• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଘାଏଁ ଘାଏଁ ମେସିନ ଚାଲିଛି । କଂଚାମାଲକୁ ମେସିନ୍‌ରେ ଭର୍ତ୍ତି କରିବାରେ ମହିଳା ବ୍ୟସ୍ତ ଅଛନ୍ତି । ସକାଳୁ ସଂଜ...ଅକ୍ଲାନ୍ତ ପରିଶ୍ରମ କରି ତିଆରି କରିବାରେ ଲାଗିଛନ୍ତି ବିଭିନ୍ନ ପ୍ରକାର ଧୂପ । ଦିନେ ଟଙ୍କା ନଥିବାରୁ ପିଲାଙ୍କୁ ପାଠ ପଢାଇବାରେ ଅନେକ ସମସ୍ୟାର ସାମ୍ନା କରିଥିଲେ ହେଲେ ଏବେ ଧୂପ ତିଆରି କରି ସ୍ୱାବଲମ୍ବୀ ହେବା ସହିତ ପରିବାର ଚଳାଇବାରେ ସ୍ୱାମୀଙ୍କୁ କରୁଛନ୍ତି ସାହାଯ୍ୟ ।

ମୟୂରଭଞ୍ଜ ଖୁଣ୍ଟା ବ୍ଲକ ବେଲପାଳ ଗାଁର ବାଲି ସୋରେନ । ଜଣେ ଆଦିବାସୀ ମହିଳା ହେଲେ ବି ନିଜର କାମ ପାଇଁ ପୂରା ସହରରେ ଏବେ ସେ ଚର୍ଚ୍ଚାରେ । କେବଳ ନିଜେ ରୋଜଗାରକ୍ଷମ ହୋଇଛନ୍ତି ତାହା ନୁହେଁ ବରଂ ପାଖଆଖ ଅଂଚଳର ମହିଳାଙ୍କୁ ବି ଦେଇଛନ୍ତି ରୋଜଗାର । ଯେଉଁଥି ଲାଗି ବାଲିଙ୍କୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।

ତେବେ ଧୂପ ତିଆରି କରିବାକୁ କାହିଁକି ଚିନ୍ତା କଲେ ? କେମିତି କାମ ଆରମ୍ଭ କଲେ ତାହା ପଛରେ ଯେଉଁ କାହାଣୀ ଲୁଚିରହିଛି ତାହା ଜାଣିବା ପରେ ଆପଣ ବି କହିବେ ମହିଳାଙ୍କ ପାଇଁ ଇଏ ନିଶ୍ଚୟ ପ୍ରେରଣା । ବାଲିଙ୍କ କହିବା କଥା...ସ୍ୱାମୀଙ୍କ ରୋଜଗାରରେ ପରିବାର ଚଳାଇବା ସହିତ ପିଲାଙ୍କୁ ପାଠ ପଢାଇବାରେ ଅନେକ ସମସ୍ୟା ଦେଖାଯାଉଥିଲା । କେମିତି ଭଲରେ ପରିବାର ଚଳିବ ଓ ପିଲାମାନେ ପାଠ ପଢିବେ ସେନେଇ ଅନେକ ଚିନ୍ତା କରିବା ପରେ ଧୂପ ତିଆରି କରିବାକୁ ନିଷ୍ପତ୍ତି ନେଲେ । କେବଳ ନିଷ୍ପତ୍ତି ନେଲେ ତାହା ନୁହେଁ ବରଂ ବାଲି ଦେଖିଥିବା ସ୍ୱପ୍ନ କେମିତି ପୂରଣ ହେବ ସେନେଇ ରାସ୍ତା ବି ବାହାର କଲେ ।

କରୋନା ଲକଡାଉନ୍‌ ବେଳେ ଏକ ସଂସ୍ଥାରେ ଧୂପ ତିଆରି ଶିଖିବା ସହିତ ଘର ପାଖରେ ଏବେ ଛୋଟିଆ ଫ୍ୟାକ୍ଟ୍ରି କରିଛନ୍ତି । ଆଉ ଧୂପ ତିଆରି କରି ଭଲ ଦୁଇ ପଇସା ରୋଜଗାର ବି କରୁଛନ୍ତି । ପିଲାମାନେ ମଧ୍ୟ ବାଲିଙ୍କୁ ସାହାଯ୍ୟ କରୁଛନ୍ତି । ବାଲି ଏବେ ଧୂପ ତିଆରି କରିବା ସହିତ ପାଖଆଖ ଅଂଚଳରେ ବିକ୍ରି କରିବାକୁ ଲୂନାରେ ଯାଉଛନ୍ତି । ଯଦି ସରକାରୀ ଭାବରେ କିଛି ସହାୟତା ମିଳନ୍ତା ତେବେ ଆହୁରି ଭଲ ରୋଜଗାର ହେବା ସହିତ ପାଖଆଖ ଅଂଚଳର ଲୋକଙ୍କୁ ରୋଜଗାର ମିଳିପାରନ୍ତା ବୋଲି ସେ କହିଛନ୍ତି ।

 

  • Reported by:
  • Manas Pani