• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଡ଼ିଆଳ (କୁନାଲ ଚରଣ ବେହେରା) : ପେଟର ଭୋକ ଦାଉ ଦାଉ ଜଳୁଛି । ତିନି ପିଲାଙ୍କୁ ଧରି ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ସେବନୀ ଶବର । ସ୍ୱାମୀ ଚାଲିଯିବା ପରେ ଝାଟିମାଟି ଚାଳ ଛପର ଘରେ ପଡ଼ି ରହିଛନ୍ତି ଚାରିପ୍ରାଣୀ ପରିବାର । ଗରିବ କଲ୍ୟାଣ ପାଇଁ ସରକାରଙ୍କ ଅନେକ ଜନ ହିତକର ଯୋଜନା କରିଛନ୍ତି । ଏଥି ମଧ୍ୟରେ ଜାତୀୟ ପରିବାର ମଙ୍ଗଳ ଯୋଜନା ଅନ୍ୟତମ । ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ପରିବାର ଲୋକଙ୍କୁ ଏହି ଯୋଜନାରେ କୋଡିଏ ହଜାର ଟଙ୍କା ମିଳିଥାଏ । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏବେ ମଧ୍ୟ ଅନେକ ପରିବାର ଏହି ଯୋଜନାରେ ସାମିଲ ହୋଇ ପାରି ନାହାନ୍ତି । ସେବନୀ ଶବରଙ୍କ ପରିବାର ମଧ୍ୟ ଏହାର ଲାଭ ଉଠାଉ ପାରୁନାହାନ୍ତି ।

ଖଡ଼ିଆଳ ବ୍ଳକ ରାନିମୁଣ୍ଡା ଗ୍ରାମ ପଞ୍ଚାୟତର କୋଟାମାଲ ଗ୍ରାମର ସେବନୀ ଶବର । ଏହି ମହିଳାଙ୍କ ଦୁଃଖ କହିଲେ ନସରେ । ଅଭାବ ଅସୁବିଧା ସବୁବେଳେ ଘରେ ଲାଗି ରହିଛି । ସେବନିଙ୍କ ଚାରି ପୁଅ ଝିଅ । ବଡ଼ ଝିଅକୁ ବାହା ଦେଇଥିବା ବେଳେ ଛୋଟ ଛୋଟ ତିନି ପୁଅ ଝିଅକୁ ନେଇ ତାଙ୍କ ସଂସାର । ସ୍ୱାମୀ ଦୟା ଶବରଙ୍କ ଦେଢ଼ ବର୍ଷ ତଳେ ଦେହାନ୍ତ ହୋଇସାରିଛି । ହେଲେ ଏବେ ସୁଦ୍ଧା ପରିବାର ମଙ୍ଗଳ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି ସେ ।

ଅନେକ ଥର ପ୍ରଶାସନକୁ ଆବେଦନ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଦୁଇ ବଖୁରିଆ ମାଟି ଘରେ ଚାରି ପ୍ରାଣୀ ରହନ୍ତି । ଘର ଖଣ୍ଡେ ମଧ୍ୟ ମିଳୁନାହିଁ । ସେବନୀ ପରଘରେ ମଜୁରୀ କଲେ ଖାଇବାକୁ ମିଳେ, ନହେଲେ ଭୋକରେ ରହିବାକୁ ପଡିଥାଏ । ଅବଶ୍ୟ ତାଙ୍କୁ ବିଧବା ଭତ୍ତା ଓ ରାସନ କାର୍ଡ ମିଳିଛି । ସେଥିରେ ଗୋଟିଏ ମାସ ଚଳିବା ସମ୍ଭବ ନୁହେଁ।

ନୂଆପଡା ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥାନ୍ତି । ଦୟା ଶବର ମଧ୍ୟ ଆନ୍ଧ୍ରପ୍ରଦେଶ ଯାଇଥିଲେ ଇଟା ଗଢିବା ପାଇଁ । ସେଠାରେ ପାଦରେ କଣ ଖୁମ୍ପି ହେବାରୁ ଘରକୁ ଫେରିଆସିଲେ । ଘରକୁ ଆସିଲା ପରେ ପାଦର କ୍ଷତ ବଢିବାକୁ ଲାଗିଲା । ଏହା ଘା'ହୋଇ ବହୁତ ଯନ୍ତ୍ରଣା ଦେଲା । ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କଲେ ମଧ୍ୟ ଭଲ ହେଲା ନାହିଁ ଓ ଶେଷରେ ଜୀବନ ହାରିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସେବନୀଙ୍କ ପରିବାର ଅସହାୟ ହୋଇ ପଡିଛନ୍ତି ।

ଛୋଟ ଛୋଟ ପିଲାଙ୍କୁ ନେଇ କିପରି ଚଳିବେ ସେନେଇ ସବୁବେଳେ ଚିନ୍ତା । ମାଟିଘରକୁ ପକ୍କା କରିବାକୁ ସମ୍ବଳ ନାହିଁ । ପ୍ରଶାସନ ତାଙ୍କ ପରିବାରର ଦୁଃଖ ବୁଝୁନାହିଁ । ଏଣେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ଏନେଇ ଅବଗତ ଥିବା କହିଛନ୍ତି ଓ ତାଙ୍କ ପରିବାରକୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।