୨୦ ଫୁଟର ପରିତ୍ୟକ୍ତ ବୋରୱେଲ ଭିତରେ ଫସିଛି କଅଁଳା ଜୀବନ । ମାସେ କି ବର୍ଷେ ନୁହେଁ, ଦିନେ ଦୁଇଦିନର ନବଜାତ । କେହି ଛୁଆଟିକୁ ଜନ୍ମ କରିବା ପରେ ବୋରୱେଲ ଭିତରେ ପକାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି । ହେଲେ ଗାତରେ ଫସିଥିବା ଶିଶୁର ଜୀବନ ବଂଚାଇବାକୁ ଜାରି ରହିଛି ଉଦ୍ୟମ । ଅଗ୍ନିଶମ, ଓଡ୍ରାଫ, ଡାକ୍ତର, ପ୍ରଶାସନ ସମସ୍ତେ ଅନାଇ ରହିଛନ୍ତି ଶିଶୁଟିର ଉଦ୍ଧାର ବାଟକୁ ।
ସେପଟେ ଉଦ୍ଧାରକାରୀଙ୍କ ଉତ୍ସାହ ବଢ଼ାଇଲା ଛୁଆର କାନ୍ଦ । ବୋରୱେଲ ଭିତରେ ଥିବା ଛୁଆର କାନ୍ଦ ବାହାରକୁ ଶୁଭିଲା । ଶୀତ ଲାଗୁଥିବାରୁ ବୋରୱେଲ ଭିତରକୁ ପଠାଗଲା ବଲ୍ବ । ସାମାନ୍ୟ ଉଷୁମ ଦେବାକୁ ଶହେ ୱାଟ୍ ବଲ୍ବ ଭିତରକୁ ଝୁଲାଯାଇଛି । ଟିକେ ଉଷୁମ ଲାଗିଲା ପରେ ବୋର୍ୱେଲ ଭିତରେ ଛୁଆ କାନ୍ଦିଲା । ଛୁଆର କାନ୍ଦ ଶୁଣି ଶହେ ଗୁଣ ଉତ୍ସାହରେ ଲାଗିଛନ୍ତି ଉଦ୍ଧାରକାରୀ ।
ଛୁଆ ପଡ଼ିଥିବା ଲୁହା ବୋରୱେଲ ପାଇପ କଟାଯିବ ବୋଲି ସୂଚନା ଦିଆଯାଇଛି । ଲୁହା ପାଇପ୍ କଟାଯାଇ ଛୁଆକୁ ଉଦ୍ଧାର କରାଯିବ । ଇଲେକ୍ଟ୍ରି କଟରରେ ନୁହେଁ, ଆରିପାତରେ କଟାଯିବ ପାଇପ୍ । ଛୁଆକୁ କିଛି ଆଘାତ ନଲାଗିବା ପାଇଁ ଆରିରେ ପାଇପ୍ କଟାଯିବ । ଓଟିଭିକୁ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି ।
Also Read
ସମୟ ପ୍ରାୟ ଅପରାହ୍ଣ ୩ଟା । ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲ ମଧ୍ୟରେ ଏକ ପରିତ୍ୟକ୍ତ ବୋରୱେଲ ଭିତରୁ ଶୁଭିଲା । କାନ୍ଦ ଶୁଣି ପାଖ ଦେଇ ଯାଆସ କରୁଥିବା ଲୋକେ ଜାଣିପାରିଲେ ଯେ, ବୋରୱେଲ ଭିତରେ ଶିଶୁ ପଡିିଛି । ଶିଶୁ ତ ନୁହେଁ, ନବଜାତ । ଦିନେ କି ଦୁଇ ଦିନର ଛୁଆ । ତୁରନ୍ତ ପୋଲିସ ଓ ପ୍ରଶାସନ ପାଖରେ ପହଁଚିଲା ଖବର । ଆରମ୍ଭ ହେଲା ରେସ୍କ୍ୟୁ ଅପରେସନ୍ । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଁଚିଲା ତିନି ତିନିଟି ଜେସିବି । ପୋଲିସ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ବି ପହଁଚିଗଲେ ।
ପରେ ପରେ ଅକ୍ସିଜେନ୍ ଓ ଆମ୍ବୁଲାନ୍ସ ସହ ଡାକ୍ତର ବି ଆସିଲେ । ବିଳମ୍ବ ନକରି ପ୍ରଥମେ ପାଇପରେ ବୋରୱେଲ ଭିତରକୁ ଅକ୍ସିଜେନ୍ ଦିଆଗଲା । ତେବେ ଚ୍ୟାଲେଂଜ୍ ଥିଲା ଉଦ୍ଧାରକାର୍ଯ୍ୟ । କାରଣ, ପାଇପ ଭିତରେ ଜାକି ହୋଇ ରହିଥିବା ଛୁଆଟିର ମୁଣ୍ଡ ତଳକୁ ରହିଛି । ହେଲେ ପିଲାଟି କାନ୍ଦୁଥିବାରୁ ବଢିଛି ଆଶା ।
୨୦ ଫୁଟର ପରିତ୍ୟକ୍ତ ବୋରୱେଲ୍ । ପାଖାପାଖି ୧୫ ଫୁଟ ତଳେ ଫସିଛି ଜୀବନ । ଆଉ ତାରି ଭିତରେ ବୋରୱେଲର ଫୁଟେ ଦୂରରେ ସମାନ୍ତରାଳ ଭାବେ ଖୋଳା ଜାରି ରଖିଛି ଜେସିବି । ଅନ୍ଧାର ହୋଇଯାଉଥିବାରୁ ଲାଇଟ୍ ଓ ଜେନେରେଟର ଲଗାଯାଇଛି । ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ । ଜେସିବି ପରେ ହାତରେ ଖୋଳା ଯାଉଛି ମାଟି ।
ସୂଚନା ଅନୁସାରେ, ପାଖାପାଖି ୧୫ ବର୍ଷ ହେଲା ସେହି ବୋରୱେଲଟି ଖୋଳାଯାଇଥିଲା । ପାଣି ନଆସିବାରୁ ଅଧାରେ ବନ୍ଦ ରଖାଯାଇଥିଲା ବୋରୱେଲ ଏବଂ ସେବେଠୁ ସେମିତି ମୁକୁଳା ପଡିଥିଲା । ଜନବସତି ଠାରୁ ଦୂରରେ ରହିଥିବାରୁ କାହାର ଏଥିପ୍ରତି ଦୃଷ୍ଟିନଥିଲା ।
- Reported by:
- SANJAY JENA