Advertisment

ଭାଉଜ ସାଜିଲା ବୈରୀ ! ସଂସାର ଗଢ଼ିବା ପୂର୍ବରୁ ବିଷ ପିଇ ଜୀବନ ହାରିଲା ଦିଅର

କାନ୍ଥରୁ ବାହା ଚିତା ଲିଭିନି, ଆଉ ଗାଁ ମଶାଣୀରେ ପୁଅ-ବୋହୂଙ୍କ ଚିତା ଲାଗିଲା। ବିବାହର ମାତ୍ର ୮ ମାସ ପରେ ବିଷ ପିଇ ଜୀବନ ହାରିଦେଲେ ସ୍ୱାମୀ-ସ୍ତ୍ରୀ । ଏଦୃଶ୍ୟକୁ ଭଲରେ ଦେଖନ୍ତୁ, କେମିତି ଏକା ସାଙ୍ଗରେ ପୁଅ-ବୋହୂଙ୍କର ଉଠୁଛି କୋକେଇ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Husband Wife Death

Husband Wife Death

‘ରାମ ରାମ ସତ୍ୟ ହେ..ହରିନାମ ସତ୍ୟ ହେ’ ଶବ୍ଦ ଶୁଭୁଛି । ଦାଣ୍ଡ ଦୁଆରେ ଦୁଇଟି କୋକୋଇ ସଜଡ଼ା ଯାଇଛି। ୬ ଖଣ୍ଡ ବାଉଁଶରେ ତିଆରି ହୋଇଥିବା ଏଇ କୋକୋଇରେ ଏକା ସାଙ୍ଗରେ ଉଠିଲା ସ୍ୱାମୀ-ସ୍ତ୍ରୀଙ୍କର ଶବ। ଭେଣ୍ଡିଆ ପୁଅ-ବୋହୂଙ୍କୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ। ବାହୁନି କାନ୍ଦୁଛନ୍ତି ବଡ଼ ଭାଉଜ, ଆଉ ଭାଇ ବାକ୍‌ ଶୂନ୍ୟ ।

Advertisment

କାନ୍ଥରୁ ବାହା ଚିତା ଲିଭିନି, ଆଉ ଗାଁ ମଶାଣୀରେ ପୁଅ-ବୋହୂଙ୍କ ଚିତା ଲାଗିଲା। ବିବାହର ମାତ୍ର ୮ ମାସ ପରେ ବିଷ ପିଇ ଜୀବନ ହାରିଦେଲେ ସ୍ୱାମୀ-ସ୍ତ୍ରୀ । ଏଦୃଶ୍ୟକୁ ଭଲରେ ଦେଖନ୍ତୁ, କେମିତି ଏକା ସାଙ୍ଗରେ ପୁଅ-ବୋହୂଙ୍କର ଉଠୁଛି କୋକେଇ। ଯେମିତି ବାହାଘର ଦିନ ଏକା ସାଙ୍ଗରେ ସଜେଇ ହୋଇ ଘରକୁ ପ୍ରବେଶ କରିଥିଲେ ଆଜି ଠିକ୍‌ ସେମିତି ଏକା ସାଙ୍ଗରେ ସଜେଇ ହୋଇ ଗାଁ ମଶାଣୀକୁ ଗଲେ। ବେଦୀ ଉପରେ ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନିଙ୍କୁ ଯେଉଁ ସାକ୍ଷୀ ରଖିଥିଲେ ବୋଧହୁଏ ସେଇଥିପାଇଁ ଏକା ସାଙ୍ଗରେ ଏ ସଂସାରୁ ବାହୁଡ଼ି ଗଲେ ଏଇ ସ୍ୱାମୀ-ସ୍ତ୍ରୀ।

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁରେ ଦେଖିବାକୁ ମିଳିଛି ଏମିତି ହୃଦୟବିଦାରକ ଦୃଶ୍ୟ। ଗାଁର ନବବିବାହିତା ରବୀନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ଅନୁସୂୟା ଏକା ସାଙ୍ଗରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଘର କାନ୍ଥରେ ଝଟକୁଛି ବାହା ଚିତା।କିନ୍ତୁ ଚିତାରେ ଲେଖା ଥିବା ବର କନ୍ୟା ଆଉ ନାହାନ୍ତି।ଗାଁ ମଶାଣୀରେ ଉଭୟଙ୍କ ଚିତା ଥଣ୍ଡା ପଡିବାକୁ ବସିଲାଣି।

Advertisment

ମିଳିଥିବା ସୂଚନା ଅନୁସାରେ, ଗତ ୨୪ ତାରିଖ ରାତିରେ ଘର ପାଖରେ ଚାଷ ଜମିରେ ଉଭୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଉ ୨୫ ତାରିଖ ସକାଳୁ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯୁଦ୍ଧରେ ପ୍ରଥମେ ଅନୁସୂୟା ହାରିଯାଇଥିବା ବେଳେ ପରେ ରବୀନ୍ଦ୍ର ମଧ୍ୟ ପ୍ରାଣ ହରାଇଥିଲେ।

ମୃତ ରବୀନ୍ଦ୍ର ଭୁବନେଶ୍ୱରରେ ଏକ କମ୍ପାନୀରେ କାମ କରୁଥିଲେ। ଏହାସହ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଉତ୍ତମ ସମ୍ପର୍କ ଥିବା ପଡ଼ୋଶୀ ମଧ୍ୟ କହିଛନ୍ତି। ତେବେ ଅନୁସୟାଙ୍କ ବଡ଼ ଯାଙ୍କ ସହ ତାଙ୍କର କିଛି ବିବାଦ ଥିବାରୁ ସ୍ୱାମୀ-ସ୍ତ୍ରୀ ଏପରି କରିଥିବା କୁହାଯାଉଛି। ସେପଟେ ଝିଅର ମୃତ୍ୟୁ ପରେ ଶାଶୂଘର ଲୋକଙ୍କୁ ଦୋଷ ଦେଇଛନ୍ତି ଅନୁସୟାଙ୍କ ପରିବାର ଲୋକ। ତେବେ ମାମଲା ରୁଜୁ ପରେ ପୋଲିସ ଏବେ ତଦନ୍ତ ଜାରି ରଖିଛି। ତେବେ ଏକା ସାଙ୍ଗରେ ପୁଅ-ବୋହୂଙ୍କୁ ହରାଇ ଭାଙ୍ଗି ପଡ଼ିଛି ପୂରା ପରିବାର ।

ରିପୋର୍ଟର- ମନୋଜ ସ୍ୱାଇଁ

Special Story Husband Wife Death
Advertisment
Advertisment