• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଥମୁନି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବିବାଦ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଆଜି ଏଚ୍ଏସ୍ଆରପିସି ନିୟମ ଅବଧିକୁ ମାସେ ବଢ଼ାଇଛନ୍ତି ସରକାର । ଲୋକଙ୍କ ସୁବିଧା ପାଇଁ ଡେଡଲାଇନ୍ ବଢ଼ାଯାଇଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି ଲୋକେ । ସେମାନଙ୍କ ଦାବି ଅବଧି ଆହୁରି ବଢାଯାଉ, ପ୍ରକ୍ରିୟାକୁ ବ୍ୟବସ୍ଥିତ କରାଯାଉ, ତାପରେ ନିୟମ କଡ଼ାକଡି କରନ୍ତୁ ସରକାର ।

୧, ୨, ୩, ୪ରେ ଶେଷ ହେଉଥିବା ଗାଡ଼ି ନମ୍ବର ଲାଗି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଆଜି ଶେଷ ଦିନ ଥିଲା । କାଲିଠୁ କଡ଼ାକଡ଼ି ଯାଞ୍ଚ ହୋଇଥାନ୍ତା । ହେଲେ ନମ୍ବର ପ୍ଲେଟ୍ ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଚେତିଛନ୍ତି ସରକାର । ଆଜି ସକାଳେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ସରକାର କହିଥିଲେ, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଡେଡଲାଇନକୁ ମାସେ ବଢ଼ାଯିବ । ଏହି ସମୟ ମଧ୍ୟରେ ପୋଷ୍ଟ ଅଫିସ, ଜନସେବା କେନ୍ଦ୍ର ଆଦିରେ ଏଚ୍ଏସ୍ଆରପିସି ଆବେଦନ ବୁକିଂ ବ୍ୟବସ୍ଥା କରାଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଥିବା ଉଚ୍ଚ ନ୍ୟାୟାଳୟକୁ ଜଣାଇଛନ୍ତି ।

ଆଜି ମଧ୍ୟାହ୍ନରେ ନୂଆ ଅର୍ଡର ଜାରି କରିଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ-ଏସଟିଏ । ଏହି ଆଦେଶନାମା ଅନୁସାରେ, ଏଣିକି ୧, ୨, ୩ ଓ ୪ରେ ଶେଷ ହେଉଥିବା ଗାଡ଼ି ନମ୍ବର ଲାଗି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଶେଷ ଦିନ ଅକ୍ଟୋବର ୩୧ । ସେହିପରି ୫, ୬ରେ ଶେଷ ହେଉଥିବା ଗାଡ଼ି ନମ୍ବର ଲାଗି ନଭେମ୍ବର ୩୦ । ୭, ୮ରେ ଶେଷ ହେଉଥିବା ଗାଡ଼ି ନମ୍ବର ପାଇଁ ଡିସେମ୍ବର ୩୧ ଏବଂ ୯ କିମ୍ବା ଶୂନରେ ଶେଷ ହେଉଥିବା ଗାଡ଼ି ନମ୍ବର ଲାଗି ୨୦୨୩ ଜାନୁଆରୀ ୩୧ । ଏଚ୍ଏସ୍ଆରପିସି ଲଗାଇବାର ଶେଷ ଦିନ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନମ୍ବର ପ୍ଲେଟ୍ ଡେଡଲାଇନ୍ ବଢ଼ାଇଛନ୍ତି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଡେଡଲାଇନକୁ ସରକାର ମାସେ ବଢ଼ାଇଥିଲେ ବି ଲୋକେ ତଥାପି ଅସନ୍ତୁଷ୍ଟ । ଗାଡ଼ି ଚାଳକ ଓ ମାଲିକଙ୍କ ଦାବି, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନେଇ ମାସେ ପର୍ଯ୍ୟାପ୍ତ ନୁହେଁ । ପ୍ରଥମେ ସରକାର ଏଥିପାଇଁ ଭିତ୍ତିଭୂମି ସଜାଡ଼ନ୍ତୁ, ଲୋକଙ୍କୁ ସଚେତନ କରାନ୍ତୁ , ତାହାପରେ ହାଇସିକୁ୍ୟରିଟି ନିୟମ ଲାଗୁ କରିବେ ।

ଅବଧି ବଢାଇବା ଲାଗି ଲୋକଙ୍କ ଦାବି, ତେଣେ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସରକାର ନୂଆ ପ୍ରୟାସ । ୟା ଭିତରେ ହାଇସିକ୍ୟୁରିଟି ପ୍ଲେଟ ଲଗାଇବା ବ୍ୟବସ୍ଥା କେତେ ବ୍ୟବସ୍ଥିତ ହେଉଛି ତା ଉପରେ ନଜର ।