• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନିକା(ରବିନ୍ଦ୍ର ହୋତା) : ଦିନେ ହସ ଖୁସିରେ ଥିଲା ପୂରି ଉଠୁଥିଲା ପରିବାର । ଜମିବାଡି ନଥିଲେ ବି ଦୁଃଖ କଷ୍ଟକରି ହସ ଖୁସିରେ ଚଳିଯାଉଥିଲେ। ହେଲେ ହଠାତ ସୁଖର ସଂସାର ଉପରେ ଘୋଟିଆସିଲା ଦୁଃଖର ବାଦଲ । ଅଜଣା ରୋଗରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲେ ଘରର ମୁରବୀ । ଏବେ ପୂରା ବେସାହାରା ହୋଇଯାଇଛନ୍ତି ପରିବାର । ତିନି ପିଲାଙ୍କୁ ନେଇ କେମିତି ଚଳିବେ ସେଇ ଚିନ୍ତାରେ ପଡିଯାଇଛନ୍ତି ସ୍ୱାମୀଙ୍କୁ ହାରାଇଥିବା ମହିଳା ଜଣଙ୍କ । ବୌଦ୍ଧ ଜିଲ୍ଲା ଶଙ୍କରପୁର ଗାଁର ଅଭାଗିନୀ ରୁକ୍ମଣୀଙ୍କ ଦୁଃଖ କାହାଣୀ ।

ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଖଟଖଟିଆ ପଂଚାୟତ ଅନ୍ତର୍ଗତ ଶଙ୍କରପୁର ଗାଁର ରୁକ୍ମଣୀ ଠେଲାଙ୍କର ଦୁଃଖ ଯିଏ ଆଖିରେ ଦେଖିଛି ସିଏ ହିଁ ବୁଝିପାରିଛି । ସ୍ୱାମୀ ଉଚ୍ଛବ ଠେଲା ଆରପାରିକୁ ଚାଲିଯିବା ପରେ ଏବେ ପରିବାର ଚଳାଇବା କେତେ କଷ୍ଟକର ତାହା ନକହିବା ଭଲ । ଜମିବାଡ଼ି କିଛି ନାହିଁ । ଦୁଇପିଲାଙ୍କୁ କେମିତି ବଂଚାଇବେ ସେଥିପାଇଁ ଚିନ୍ତାରେ ରହୁଛନ୍ତି ରୁକ୍ମଣୀ । ବାପାଙ୍କ ମୃତ୍ୟୁପରେ ବାପାଙ୍କୁ ଝୁରି ହେଉଛନ୍ତି ତିନିପିଲା ଏବଂ ତାସହିତ ସ୍ୱାମୀଙ୍କୁ ଝୁରି ହେଉଛନ୍ତି ପତ୍ନୀ ।

ବିଧାତା ତାଙ୍କ ସ୍ୱାମୀଙ୍କୁ ଛଡାଇନେଲା । ଏବେ ଘର କେମିତି ଚଳିବ । ଜଣେ ମଣିଷ ହୋଇଥିଲେ ଜୀବନ ଥିବାଯାଏ ମାଗି ଜାଚି ହୁଏତ ରହିଯାଇଥାନ୍ତା । ହେଲେ ଦୁଇ ପିଲାଙ୍କୁ ନେଇ ସେ କେମିତି ଚଳିବ । ସେମାନଙ୍କ ଅବସ୍ଥା କଣ ଏ ଘର ଦେଖି ଆପଣମାନେ ଠିକ ବୁଝିପାରୁଥିବେ । ଖାଇବାକୁ ପେଟକୁ ଦାନା ମିଳୁନି । ଦେହ ପାଇଁ କନା କଥା କିଏ ଚିନ୍ତା କରୁଛି । ତେଣୁ ଛିଣ୍ଡା କୋତରା ଲୁଗାହିଁ ଦେହକୁ ଲୁଚାଇବା ପାଇଁ ଯଥେଷ୍ଟ ଏଠି । ହେଲେ ଭୋକ ବୋଲ ମାନୁନି । ମା କୁ ଘଡିକି ଘଡି ଖାଇବାକୁ ମାଗି ଦେଉଛନ୍ତି ଦୁଇପିଲା । ସେତିକିବେଳେ ଭାବନ୍ତୁ ଆକାଶ ଛିଣ୍ଡି ପଡୁଛି ମାଁ ମୁଣ୍ଡରେ ।

helpless women ଅସହାୟ ରୁକ୍ମଣୀ

କି କାମ କରିବ । କୋଉ କାମ କରିବ ସେ ଭାବି ଭାବି ଏବେ ଚିନ୍ତାରେ । ଛୁଆମାନେ ଛୋଟ ଛୋଟ ଅଛନ୍ତି । ସରକାର ସହାୟ ନହେଲେ ପିଲାଙ୍କୁ କିପରି ଚଳେଇବି । ପାଠସାଠ କେମିତି ପଢ଼େଇବି । ମୁଁ ଗରିବ ମଣିଷ, କିପରି ପୋଷିବି ଆଉ ପୋଷିହେବି ବୋଲି କହିଛନ୍ତି ଅସହାୟ ରୁକ୍ମୁଣୀ ।

ଆଗ ଖାଇବାକୁ ମିଳିଲେ ପରେ ପିଲାଙ୍କୁ ପାଠ ପଢାଇବେ ବୋଲି ଚିନ୍ତା କରୁଛନ୍ତି । ଘରେ ଯାହାକିଛି ଥିଲା ସ୍ୱାମୀଙ୍କ ଚିକିତ୍ସାରେ ସବୁକିଛି ଖର୍ଚ୍ଚ କରି ଏବେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି ମହିଳା ଜଣଙ୍କ । ଏମିତିକି ଭଲ ବାସନ ଦୁଇଟାବି ନାହିଁ ଯେଉଁଥିରେ ସେ ଖାଦ୍ୟ ରଖି ଖାଇପାରିବେ ।

ସମୟ ସମୟରେ ହିଁ ଗାଁ ଲୋକେ ସେମାନଙ୍କୁ ଖାଇବାକୁ ଦେଉଛନ୍ତି । କିନ୍ତୁ ଏହି ଅସହାୟ ପରିବାରକୁ ଏବେ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁବ ଶୀଘ୍ର ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇ ପିଲାଙ୍କ ପାଠପଢା ପାଇଁ ଖର୍ଚ୍ଚ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।