Advertisment

ଉପର ଚିକ୍କଣ ଭିତର ଫମ୍ପା, ଫାଇଭ୍ ଟି’ ସ୍କୁଲରେ ଆଖିବୁଜା ଦୁର୍ନୀତି

ନବୀକରଣ, ରୂପାନ୍ତରୀକରଣ ଓ ମରାମତି ନାଁରେ କୋଟି କୋଟି ଟଙ୍କା ଆତ୍ମସାତ୍

author-image
Prangyan Parimita
5T

5T

ଫାଇଭ୍ ଟି’ ସ୍କୁଲ ମରାମତି, ନବୀକରଣ ଓ ରୂପାନ୍ତରୀକର ନାଁରେ କୋଟି କୋଟି ଟଙ୍କା ଆତ୍ମସାତ୍। ଜଗତସିଂହପୁର ଜିଲ୍ଲା ପାରାଦୀପର ୩ଟି ସରକାରୀ ସ୍କୁଲରେ ଆଖିବୁଜା ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । ଉପରକୁ ଚିକ୍କଣ କରି, ଖାଲି ରଙ୍ଗ ମାରିଦେଇ ସରକାରୀ ଟଙ୍କାକୁ ଲୁଟ୍ କରାଯାଇଛି। ଏହା ପଛରେ ରହିଛି ନିର୍ଦ୍ଦିଷ୍ଟ କିଛି ଠିକାଦାର, ଅସାଧୁ କର୍ମଚାରୀ ଓ ରାଜନେତାଙ୍କ ମିଳିତ ମଧୁଚନ୍ଦ୍ରିକା । ୫-୬ଟି ସ୍କିମରେ ଆସିଥିବା ସରକାରୀ ପାଣ୍ଠି ଖର୍ଚ୍ଚ ପରେ ପାରାଦୀପ ମ୍ୟୁନିସିପାଲଟି ମନକୁ ମନ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ତଥାପି ବଦଳିନି ବିଦ୍ୟାଳୟ ଗୁଡିକର ଅବସ୍ଥା । ତେଣୁ କୁଆଡେ ଗଲା ଏତେ ଟଙ୍କା ତାକୁ ନେଇ ଉଠିଛି ପ୍ରଶ୍ନ ଚିହ୍ନ ।

Advertisment

ପାରାଦୀପର ତିନି ସ୍କୁଲ ସଞ୍ଜୟ ଗାନ୍ଧୀ ହାଇସ୍କୁଲ, ଏନଏସି ବଏଜ୍ ଓ ଏନଏସି ଗାର୍ଲସ ହାଇସ୍କୁଲରେ ଏଭଳି ଦୁର୍ନୀତି ହୋଇଥିବା ଆରଟିଆଇରୁ ଜଣାପଡିଛି। ତାହା ପୁଣି ୨୦୧୯ରୁ ୨୦୨୨ ଏହି ୩ ବର୍ଷରେ। ୫-୬ଟି ସ୍କିମରେ ଆସିଥିବା ସରକାରୀ ପାଣ୍ଠିକୁ ଚଳୁ କରାଯାଇଛି। ଗତବର୍ଷ ମେ ୮ ତାରିଖରେ ତିନୋଟିଯାକ ସ୍କୁଲର ରୂପାନ୍ତରୀକରଣ ହୋଇଥିଲା। କିନ୍ତୁ ଏବେ କେଉଁଠି ଛାତରୁ ପାଣି ଗଳୁଛି ତ କେଉଁଠି ଦଦରା କବାଟ ଝରକାରେ ପଟା ବାଡିଆ ଯାଇଛି। ଗୋଟିଏ ବାକ୍ୟରେ କହିଲେ, ଉପର ଚିକ୍କଣ ଭିତର ଫମ୍ପା।

ତିନି ସ୍କୁଲ ପାଇଁ ସର୍ବଶିକ୍ଷା ଅଭିଯାନ, ମୋ ସ୍କୁଲ, ଓଏନଜିସି, ରାମସା, ସବୁଜ ବାହିନୀ, କୋଭିଡ୍ ଫଣ୍ଡ ଭଳି ବିଭିନ୍ନ ସ୍କିମରୁ ଲକ୍ଷ ଲକ୍ଷ ଟଙ୍କା ଆସିଛି। ଏହା ସାଙ୍ଗକୁ ପାରାଦୀପ ପୌରପାଳିକାକୁ ହାଇସ୍କୁଲ ଟ୍ରାନସଫରମେସନ୍ ପ୍ରୋଗ୍ରାମ୍ ଫଣ୍ଡରୁ ୩୦ ଲକ୍ଷ ଟଙ୍କା ଦିଆଯାଇଥିଲା। ତାପରେ ପୌରପାଳିକା ମନକୁ ମନ ଆଉ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ବିନା ବଜେଟ୍ ଅନୁମୋଦନରେ ସ୍କୁଲ ପାଇଁ କାହିଁକି ଖର୍ଚ୍ଚ କଲା ପୌରପାଳିକା ତାକୁ ନେଇ ଉଠିଛି ପ୍ରଶ୍ନ । ତେଣୁ ଏଥିରେ ସିଧାସଳଖ ଦୁର୍ନୀତିର ଗନ୍ଧ ବାରି ହେଉଛି । ଆଶ୍ଚର୍ଯ୍ୟର କଥା ହେଲା, ସଞ୍ଜୟ ଗାନ୍ଧୀ ହାଇସ୍କୁଲରେ ୨ଟି ପାଇଖାନା ତିଆରି ପାଇଁ ଖର୍ଚ୍ଚ ହୋଇଛି ୧୦ ଲକ୍ଷ ୯୪ ହଜାର ଅର୍ଥାତ୍ ପ୍ରାୟ ୧୧ ଲକ୍ଷ ଟଙ୍କା ।

Advertisment

ଆରଟିଆଇ ତଥ୍ୟ ଅନୁସାରେ, ଏନଏସି ଗାର୍ଲସ ହାଇସ୍କୁଲର ମରାମତି, ନବୀକରଣ ଓ ରୂପାନ୍ତରୀକରଣ ପାଇଁ ୩୦ ଲକ୍ଷ ଓ ସଞ୍ଜୟ ଗାନ୍ଧୀ ହାଇସ୍କୁଲ ପାଇଁ ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ପାରାଦୀପ ମ୍ୟୁନିସିପାଲଟି । ତାସହ ଉଭୟ ସ୍କୁଲର ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟକରଣ ପାଇଁ ପୁଣି ୧୦ ଲକ୍ଷ ଖର୍ଚ୍ଚ କରିଛି । ଏତେ ଖର୍ଚ୍ଚ ପରେ ମାତ୍ର ବର୍ଷକ ଭିତରେ କେମିତି ଛାତରୁ ପାଣି ଗଳୁଛି, କବାଟ ଝରକା ଭାଙ୍ଗିଗଲାଣି ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏନଏସି ବଏଜ୍ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଫୋନରେ ସିଧା ମାନିଛନ୍ତି ଯେ ୪୫ ଲକ୍ଷ ଟଙ୍କା ଆସିଥିଲା।

ପାରାଦୀପର ଏହି ତିନୋଟି ସ୍କୁଲରେ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଥିଲେ ମଧ୍ୟ ମାତ୍ର ବର୍ଷକ ଭିତରେ ପୁଣି ମରାମତି କାମ ଚାଲିବା ଆଶ୍ଚର୍ଯ୍ୟ କରୁଛି।ନିର୍ଦ୍ଦିଷ୍ଟ କିଛି ଠିକାଦାର ଏବଂ ଦଳୀୟ କର୍ମୀଙ୍କ ହାତରେ ସବୁ ବଡ଼ ବଡ଼ କାମ ହେଉଥିବା ଅଭିଯୋଗ ହେଉଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ପାରାଦୀପ ପୌରାଧ୍ୟକ୍ଷ ତଥା ପାରାଦୀପ ବିଜେଡି ସଭାପତି।

ସ୍କୁଲରେ ମ୍ୟୁନିସିପାଲଟି ଖର୍ଚ୍ଚ କରିପାରିବ ନାହିଁ ବୋଲି ଗାଇଡଲାଇନ୍ ରହିଛି। ତେବେ କେଉଁ ସ୍ୱାର୍ଥରେ ମ୍ୟୁନିସିପାଲଟି ଏତେ ଟଙ୍କା ଖର୍ଚ୍ଚ କଲା ? ରୂପାନ୍ତରୀକରଣ ନବୀକରଣ ନାଁରେ ଖର୍ଚ୍ଚ ହୋଇଥିବା ଟଙ୍କାର ଅଡିଟ୍ ହେଲେ ସବୁ ସତ ଧରାପଡିବ।

Jojanara Naa Hariloot
Advertisment
Advertisment