ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଦି ନୁହଁ, ରୋଷେୟା ପଢ଼ାଉଛନ୍ତି ପାଠ

୨ ବର୍ଷ ହେଲାଣି ଦିଦି ନାହାନ୍ତି। ଅଙ୍ଗନବାଡିରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି ରୋଷେୟା…ଭାତ ବସେଇ ଦେଇ ପିଲାଙ୍କୁ ଅ’ ଡକାଉଛନ୍ତି ତ ଆଉ କେତେବେଳେ ତରକାରୀ ବସାଇ ଦେଇ ଆ’ ଡକାଉଛନ୍ତି।

Anganwadi Centre

କୁନି କୁନି ପିଲାଏ ବସିଛନ୍ତି, ପାଠ ପଢିବା ସହ ଖେଳକୁଦ ବି ଚାଲୁଛି । ଆଉ ପିଲାଙ୍କ ମଝିରେ ବସିଛନ୍ତି ଦିଦି । ସବୁଠି ଅଙ୍ଗନବାଡି କେନ୍ଦ୍ରରେ ପିଲାମାନେ ବସି ପାଠ ପଢନ୍ତି ଆଉ ଦିଦି ବସି ପଢାନ୍ତି । ଏଥିରେ ନୂଆ କଣ? କିନ୍ତୁ ଏଠି ଯେଉଁ ଦିଦି ବସିଛନ୍ତି ସିଏ ପ୍ରକୃତରେ ଦିଦି ନୁହନ୍ତି ବରଂ ରୋଷେୟା । ଚମକି ପଡିଲେ କି? ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଇଏ ମାସେ କି ଦୁଇମାସ ପାଇଁ ନୁହେଁ ବର୍ଷେ ହେବ ପିଲାଙ୍କୁ ପଢାଉଛନ୍ତି ପାଠ ।

ଦିଦି ନାହାନ୍ତି, ପିଲାଙ୍କୁ ପାଠ ପଢାଉଛନ୍ତି ରୋଷେୟା । ଆଉ ଏମିତି ସ୍ଥିତିରେ ଅଙ୍ଗନବାଡିକୁ ପିଲାଙ୍କୁ ଛାଡିବାକୁ ନାରାଜ ଅଭିଭାବକ। ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଉଦଳା ବାଉଁଶପାଳ ଅଙ୍ଗନୱାଡି କେନ୍ଦ୍ରରେ । ଏହି ଅଙ୍ଗନୱାଡି କେନ୍ଦ୍ରରେ ବର୍ଷେ ହେବ ଅଙ୍ଗନୱାଡି କର୍ମୀ ନଥିବା ବେଳେ ଶିକ୍ଷା ଦାନ ସାଙ୍ଘାତିକ ଭାବରେ ପ୍ରଭାବିତ ହେଉଛି । ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା ପରେ ବି କୌଣସି ସୁଫଳ ମିଳିନି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ଅଧିକ ପଢ଼ନ୍ତୁ: ଗଛ ମୂଳେ ଅଙ୍ଗନୱାଡି : ୧୩ ବର୍ଷ ହେବ ଗଛମୂଳେ ଚାଲିଛି କୁନି ପିଲାଙ୍କ ପାଠପଢା

ସରକାର ଶିଶୁ ମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଏହି ଅଙ୍ଗନୱାଡି କେନ୍ଦ୍ରରେ ତାହା ସଂପୂର୍ଣ୍ଣ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି । କାରଣ ଜଣେ ରୋଷେଇ କରିବା ସହିତ ପିଲାଙ୍କୁ କେମିତି ପାଠ ପଢାଉଥିବେ, ତାହା ଆପଣ ଥରେ ଚିନ୍ତା କରନ୍ତୁ । ତେବେ ବର୍ଷେ ହେବ ଦିଦିଙ୍କ ପଦବୀ ପୂରଣ ହେଉନଥିବାରୁ ଏବେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ ।

ଅଙ୍ଗନବାଡି କେନ୍ଦ୍ରରେ ଦିଦି ନଥିବା ଘଟଣା ଜଣାପଡିବା ପରେ ସିଡିପିଓ କହିଛନ୍ତି, ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ। ଖୁବଶୀଘ୍ର ଜଣେ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରାଯିବ । ତେବେ ଦେଖିବାକୁ ବାକି ରହିଲା, କେବେ ନିଯୁକ୍ତ ହେଉଛନ୍ତି ଶିକ୍ଷୟିତ୍ରୀ ।

(ରିପୋର୍ଟ- ମାନସ ପାଣି, ଉଦଳା)