• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯୁବକ ଅବସ୍ଥାରେ ସାହାରା ସାଜିଛି ବାଡି । ଠିକ୍ ସେ ଉଠି ବସି ପାରୁନାହାଁନ୍ତି । ମେରୁଦଣ୍ଡରେ ସମସ୍ୟା ଥିବାରୁ ୫ ବର୍ଷ ହେଲା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବ୍ରହ୍ମଗିରି ହାଣ୍ଡିଆଳି ଗାଁର କାବୁଲି ସାହୁ । ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଧରି ମାଗଣା ଚିକିତ୍ସା ପାଇଁ ରାଜଧାନୀର ଏକ ପ୍ରାଇଭେଟ୍ ହସପିଟାଲକୁ ଧାଇଁ ଆସିଥିଲେ । ହେଲେ କାମ କରିନଥିଲା ସରକାରଙ୍କ ସ୍ମାର୍ଟ କାର୍ଡ । ହାତରୁ ପଇସା ସାରି ବିଭିନ୍ନ ପରୀକ୍ଷା କରିବା ପରେ ଆଡମିଶନ ପାଇଁ ତାଙ୍କୁ ୧୦ ହଜାର ଟଙ୍କା ମଗାଯାଇଥିବା କଥା କହିଛନ୍ତି କାବୁଲି ।

ବିଜୁ ସ୍ୱାସ୍ଥ୍ୟ କାର୍ଡର ସୁବିଧା ନପାଇ ଘରୋଇ ହସପିଟାଲରୁ ଫେରି ଆସିଥିବା ଏ ହେଉଛନ୍ତି ଆଉ ଜଣେ ବ୍ୟକ୍ତି ଜ୍ଞାନବ ସ୍ୱାଇଁ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍ ନରସିଂହପୁରରେ । ବିଜୁ ସ୍ମାର୍ଟ କାର୍ଡରେ ମାଗଣାରେ ଆପେଣ୍ଡିସାଇଟସ୍ ଅପରେସନ୍ ପାଇଁ ଭଦ୍ରକର ଏକ ଘରୋଇ ହସପିଟାଲକୁ ଯାଇଥିଲେ ମଧ୍ୟ ସେଠାରେ ସେ କାର୍ଡ ଗ୍ରହଣ କରାଯାଇନଥିଲା । ସରକାରଙ୍କ ଏହି କାର୍ଡ ପାଖରେ ଟଙ୍କା ନଥିବାରୁ ଯନ୍ତ୍ରଣାକୁ ଚାପି ଅପରେସନକୁ ଅପେକ୍ଷା କରିଛନ୍ତି ଜ୍ଞାନବ ।

 

ସ୍ମାର୍ଟ ସିଟି ରାଉରକେଲାର ଘରୋଇ ହସପିଟାଲ ବେଡରେ ପଡିଥିବା ଏହି ରୋଗୀଙ୍କ ମଧ୍ୟ ସମାନ ସମସ୍ୟା । ଆଉ ଅଭିଯୋଗ ଷଣ୍ଢ ଆକ୍ରମଣରେ ଅଂଟା ଭାଙ୍ଗିଯିବାରୁ ଡାକ୍ତର କହିଥିଲେ, ଅପରେସନ୍ ଆବଶ୍ୟକ । ବିଜୁ ସ୍ମାର୍ଟ କାର୍ଡ ଧରି ଅପରେସନ୍ ପାଇଁ ଆସିଥିବା ବେଳେ ଘରୋଇ ହସପିଟାଲ କର୍ତ୍ତୃପକ୍ଷ କହୁଛନ୍ତି, କାର୍ଡରେ ମାତ୍ର ୧୫ ହଜାର ଟଙ୍କା ସୁବିଧା ମିଳିପାରିବ ବାକି ରୋଗୀଙ୍କୁ ଖର୍ଚ୍ଚ କରିବାକୁ ପଡିବ ।

ଏ ହେଉଛି ବାରିପଦାର ଗାୟତ୍ରୀ ହସପିଟାଲ । ବିରାଟ ବଡ କୋଠା ହୋର୍ଡିଂ ଲାଗିଛି, ଡାକ୍ତରଙ୍କ ତାଲିକା ମଧ୍ୟ ଅଛି, ହେଲେ ଗେଟରେ ତାଲା । ନା ରୋଗୀ ଅଛନ୍ତି ନା ଡାକ୍ତର । ବିଜୁ ସ୍ମାର୍ଟ କାର୍ଡରେ ମାଗଣା ଚିକିତ୍ସା ପାଇଁ ରାଜ୍ୟ ସରକାର ଏହି ନର୍ସିଂ ହୋମ୍ ସହ ଚୁକ୍ତି କରିଛନ୍ତି, ହେଲେ ବାସ୍ତବ ସ୍ଥିତି ସମସ୍ତଙ୍କ ସାମ୍ନାରେ ରହିଛି ।

ଜିଲ୍ଲାକୁ ଜିଲ୍ଲା ବୁଲି ଖୋଦ୍ ମୁଖ୍ୟମନ୍ତ୍ରୀ ବାଂଟିଥିଲେ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ । ହେଲେ ଘରୋଇ ମେଡିକାଲରେ ଏହି କାର୍ଡ କାମ ନଦେବା, ସରକାରଙ୍କ ଯୋଜନାକୁ ଏବେ ପଦାରେ ପକାଇଛି । ତେବେ ଏଭଳି ଅବ୍ୟବସ୍ଥା ସଂପର୍କରେ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି ।