• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କି ଅବ୍ୟବସ୍ଥା ! ମେଡିକାଲରେ ବେଡ୍‌ ନାହିଁ ବୋଲି ପ୍ରଚଣ୍ଡ ଖରାରେ ରୋଗୀ ସିଝୁଛନ୍ତି । ଏଥିପ୍ରତି କାହାରି ନିଘା ନାହିଁ । କିଏ ପରୀକ୍ଷା ପରେ ରିପୋର୍ଟ ପାଇବାକୁ ଅପେକ୍ଷା କରିଛି ତ କିଏ ନିଜର ପରୀକ୍ଷା ପାଇଁ ଅପେକ୍ଷା କରିଛି । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲ ସମ୍ମୁଖରେ । ଅନୁଭବ କରନ୍ତୁ ଡହ ଡହ ଖରାରେ ରୋଗଠୁ ବଳି ବ୍ୟବସ୍ଥାର ନିପାରିଲା ପଣରେ, ଜଳୁଥିବା ଜୀବନ ସହ ଜୁଝୁଥିବା ଅଭାବୀ ମଣିଷଙ୍କ ଯନ୍ତ୍ରଣାକୁ ।

ସେମାନଙ୍କ କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିବ । ଆଜ୍ଞା ହଁ, ପୂର୍ବ ଭାରତର ସବୁଠୁ ବଡ଼ କ୍ୟାନ୍ସର ହସ୍ପିଟାଲ ଆଚାର୍ଯ୍ୟ ହରିହର ଆଗରେ ଯେଉଁଭଳି ସ୍ଥିତି ତାହା ନକହିବା ଭଲ । ଆପଣ ଦେଖିଲେ, ଆପଣଙ୍କ ମନରେ ବି ଆସିବ ଇଏ କି ପ୍ରକାର ବିଶ୍ୱସ୍ତରୀୟ ବ୍ୟବସ୍ଥା ?

ମୁଣ୍ଡଫଟା ଖରାରେ ଯେତେବେଳେ ସହର ଜଳୁଛି, ମଣିଷ ତ ମଣିଷ ଚଢେଇ ଚିରୁଗୁଣୀ ବି ନିଜ ବସାରୁ ବାହାରିବାକୁ ଡରୁଛନ୍ତି । ସେତେବେଳେ କ୍ୟାନ୍ସର ଭଳି ରୋଗକୁ ଦେହରେ ବୋହି ଚିକିତ୍ସା ପାଇଁ ଆସୁଥିବା ରୋଗୀ, ସେମାନଙ୍କ ସଂପର୍କୀୟ ହସ୍ପିଟାଲ୍‌ରେ ଯାଗା ନପାଇ ଗେଟ୍ ବାହାରେ ମୁଣ୍ଡଫଟା ଖରାରୁ ବର୍ତ୍ତିବାକୁ ଛାଇକୁ ଦେଖି ଏଗଛରୁ ସେଗଛ ତଳକୁ ଧାଉଁଛନ୍ତି ।

ସେମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଅଞ୍ଚଳର ହୃଶିକେଷ ସାହୁଙ୍କ କ୍ଷେତ୍ରରେ । କିଛି ଦିନ ତଳେ ସେହି ହସ୍ପିଟାଲରେ ତାଙ୍କ ମୁଖ ଗହ୍ୱର ଅପରେସନ୍ ହୋଇଥିଲା, ହେଲେ ରିପୋର୍ଟ ଆସି ନଥିବାରୁ ବାଧ୍ୟ ହୋଇ ଗଛ ତଳେ ଦିନ ରାତି ପଡ଼ି ରହିଛନ୍ତି । କର୍କଟ ରୋଗ ପାଇଁ ଗୋଡ଼ ହରାଇ ଏବେ ଲାଇଟ୍ ପକେଇବାକୁ ଆସିଥିବା ଜଗତ୍ସିଂହପୁରର ଶ୍ରାବଣୀ କାଣ୍ଡି ବି ସେଇ ଗଛମୂଳେ । ହସ୍ପିଟାଲ୍‌ରେ ରହିବାର ବ୍ୟବସ୍ଥା ନାହିଁ, ପାଖରେ ସମ୍ବଳ ନଥିବାରୁ ଲଜ୍ କି ଧର୍ମଶାଳାରେ ରହିବାର ସାମର୍ଥ୍ୟ ବି ନାହିଁ । ତେଣୁ ସେମାନଙ୍କ ପାଖରେ ଆଉ କିଛି ଚାରା ବା ନାହିଁ । ଯାହାଫଳରେ ସେମାନଙ୍କ ଦିନ କଟୁଛି ମେଡିକାଲ ବାହାରେ ଥିବା ଗଛ ଛାଇ ତଳେ ।

କେବଳ ହୃଷିକେଶ କି ଶ୍ରାବଣୀ ନୁହନ୍ତି । ପ୍ରବଳ ଖରାରେ ହସ୍ପିଟାଲ୍ ସାମ୍ନାରେ ଏଠି ସେଠି ପଡ଼ିଥିବା ଏମିତି ଅନେକ ରୋଗୀ ଅଛନ୍ତି । ଯାହାଙ୍କ ଦୁର୍ଦ୍ଦଶାକୁ ଆପଣ ଦେଖି ବି ପାରିବେନି । ବିଡ଼ମ୍ବନା ବି ଏୟା ଯେ ଶହ ଶହ ରୋଗୀ ଓ ସଂପର୍କୀୟଙ୍କ ଏଭଳି ଦୁର୍ଦ୍ଦଶା ଦେଖିବାକୁ ବ୍ୟବସ୍ଥାର ଆଖି ବି ଯେମିତି ଅସୁସ୍ଥ । ଭିତରେ ବେଡ୍ ଯଦି ନାହିଁ, ବାହାରେ ଏମାନଙ୍କ ପାଇଁ ସେଡ୍‌ ଟିଏ କରିବାକୁ ବି କାହାରିକି କେମିତି ଦେଖାଯାଉନି, ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏଭଳି ଅବ୍ୟବସ୍ଥା ନେଇ ମେଡିକାଲ କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ ।