/odishatv-khabar/media/post_attachments/uploadimage/library/16_9/16_9_0/____1663995307.jpg)
In Laws Shun Last Rites Of Woman In Ganjam
ବଞ୍ଚିଥିବା ବେଳେ ପଚାରିଲେନି। ଆଉ ମୃତ୍ୟୁ ପରେ ସମ୍ମାନ ଟିକିଏ ବି ମିଳିଲାନି। ବିଷ ପିଇ ପ୍ରାଣ ହରାଇଥିବା ମହିଳାଙ୍କ ମୃତଦେହକୁ କାନ୍ଧ ଦେଲେନି ଶ୍ୱଶୁର ଘର ଲୋକେ। ଶେଷରେ ବାଧ୍ୟ ହୋଇ ବାପା ଘର ଲୋକେ ମୃତ ଝିଅର ଶବ ସତ୍କାର କରିଥିଲେ। ଏଭଳି କିଛି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଭେଜିପୁଟ ଫାଣ୍ଡି ଅନ୍ତର୍ଗତ ଓଡିଆ ଆଲପୁର ଗାଁରେ ଘଟିଛି।
ସୂଚନା ଅନୁସାରେ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାରିନୂଆ ଗାଁର ନିଳା ସାହୁ ଓଡିଆ ଆଲପୁର ଗାଁର ହରଷ ସାହୁଙ୍କୁ ବିବାହ କରିଥିଲେ। ହରଷ ଦାଦନ ଶ୍ରମିକ ହୋଇଥିବା ବେଳେ ଚେନ୍ନାଇରେ ରହି କାମ କରୁଛନ୍ତି। ଏହାର ସୁଯୋଗ ନେଇ ହରଷଙ୍କ ପରିବାର ଲୋକେ ବିଭିନ୍ନ ଆଳ ଦେଖାଇ ବୋହୂ ନିଳାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ନିଳାଙ୍କ ପାଖକୁ ଟଙ୍କା ପଠାଇବା ପାଇଁ ପରିବାର ଲୋକେ ହରଷଙ୍କୁ ମନା କରି ଦେଇଥିଲେ। ଫଳରେ ଦୁଇ ପୁଅଙ୍କୁ ନେଇ ସଂସାର ଚଳାଇବା କଷ୍ଟକର ହେବାରୁ ଗତ ଗୁରୁବାର ଦିନ ନିଳା ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ବିଷ ପିଇ ସେ ଘରେ ପଡ଼ି ଛଟପଟ ହେଉଥିଲେ ମଧ୍ୟ ଶ୍ୱଶୁର ଘର ଲୋକେ ତାଙ୍କୁ ମେଡିକାଲ ନେଇ ନଥିବା ଅଭିଯୋଗ ଆସିଛି।
ଖବର ପାଇ ନିଳାଙ୍କ ବାପ ଘର ଲୋକେ ଆସି ପ୍ରଥମେ ତାଙ୍କୁ ଖଲ୍ଲିକୋଟ ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହାପରେ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠା ଯାଇଥିଲା। ନିଳାଙ୍କ ଶବ ଗାଁରେ ପହଞ୍ଚିବା ପରେ ଶବଦାହ କରିବାକୁ ନେବା ପାଇଁ ନା ଶ୍ୱଶୁର ଘର ଲୋକା ନା ଗ୍ରାମବାସୀ ବାହାରି ଥିଲେ।
ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଶବ ପଡ଼ି ରହିବା ପରେ ବାଧ୍ୟ ହୋଇ ମୃତ ନିଳାଙ୍କ ମା’ ଓ ଭଉଣୀ କାନ୍ଧରେ ଶବ ସତ୍କାର କରିବା ପାଇଁ ଶ୍ମଶାନକୁ ନେଇଥିଲେ। ଯାହା ଏବେ ଖଲ୍ଲିକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷେ, ଘଟଣାକୁ ନେଇ ନିଳାଙ୍କ ମା’ ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଆଧାର ପୋଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।
(ରିପୋର୍ଟ- ଶିଲୁ ବିଶ୍ୱାଳ, ଖଲ୍ଲିକୋଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)