• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁର : ଗ୍ରୀଲ ଭାଙ୍ଗି ତପସ୍ୱିନୀଙ୍କୁ ଶାଶୂଘରକୁ ପ୍ରବେଶ କରାଇଲେ ମହିଳା । ହେଲେ ଶାଶୂଘର ଏରୁଣ୍ଡି ବନ୍ଧ ଡେଇଁ ପାରୁ ନାହାନ୍ତି ଘରର ବୋହୂ । ସ୍ୱାମୀ ଓ ପରିବାର ଲୋକଙ୍କ ଗହଣରେ ଦିନ କାଟିବା ବଦଳରେ ଗ୍ୟାରେଜରେ ଦିନରାତି କାଟୁଛନ୍ତି । ମଝିରେ ବଡ଼ ଲକ୍ଷ୍ମଣରେଖା ଟଣା ହୋଇଛି । ଆଉ ସେହି ଲକ୍ଷ୍ମଣରେଖା ଟାଣିଛନ୍ତି ତପସ୍ୱିନୀଙ୍କ ଶାଶୂଘର ଲୋକେ । କୌଣସି ମତେ ଘରର ବୋହୂକୁ ଘରେ ପୂରାଇବାକୁ ନାରାଜ । ମରିଗଲେ ବି ବୋହୂକୁ ଘରେ ପୂରାଇ ଦେବୁନି ବୋଲି କହୁଛନ୍ତି ।

ତେବେ ଏଥିରେ ହାରିଯାଇ ନାହାନ୍ତି ବୋହୂ ତପସ୍ୱିନୀ । ଶାଶୂଘରେ ଏପରି ମରିପଡ଼ିଥିବି । ମରିଗଲେ ବି ଘର ଛାଡ଼ି କୁଆଡ଼େ ଯିବିନି ବୋଲି କହୁଛନ୍ତି । ସେହିପରି ସେ ତାଙ୍କ  ଶ୍ୱଶୂର ଆଣିଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି । ତପସ୍ୱିନୀ ଓ ସମାଜସେବୀ ବଳପୂର୍ବକ ଭାବେ ଲୋକ ଲଗାଇ ଗେଟ୍ ଭାଙ୍ଗିଥିବା ଗତକାଲି ଅନଲାଇନ୍‌ରେ ଏତଲା କରିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ । ଏକଥାକୁ ମିଛ ବୋଲି ସେ କହିଛନ୍ତି । ସବୁ କିଛି ଗଣମାଧ୍ୟମ ସାମ୍ନାରେ ହୋଇଛି । ସିସିଟିଭିରେ ମଧ୍ୟ ସମସ୍ତ ରେକଡିଂ ଥିବା । ଗେଟ୍‌କୁ ହାତ ବି ଲଗାଇ ନାହାନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ସିସିଟିଭି ଫୁଟେଜ୍‌କୁ ସିଲ୍‌ କରାଯାଉ ବୋଲି ଦାବି କରିଛନ୍ତି ତପସ୍ୱିନୀଙ୍କ ସହ ଧାରଣାରେ ବସିଥିଲା ସମାଜସେବୀ ପ୍ରମିଳା । ସିସିଟିଭିରେ କ’ଣ କ’ଣ ରେକଡିଂ ହୋଇଛି ପର୍ଦ୍ଦାଫାଶ ହେବ । ଘର ବାହାରେ ଶୀତ କାକରରେ ବସି ରହିଥିବାରୁ ଆମର ବି ସୁରକ୍ଷା ଦରକାର ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଆଜି ବୋହୂ ତପସ୍ୱିନୀଙ୍କ ନାଁରେ ଆଉ ଏକ ଅଭିଯୋଗ କରିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ । ତପସ୍ୱିନୀ ଥିବା ଗ୍ୟାରେଜ୍ ରୁମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଘୋଡ଼ାଯାଇଛି । ତପସ୍ୱିନୀ ଏପରି କାହିଁକି କଲେ ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଶ୍ୱଶୁର । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚା ଯାଇଥିବା ସନ୍ଦେହ କରିଛନ୍ତି ପ୍ରମୋଦ ।