• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ଭୟଙ୍କର ବନ୍ୟାସ୍ଥିତି । ୧୨ଟି ଜିଲ୍ଲା ବନ୍ୟାର ଆଁ ଭିତରେ । ବିଶେଷ କରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଗୁରୁତର ଭାବେ ପ୍ରଭାବିତ ହୋଇଛି । ବନ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ୪୦ଟି ସ୍କୁଲ ଆଜି ଏବଂ ଆସନ୍ତାକାଲି ଛୁଟି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ସ୍କୁଲ ଛୁଟି ନେଇ ୭ଟି ବ୍ଲକର BEOଙ୍କୁ ଜିଲ୍ଲାପାଳ ଚିଠି କରିଛନ୍ତି ।

ସେପଟେ ଜଳବନ୍ଦୀ ଥିବା ଖୋର୍ଦ୍ଧା ଜିଲ୍ଲା ସମେତ ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗାଁ ଗୁଡ଼ିକୁ ୧୫ଦିନ ଯାଏଁ ଏବଂ ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ଗାଁ ଗୁଡ଼ିକୁ ୭ ଦିନ ପାଇଁ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାଣି ଛାଡିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ଏବଂ ତାର ୧୫ ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ସମ୍ଭାବ୍ୟ ବର୍ଷାକୁ ଦେଖି ରାଜ୍ୟ ସରକାର ହୀରାକୁଦ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ୍ ଖୋଲା ରହିଛି । ଗତକାଲି ୧୨ଟି ଗେଟ୍ ବନ୍ଦ କରାଯାଇଥିଲା । ଏବେ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ହୀରାକୁଦ ଜଳଭଣ୍ଡାରରେ ୬୨୪ ଫୁଟ୍ ପାଣି ଅଛି । ଏହାକୁ ୬୨୨ ଫୁଟରେ ରଖିବାକୁ ଜଳସଂପଦ ବିଭାଗ ନିଷ୍ପତ୍ତି କରିଛି ।

ଯେହେତୁ ଦୁଇଦିନ ବର୍ଷା ହେବ ଓ ଛତିଶଗଡ଼ରେ ସର୍ବାଧିକ ପ୍ରାୟ ୫୦ ମିଲିମିଟର ବର୍ଷା ହେବାର ଆକଳନ କରାଯାଉଛି, ସେ ଦୃଷ୍ଟିରୁ ହୀରାକୁଦକୁ ୫ରୁ ସାଢେ ୫ଲକ୍ଷ କ୍ୟୁସେକ୍ ପାଣି ଆସିପାରେ । ତେଣୁ ଡ୍ୟାମରୁ ମଧ୍ୟ ସେତିକି ଜଳ ଛଡାଯିବ ବୋଲି ଏସ୍ଆରସି କହିଛନ୍ତି, ଯଦ୍ୱାରା ମୁଣ୍ଡଳିଠାରେ ସର୍ବାଧିକ ୯ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ ଏବଂ ମହାନଦୀ ସିଷ୍ଟମରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ସରକାର ଚିନ୍ତା କରୁଛନ୍ତି ।