• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା । ସରକାରୀ କର୍ମଚାରୀ ଜିଆରଏସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ଖାଲିନା ପଞ୍ଚାୟତର ଜିଆରଏସ୍ ଇନ୍ଦିରା ପ୍ରିୟଦର୍ଶିନୀ କର, ହିତାଧିକାରୀଙ୍କ ଆବାସ ଓ ଏନ୍ଆରଇଜିଏସ୍ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ।

ଖାଲିନା ପଞ୍ଚାୟତ ଇକିଡ଼ା ଗାଁର ମିହିର ପ୍ରଧାନ । ୨୦୧୬-୧୭ ଆର୍ଥିକ ବର୍ଷରେ ତାଙ୍କ ନାଁରେ ମଞ୍ଜୁର ହୋଇଥିଲା ଆବାସ ଘର । ମୋଟ ଲକ୍ଷେ ୨୦ ହଜାର ଟଙ୍କାରୁ ୩ଟି କିସ୍ତିରେ ୨୦, ୩୦, ୪୦ ଏପରି ମୋଟ ୯୦ ହଜାର ଟଙ୍କା ଉଠାଇଥିଲେ ମିହିର । ହେଲେ ଶେଷ କିସ୍ତି ୩୦ ହଜାର ଟଙ୍କା ପାଇନାହାନ୍ତି ମିହିର, କିନ୍ତୁ ଘର ତିଆରି ସମ୍ପୂର୍ଣ୍ଣ ହୋଇଥିବା ଆବାସ ୱେବସାଇଟରେ ଦର୍ଶାଯାଇଛି ।

ଖାଲିନା ପଞ୍ଚାୟତ ଇକିଡ଼ା ଗାଁର ଗୋପାଳ ଦଳେଇ ତାଙ୍କୁ ବି ଜିଆରଏସ୍ ମ୍ୟାଡାମ୍ ଠକିଥିବା ସେ ସିଧାସଳଖ ଅଭିଯୋଗ କରିଛନ୍ତି । ତାଙ୍କ ନାଁରେ ଆସିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ଲକ୍ଷେ ୨୦ ହଜାରରୁ ୩ଟି କିସ୍ତିରେ ୯୦ ହଜାର ଟଙ୍କା ଉଠାଇଛନ୍ତି ଗୋପାଳ । ତେବେ ଜିଆରଏସ୍ ଇନ୍ଦିରା ପ୍ରିୟଦର୍ଶିନୀ ଘର କରାଇଦେବେ କହି ତାଙ୍କଠାରୁ ପୂରା ୯୦ ହଜାର ଟଙ୍କା ଉଠାଇ ନେଇଯାଇଛନ୍ତି, ହେଲେ ଘର ତିଆରି କରିନାହାନ୍ତି ।

ମିହିର ଓ ଗୋପାଳଙ୍କ ଭଳି ଖାଲିନା ପଞ୍ଚାୟତର ଅନେକ ଲୋକଙ୍କର ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି ଲେଡି ଜିଆରଏସ୍ । ଆବାସ ପାଇଥିବା ବ୍ୟକ୍ତିଙ୍କ ଏନ୍ଆରଇଜିଏସ୍ ବାବଦ ହଜାର ହଜାର ଟଙ୍କା ମଧ୍ୟ ଆତ୍ମସାତ୍ କରିଛନ୍ତି । ସେହିପରି ରଘୁନାଥ ନାୟକ ଅଭିଯୋଗ କରିଛନ୍ତି, ତାଙ୍କର NREGS ଟଙ୍କା ଜିଆରଏସ୍ ହଡପ କରିଛନ୍ତି ।

ଖାଲିନା ପଞ୍ଚାୟତରେ ବହୁ ଲୋକଙ୍କର ଆବାସ ଓ ମନରେଗା ଟଙ୍କା ଜିଆରଏସ୍ ହରିଲୁଟ୍ କରିଥିବା ନେଇ ଇକିଡ଼ା ଓ ଖାଲିନା ଗ୍ରାମବାସୀ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କୁ ଚିଠି ଲେଖି ତଦନ୍ତ ପାଇଁ ଅନୁରୋଧ କରିଥିଲେ । ଏବର୍ଷ ପଞ୍ଚାୟତ ନିର୍ବାଚନ ବେଳେ ମଧ୍ୟ ଜିଆରଏସ୍ ଇନ୍ଦିରା ପ୍ରିୟଦର୍ଶିନୀଙ୍କୁ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ । କାହିଁକି ଗରିବ ଲୋକଙ୍କ ଟଙ୍କା ଖାଉଛ ବୋଲି ପଚାରିବାରୁ ମ୍ୟାଡାମ୍ ଚିହିଁକି ଉଠିଥିଲେ ।

ଜଳେଶ୍ୱରରୁ ଅଜିତ୍ ଦାସଙ୍କ ରିପୋର୍ଟ