• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଲଗାଣ ବର୍ଷାରେ ବେହାଲ ଭୁବନେଶ୍ୱର । ଗତକାଲିଠୁ ଭୁବନେଶ୍ୱରରେ ଲାଗି ରହିଥିବା ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି । ବର୍ଷା ଯୋଗୁଁ ବମିଖାଲ ସ୍କୁଲ ଭିତରେ ପାଣି ପଶିଥିବା ଜଣାପଡିଛି । ସ୍କୁଲ ପରିସର ଭିତରେ ଏତେ ପାଣି ଯେ ଯାଆସ କରିବା ବି କଷ୍ଟକର ହୋଇପଡ଼ିଛି । ପାଣି ନିଷ୍କାସନ ହେବାକୁ କୌଣସି ବାଟ ନଥିବାରୁ ଏବେ ଚିନ୍ତା ବଢ଼ିଛି । ତେବେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଯାଇ ଜଳବନ୍ଦୀ ସମସ୍ୟା ସମ୍ପର୍କରେ ବୁଝିଛନ୍ତି ମେୟର ସୁଲୋଚନା ଦାସ ।

କେବଳ ଭୁବନେଶ୍ୱର ନୁହେଁ କଟକ, ପୁରୀ ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ଆସନ୍ତା ଦୁଇରୁ ତିନି ଦିନ ଯାଏଁ ଏଭଳି ପାଣିପାଗ ଜାରି ରହିବ। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କଟକ,ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା ଭଳି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ଫଳରେ ବର୍ଷା ହେଉଥିବାର ଜଣାପଡିଛି ।

ସେହିପରି ଅସରାଏ ବର୍ଷାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ପାଣି ପଶିଛି । ଆଜି ମାତ୍ର ଘଣ୍ଟାଏ ବର୍ଷା ଯୋଗୁଁ ମେଡିକାଲ ଭିତରେ ପାଣି ପଶି ଯାଇଛି । ଆଉଟଡୋର୍ ଭିତରେ ଆଣ୍ଠୁଏ ଉଚ୍ଚର ପାଣି ପଶିଥିବାରୁ ରୋଗୀ ସେବାରେ ବାଧା ଉପୁଜିଛି । ଡାକ୍ତର ସେପରି ପାଣି ଭିତରେ ବସିଛନ୍ତି, ରୋଗୀ ବି ପାଣିରେ ପଶି ଡାକ୍ତରଙ୍କୁ ଦେଖାଉଛନ୍ତି । ପରିସ୍ଥିତି ଏପରି ସଙ୍ଗୀନ ହୋଇଛି କି ରୋଗ କମିବା ଅପେକ୍ଷା ବଢ଼ିବା ସମ୍ଭାବନା ରହିଛି ।