ଆଶ୍ଚର୍ଯ୍ୟ ! ନେଟୱର୍କ ପାଇବାକୁ ହେଲେ ଚଢିବାକୁ ପଡିବ ପାହାଡ଼

ବାଃ ବାଃରେ ଡିଜିଟାଲ୍‌ ସେବା । ମୋବାଇଲ ଧରିବାକୁ ହେଲେ ଚଢିବାକୁ ପଡ଼ିବ ପାହାଡ...ଆମ୍ବୁଲାନ୍ସ ଡାକିବାକୁ ହେଲେ ଦଉଡିବାକୁ ପଡିବ ୩ କୋଷ ବାଟ । ଇଏ ଏମିତି ଏକ ଗାଁ ଯେଉଁଠି ଯାହା କଲେ ଚଢିବାକୁ ହୁଏ ପାହାଡ଼

Network problem in odisha

ବଣ ଜଙ୍ଗଲ ଘେରା ପାହାଡ । ସବୁଆଡେ ଘଂଚ ଅରଣ୍ୟ । ଏହାରି ମଧ୍ୟରେ ଏମାନେ କିଛିଯୁବକ ଇତସ୍ତତଃ ହୋଇ ବୁଲୁଛନ୍ତି । ଏମିତି ଦୃଶ୍ୟ ଦେଖିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ । ହେଲେ ଏହାପଛର କାରଣ ବଡ କରୁଣ । ନିଜ ଇଚ୍ଛାରେ ନୁହେଁ, ବାଧ୍ୟବାଧକତାରେ ଜଙ୍ଗଲରେ ମୋବାଇଲ ଧରି ବୁଲୁଛନ୍ତି ଗାଁ ଲୋକମାନେ ।

ଆଜିକା ଦିନରେ ଆମେ ସମସ୍ତେ ୫-ଜି ନେଟୱର୍କ ବ୍ୟବହାର କଲେଣି । କେହିକେହି ୪-ଜି ବ୍ୟବହାର କରୁଛନ୍ତି । ହେଲେ ଏମାନେ ୨-ଜି ଲାଗି ସଂଘର୍ଷ କରୁଛନ୍ତି । ଗାଁ ଭିତରେ ତ ନେଟୱର୍କ ଜମାରୁ ଆସୁନି ଯଦି ପାହାଡ ଉପରକୁ ଚଢିବ, ଆଉ ଇଆଡେ ସିଆଡେ ବୁଲିବ ତେବେ ଯାଇଁ ମୋବାଇଲରେ ନେଟୱର୍କ ଆସିବ । ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ଧୁଳିପୁଟ, ଗଜଳମାମୁଡି, କୁରୁମାନୂର୍,ପାପୁଲୁର ଆଦି ପାଞ୍ଚୋଟି ପଂଚାୟତର ଲୋକମାନେ ଆଜି ବି ନେଟୱର୍କ ପାଇବାରୁ ବଞ୍ଚିତ । ପିଲାଙ୍କ ପାଠପଢା ହେଉ କି ବ୍ୟାଙ୍କ କାମ ହେଉ...ଭତ୍ତା ହେଉ କି ଅନଲାଇନ୍‌ ଫର୍ମ ଫିଲଅପ୍‌ ହେଉ...ସବୁବେଳେ ନେଟୱର୍କ ପାଇଁ ଏମାନେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ସ୍ୱାଭିମାନ ଅଂଚଳର ଲୋକମାନେ ।

ଅଧିକ ପଢ଼ନ୍ତୁ: ମୋବାଇଲ୍‌ ଅଛି, କଲ୍‌ ଯାଉନି; 5G ଯୁଗରେ ବି ମିଳୁନି 2G ସୁବିଧା

ଜାଣି ଆଶ୍ଚର୍ଯ୍ୟ ହେବେ କି, ଆଜିକା ଦିନରେ ବି ସମ୍ପର୍କୀୟ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ କଥାବାର୍ତ୍ତା ହେବାକୁ ହେଲେ ସେମାନଙ୍କୁ ଚଢିବାକୁ ପଡେ ପାହାଡ । ସ୍ଥିତି ଏମିତି ବି ହୋଇଛି ଘରେ ରୋଗୀ ପଡିଛି ଆଉ ଆମ୍ବୁଲାନ୍ସ ପାଇଁ ପାହାଡ ଉପରକୁ ଚଢି ନେଟୱର୍କ ଖୋଜୁଛନ୍ତି ଗାଁ ଲୋକେ । ଖାଲି ନେଟୱର୍କ କାହିଁକି? ଗାଁ ଲୋକଙ୍କ ଲାଗି ବିଜୁଳି ଓ ଭଲ ରାସ୍ତା ସାତ ସପନ ହୋଇ ରହିଛି । ଗୋଟିଏ ପଟେ ଡିଜିଟାଲ୍‌ ଇଣ୍ଡିଆର କଥା ସରକାର କହୁଛନ୍ତି । ରାଜ୍ୟଠୁ କେନ୍ଦ୍ର ସରକାର ସବୁ କାମ ଅନଲାଇନ୍‌ ମାଧ୍ୟମରେ କରିବାକୁ କହୁଛନ୍ତି । ହେଲେ ଆଜିକା ଦିନରେ ବି ନେଟୱର୍କ ଲାଗି ସ୍ୱାଭିମାନ ଅଂଚଳର ଲୋକେ ଯେମିତି ସଂଘର୍ଷ କରୁଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବନି ।

ସମସ୍ୟାକୁ ନେଇ ସରପଂଚଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି ଲୋକେ । ହେଲେ ଫଳ କିଛି ହୋଇନି । ବରଂ ସରପଂଚ କହିଛନ୍ତି ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ।

(ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନଙ୍କ ରିପୋର୍ଟ)