟରେ । ଏପଟେ ଘରର ବୟସ୍କଙ୍କ ପାଖରେ ଆହା ସାହା ପାଇଁ କେହି ନାହାଁନ୍ତି । ଜୋରଜବରଦସ୍ତ ଭିଟାମାଟି ଛଡ଼ାଇ ନେବାକୁ ଜାରି ରହିଥିବା ସରକାରୀ ଷଡ଼ଯନ୍ତ୍ର ଭିତରେ ଏଣେ ଟଳିପଡୁଛି ଜଣଙ୍କ ପରେ ଜଣଙ୍କ ପାନବରଜ । ସରକାରୀ ଲୋକେ ଆସି ହିସାବ କରୁଛନ୍ତି, ତାଲିକା ଧରାଇ ଚାଲିଯାଉଛନ୍ତି । ଲୋକଙ୍କ ପାଖରେ ଆଉ ଚାରା ବି ନାହିଁ । କାରଣ ପୋଲିସ ଓ ପ୍ରଶାସନ ଗତ ୩ଦିନ ତଳେ ଯେଉଁ ରୂପ ଦେଖାଇଥିଲେ, ସେହି ଭୟରେ ପୁରୁଷ ପୁରୁଷ ଧରି ଦାନା ଯୋଗାଉଥିବା ପାନବରଜକୁ ଦେଇଦେଉଛନ୍ତି ମାହାଳ ଗାଁର ଲୋକେ ।

ଆଜିକୁ ୩ ଦିନ ବିତିଗଲା । ପୋଲିସର ଲାଠିିମାଡ଼ ପରଠୁ ଶୂନଶାନ୍ ହୋଇଯାଇଛି ଢିଙ୍କିଆ ଗାଁ । ଲୋକଙ୍କ ଚଳପ୍ରଚଳ ନାହିଁ । ଚାରିଆଡ଼େ କେବଳ ପୋଲିସ ଛାଉଣୀ । ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସ୍କୁଲ ଘରେ ପୋଲିସ ଡେରା ପକାଇଥିବାରୁ ଗାଁରେ ଥିବା ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଆଉ କିଛି ପୋଲିସ ଭୟରେ ଜଙ୍ଗଲ, ବିଲ, ଦଳଭର୍ତ୍ତି ପାଣି କାଦୁଅ ଭିତରେ ଲୁଚି ରହିଛନ୍ତି ୩ ଦିନ ହେଲା । ଗତରାତିରେ ଜଗତସିଂପୁର ଏସ୍‌ପି ଅଖିଳେଶ୍ୱର ସିଂହ ଢିଙ୍କିଆକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଥଇଥାନ ନେଇ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଘରକୁ ଫେରିଆସିବାକୁ ନିବେଦନ ବି କରିଛନ୍ତି । ତଥାପି ଭରସା ପାଉନାହାଁନ୍ତି ଲୋକେ । ସେମାନଙ୍କ ଅଭିଯୋଗ, ଏସ୍‌ପି ଯିବାପରେ ଗତରାତିରେ କିଛି ଲୋକଙ୍କ ଦାଣ୍ଡଦୁଆର କବାଟ ବାଡ଼େଇଛି ପୋଲିସ ।

 

ତେବେ ଶିଳ୍ପର ସ୍ୱପ୍ନ ଦେଖାଇ ଲୋକଙ୍କ ବିନା ସହମତିରେ କାହିଁକି ପାନବରଜ ଭାଙ୍ଗୁଛି ଜିଲ୍ଲା ପ୍ରଶାସନ ? ଜୀବନ ଆଉ ଜୀବିକାକୁ ଜାବୁଡ଼ି ଭିଟାମାଟିରେ ଜୀଉଁଥିବା ଲୋକଙ୍କ ପ୍ରତି କାହିଁକି ଏତେ ଚରମ କାର୍ଯ୍ୟାନୁଷ୍ଠାନ ? ଏଭଳି ନାନା ପ୍ରଶ୍ନ ଭିତରେ ବିଭିନ୍ନ ବର୍ଗରେ ତେଜୁଛି ଅସନ୍ତୋଷ । ଜଗତସିଂପୁରରେ ଏସ୍ୟୁସିଆଇ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରାଯାଇଥିବା ବେଳେ ଘଟଣାରେ ହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ଭେଟିଛି ସମାଜବାଦୀ ପାର୍ଟି ।

ସେହିପରି ପୋଲିସର ଲାଠିଚାର୍ଜକୁ ବିରୋଧ କରି ଆସନ୍ତା ୨୦ରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଚେତାବନୀ ଦେଇଛି । ଏଣେ ମାନବାଧିକାର କମିଶନଙ୍କୁ ଭେଟି ଏକ ପିଟିସନ ଦାଖଲ କରିଛନ୍ତି ମାନବାଧିକାର କର୍ମୀ । ତେବେ ଏସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଏସ୍‌ପି କହିଛନ୍ତି, ଲୋକଙ୍କ ସହ ଆଲୋଚନା ଜାରି ରହିଛି । କେବଳ ଆଇନଶୃଙ୍ଖଳା ରକ୍ଷା ପାଇଁ ଢିଙ୍କିଆରେ ପୋଲିସ ମୁତୟନ କରାଯାଇଛି ।