/odishatv-khabar/media/post_attachments/uploadimage/library/16_9/16_9_0/High_Court_1653203800.jpg)
High Court
ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଅନେକ ସମୟରେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ହସ୍ପିଟାଲ ଘର ନାହିଁ । କେଉଁଠି ଅନ୍ଧାରରେ ରୋଗୀ ଚିକିତ୍ସା ଚାଲିଛି, ତ କେଉଁଠି ହସ୍ପିଟାଲ ଅଧା ଦିନ ବନ୍ଦ ରହୁଛି । ଏମିତିକି ରୋଗୀ ଲମ୍ବା ଲାଇନ୍ କରି ଡାକ୍ତରଙ୍କୁ ଅପେକ୍ଷା କରି ରହିଥିଲେ ବି ଡାକ୍ତର ଆସୁନଥିବା ଅଭିଯୋଗ ହୋଇଛି । ତେବେ ଏହାରି ଭିତରେ ହାଇକୋର୍ଟ ମଧ୍ୟ ଏଭଳି ସ୍ୱାସ୍ଥ୍ୟସେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ରାଜ୍ୟର ବିଭିନ୍ନ DHH, PHC ଓ CHCରେ ଡାକ୍ତର ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ବିଭିନ୍ନ ମୌଳିକ ସୁବିଧାର ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଦାଖଲ ରିପୋର୍ଟ ପରେ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ସମସ୍ୟା ଗୁଡ଼ିକରର ତୁରନ୍ତ ସମାଧାନ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ଦ୍ଦେଶ ପାଳନ ହେଲା ନା ନାହିଁ ତାର ଯାଞ୍ଚ ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯିବ । ଏସବୁ ପ୍ରସଙ୍ଗରେ ଜୁଲାଇ ୩୧ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି ।
ଅଗଷ୍ଟ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସ୍ୱେଚ୍ଛାସେବୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣିରେ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଏହି ରିପୋର୍ଟ ଦାଖଲ ହୋଇଥିଲା । ଗତ ନଭେମ୍ବରରେ ଅନୁଧ୍ୟାନ କରାଯାଇଥିବା ଅଧିକାଂଶ ସ୍ଥାନରେ ଆବଶ୍ୟକୀୟ ଡାକ୍ତର, ନର୍ସ ଏବଂ ଅନ୍ୟ ଷ୍ଟାଫ ନଥିବା ଜଣାଯାଇଛି ।
ଏପରିକି ଡ୍ୟୁଟିରେ ଥିବା ଡାକ୍ତର ଏବଂ ଅନ୍ୟ ଷ୍ଟାଫଙ୍କ ଉପସ୍ଥାନ କମ ରହୁଛି । କେତେକ ସ୍ଥାନରେ ଆମ୍ବୁଲାନ୍ସ ଏବଂ ମେଡିସିନ ଭଳି ଅତ୍ୟାବଶ୍ୟକୀୟ ସୁବିଧାର ଅଭାବ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅନେକ ଗୁରୁତ୍ୱପୂର୍ଣ ପରୀକ୍ଷା ପାଇଁ ଲୋକଙ୍କୁ ଘରୋଇ ହସ୍ପିଟାଲ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡୁଛି । କେତେକ CHC ଏବଂ PHCରେ ଟଏଲେଟ ସହ ପିଇବା ପାଣିର ପର୍ଯ୍ୟାପ୍ତ ସୁବିଧା ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)