• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

’ଆଠ ବର୍ଷ ହୋଇଗଲାଣି । ଆଉ ମାଡ଼ ଗାଳି ସହି ପାରିବିନି । ଜୀବନଟା ଦୁର୍ବିସହ ହୋଇ ପଡ଼ିଲାଣି । ଝିଅ ଜନ୍ମ କରିବା କ’ଣ ମୋର ଭୁଲ । ଡାଡି ମୋତେ କ୍ଷମା କରିଦେବ ’ ଆମେରିକାର ନ୍ୟୁୟର୍କରେ ସ୍ୱାମୀଙ୍କ ନିର୍ଯାତନା ସହି ନପାରି ଜଣେ ଭାରତୀୟ ମହିଳା ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ତିଆରି କରିଛନ୍ତି, ଯାହା ଏବେ ଭାଇରାଲ ହେଉଛି । ବର୍ଷ ‍ବର୍ଷ ଧରି ଛାତିରେ ଚାପି ରଖିଥିବା କୋହକୁ ଭିଡିଓରେ ବଖାଣିବା ପରେ ଜୀବନ ହାରି ଦେଇଛନ୍ତି । କେତେ ଯେ ମାନସିକ ଚାପରେ ଥିଲେ ସେ ଭିଡିଓରୁ ଜଣାପଡ଼ୁଛି ।

ମୃତକ ଜଣକ ହେଲେ ଉତ୍ତର ପ୍ରଦେଶ ବିଜନୌରର ମନଦୀପ କୌର । ମନଦୀପ ତାଙ୍କ ସ୍ୱାମୀ ଏବଂ ଦୁଇ ଝିଅଙ୍କ ସହ ନ୍ୟୁୟର୍କରେ ରହୁଥିଲେ । ଅଭିଯୋଗ ଅନୁସାରେ ମନଦୀପଙ୍କୁ ତାଙ୍କ ସ୍ୱାମୀ ପ୍ରତିଦିନ ନିର୍ଯାତନା ଦେଇ ଆସୁଥିଲେ ।  ନିର୍ଯାତନାର କାରଣ ହେଲା ମନଦୀପଙ୍କ ପୁଅ ନୁହେଁ ଦୁଇଟି ଝିଅ ଜନ୍ମ ହୋଇଥିଲେ । ବଡ଼ ଝିଅର ବୟସ ୪ ଓ ଦ୍ୱିତୀୟ ଝିଅ ୨ ବର୍ଷ ।

ଆତ୍ମହତ୍ୟା ପୂର୍ବରୁ ମନଦୀପ ଏକ ଭିଡିଓରେ କାନ୍ଦି କାନ୍ଦି ତାଙ୍କ ନିର୍ଯାତନାର କଥା ବଖାଣିଛନ୍ତି । ସ୍ବାମୀ ଓ ଶାଶୁଘର ଲୋକେ ଆତ୍ମହତ୍ୟା ପାଇଁ ତାଙ୍କୁ ବାଧ୍ୟ କରିଥିବା କହୁଛନ୍ତି । ମନଦୀପ ଆଠ ବର୍ଷ ହେଲା ଯନ୍ତ୍ରଣା ସହୁଛନ୍ତି ବୋଲି ଏହି ଭିଡିଓରେ କହିଛନ୍ତି । ୨୦୧୫ରେ ରଞ୍ଜୋତବୀର ସିଂହଙ୍କୁ ବାହା ହୋଇ ଆମେରିକାରେ ରହୁଥିଲେ ମନଦୀପ । ସେଠାରେ ତାଙ୍କ ସ୍ୱାମୀ ଜଣେ ଟ୍ରକ୍‌ ଡ୍ରାଇଭର୍‌ ଭାବେ କାମ କରନ୍ତି ।

ଏବେ ମନଦୀପଙ୍କ ମୃତଦେହକୁ ଆମେରିକାରୁ ଆଣିବାକୁ ତାଙ୍କ ପରିବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଏହି ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ #justice for mandeep ଟ୍ରେଣ୍ଡ୍‌ କରୁଛି ।