• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲାଙ୍ଗୀର(ଘଟେଶ୍ୱର ମିଶ୍ର) : ହସ ହସ ମୁହଁ, ମନରେ ଗଭୀର ଆତ୍ମବିଶ୍ୱାସ । କିଛି ଭିନ୍ନ କରିବାର ପ୍ରବଳ ଇଚ୍ଛା । ମନରେ କୌଣସି ଦୁଃଖ, ନାହିଁ କି ଭଗବାନଙ୍କ ଉପରେ ଅଭିମାନ ନାହିଁ । ଜନ୍ମରୁ ସେ ପୋଲିଓରେ ଆକ୍ରାନ୍ତ । ଠିକ ଭାବରେ ଚାଲିବା ମଧ୍ୟ କଷ୍ଟକର । ହେଲେ ଭିନ୍ନକ୍ଷମଙ୍କୁ ନୂଆ ବାର୍ତ୍ତା ଦେଉଛନ୍ତି । କେବେ ସ୍କୁଟିରେ ହଜାର ହଜାର କିଲୋମିଟର ଅତିକ୍ରମ କରି ତ କେବେ ଜିମରେ ସିକ୍ସପ୍ୟାକ ଦେଖାଇ ଅନ୍ୟ ମାନଙ୍କୁ ଚକିତ କରୁଛନ୍ତି । ଆଉ କେବେ ସମାଜସେବାରେ ଦେଖାଇଛନ୍ତି ନିଜର ପାରିବା ପଣିଆ । ଏମତି କିଛି କାମ କରି ଭିନ୍ନକ୍ଷମ ହୋଇ ବି ସକ୍ଷମ ସାଜିଛନ୍ତି ବଲାଙ୍ଗିର ବରପାଲିପଡାର ବବଲୁ ମିଶ୍ର ।

୩୨ ବର୍ଷୀୟ ଦିବ୍ୟାଙ୍ଗ ଯୁବକ ବବଲୁ ମିଶ୍ର । ବଲାଙ୍ଗିର ବରପାଲି ପଡାରେ ଘର । ପ୍ୟାଲେସ ଲାଇନ ପଡାର ୱମେନ୍ସ କଲେଜ ଛକରେ ଏକ ଗିଫ୍ଟ ଦୋକାନ ଖୋଲିକି ବବଲୁ ଆତ୍ମ ନିର୍ଭରଶୀଳ ହୋଇଛନ୍ତି । ବବଲୁ ଜନ୍ମରୁ ପୋଲିଓରେ ଆକ୍ରାନ୍ତ । ତଥାପି ମନରେ ଭରି ରହିଛି ଗଭୀର ଆତ୍ମବଳ । ସବୁବେଳେ କିଛି ଭିନ୍ନ କରିବାର ଇଚ୍ଛା ତାଙ୍କୁ ଅସାଧାରଣ କରିଛି । ତେବେ ସେ ଶିରଡି ସାଇ ବାବାଙ୍କ ଜଣେ ବଡ ଭକ୍ତ । ସାଇ ବାବାଙ୍କ ଧାମକୁ ଯିବା ପାଇଁ ବବଲୁ ସ୍କୁଟିରେ ଶିରଡି ଧାମ ଯିବା ପାଇଁ ସଂକଳ୍ପ କରିଥିଲେ ।

ଗତ ୯ ତାରିଖରେ ନିଜର ସ୍କୁଟି ସାହାଯ୍ୟରେ ସିଙ୍ଗଲ ରାଇଡ କରିକି ବାହାରିଥିଲେ ବବଲୁ । ଦୁଇ ଦିନରେ ଶିରଡି ଧାମ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହିତ ଶନୀ ସିଙ୍ଗଣାପୁର ଯାଇ ଶନିଙ୍କ ଦର୍ଶନ କଲେ । ଆଉ ତା’ପରେ ପୁଣି ଦୁଇଦିନର ଯାତ୍ରା କରି ବଲାଙ୍ଗିରକୁ ଫେରିଥିଲେ । ଚାରିଦିନରେ ପାଖାପାଖି ତିନି ହଜାର କିଲୋମୋଟର ସ୍କୁଟିରେ ସିଙ୍ଗଲ ରାଇଡ କରି ପୋଲିଓ ଆକ୍ରାନ୍ତ ବବଲୁ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

କେବଳ ଶିରଡି ଧାମ ସ୍କୁଟି ରାଇଡ କରି ଚର୍ଚ୍ଚାକୁ ଆସି ନାହାନ୍ତି ବବଲୁ ମିଶ୍ର, ତାଙ୍କର ଅନ୍ୟାନ୍ୟ କାମ ମଧ୍ୟ ବେଶ ପ୍ରଶଂସନୀୟ । ବବଲୁ ମିଶ୍ର କଂପ୍ୟୁଟରରେ ଇଂଜିନିୟରିଂ କରିଛନ୍ତି । କିନ୍ତୁ ଚାକିରୀ ପଛରେ କେବେ ଗୋଡାଇ ନାହନ୍ତି । ନିଜେ ଏକ ଗିଫ୍ଟ ଦିକାନ ଖୋଲି ଆତ୍ମ ନିର୍ଭରଶୀଳ ହୋଇଛନ୍ତି । ପୋଲିଓ ଆକ୍ରାନ୍ତ ହୋଇ ମଧ୍ୟ ସକ୍ଷମଙ୍କ ଭଳି ଜିମକୁ ଯାଇ ସିକ୍ସ ପ୍ୟାକ ବଡି ବନାଇଛନ୍ତି ।

କୋଭିଡ ସମୟରେ ପଦାକୁ ବାହାରି ଲୋକଙ୍କୁ ଖାଇବା ଦେଉଥିଲେ ବବଲୁ । ଅସହାୟ ରୋଗୀଙ୍କ ଚିକିତ୍ସା ମଧ୍ୟ କରାଉଥିଲେ । କେବେ କାହାକୁ ରକ୍ତ ଦରକାର ହେଲେ ଖୋଜାପଡନ୍ତି ଦିବ୍ୟାଙ୍ଗ ବବଲୁ । ବବଲୁଙ୍କ ଭକ୍ତି ଏବଂ ଶକ୍ତି ଆଗରେ ହାର ମାନିଛି ଦିବ୍ୟାଙ୍ଗ ଶରୀର । ବବଲୁଙ୍କ ଏହି ମହତ କାମକୁ ଦେଖି ସାଙ୍ଗ ମାନେ କହୁଛନ୍ତି ବବଲୁ ଦି ବେଷ୍ଟ ।