• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଡ଼ିଆଳ( କୁନାଲ ଚରଣ ବେହେରା ) : ଛୋଟିଆ ଘରଟିଏ । ସେଇଠି ରୋଷେଇ, ସେଇଠି ଶୁଆବସା । ଜଣେ ନୁହେଁ, ଗୋଟିଏ ପରିବାରର ଦଶ ଜଣ ସେଇଠି ଖାଉଛନ୍ତି, ପିଉଛନ୍ତି, ଶୋଉଛନ୍ତି ମଧ୍ୟ । ଘର ଖଣ୍ଡେ ନଥିବାରୁ ଏମିତି ଦହଗଂଜ ହେଉଛନ୍ତି ନୂଆପଡ଼ି ଜିଲ୍ଲା ଖଡିଆଳ ଘରଧରା ଗାଁର ଗିରି ହରିଜନ । ଦୀର୍ଘ ୪ ବର୍ଷ ହେବ ବ୍ଲକ ଘରେ ବିତୁଛି ସେମାନଙ୍କ ଜୀବନ । ବିଶେଷ କରି ଆବାସ ଯୋଜନାରେ ବହୁ ପରିବାର ସାମିଲ ହୋଇନପାରି ଭଙ୍ଗା ଦଦରା ଘରେ ଭାଗ୍ୟ ଆଦରି ପଡି ରହିଛନ୍ତି । ଏସଇସିସିରେ ନା ନଥିବା ଦର୍ଶାଇ ସେମାନଙ୍କୁ ଘର ଖଣ୍ଡେ ଦିଆଯାଉନି ।

ଦିନ ଥିଲା ଏକ ଚାଳ ଛପର ଝାଡିମାଟି ଘରେ ନିଜର ଅଭାବୀ ସଂସାରକୁ ଦୁଖେସୁଖେ ଚଳାଇ ଆସୁଥିଲେ ଗିରି ହରିଜନ । ୨୦୧୭ ମସିହାର ଝଡି ବର୍ଷାରେ ଭାଙ୍ଗିଗଲା ଘରଦ୍ୱାର । ସେହି ଦିନ ଠାରୁ ବ୍ଲକ ଘରେ ବିତୁଛି ସେମାନଙ୍କ ଜୀବନ । ଦିବ୍ୟାଙ୍ଗ ଝିଅ ଓ ବୁଢ଼ୀ ମାଆକୁ ଧରି ପୂରା ପରିବାର କଷ୍ଟେମଷ୍ଟେ ରହୁଛନ୍ତି ।

ଦୁଇ ପୁଅ ଦାଦନ ଖଟି ବାହାରକୁ ଯାଇଛନ୍ତି । ପେଟ ମାରି ଯାହା କିଛି ପଠାନ୍ତି ସେଥିରେ ଚଳେ ଗିରିଙ୍କ ପରିବାର । ଘର ଖଣ୍ଡିଏ ତୋଳିବାକୁ ସମ୍ବଳ ନାହିଁ । ସମସ୍ତଙ୍କୁ ପକ୍କା ଘର ଦିଆଯିବ। କେହି ଭଙ୍ଗା ଘରେ ରହିବେ ନାହିଁ । ଏମିତି କେତେ କଣ ଘୋଷଣା କରୁଛନ୍ତି ସରକାର । ହେଲେ ମିପଟ ମଫସଲର ଗିରି ହରିଜନ ଗଳା ପଠାଇ ଯେତେ ଚିତ୍କାର କଲେ ମଧ୍ୟ ଶୁଣିବାକୁ କେହି ନାହିଁ ।

ସରପଞ୍ଚଙ୍କଠାରୁ ଜିଲ୍ଲାପାଳ ଯାଏଁ ଗୁହାରି କରିଥିଲେ ବି ଭିଟାମାଟିରେ ଘର ଖଣ୍ଡେ ଛିଡା ହୋଇ ପାରି ନାହିଁ । ଗିରିଙ୍କ ପରିବାରଙ୍କୁ ଦେଖିଲେ ଯେ କେହି କହିବ ସରକାରୀ ଯୋଜନା ଧୂଆଁବାଣ। ଏସଇସିସି ଡାଟାରେ ନାଁ ଥିଲେ ଘର ମିଳିବ ବୋଲି କୁହାଯାଉଛି । ଜଣେ ସାଧାରଣ ମଣିଷ ପାଇଁ ଖାଦ୍ୟ, ବସ୍ତ୍ର, ଓ ବାସଗୃହ ଜରୁରୀ ଥିବା ବେଳେ ମୌଳିକ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛନ୍ତି ସରକାର । ଏବେ ଭାଗ୍ୟକୁ ଆଦରି ଦିନ କାଟିବାକୁ ବାଧ୍ୟ ହେଉଛନ୍ତି ଗିରି ହରିଜନଙ୍କ ପରିବାର ।