• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପାହାଡ ପରି ଗଦା ହୋଇଛି ଅଳିଆ । ୫ ଫୁଟ୍‌ କି ୧୦ ଫୁଟ୍‌ ଜାଗାରେ ନୁହେଁ ବରଂ ୮ ଏକର ପରିମିତ ଜାଗାରେ ପ୍ରାୟ ୫୦ ଫୁଟ୍‌ ଉଚ୍ଚରେ ଜମା ହୋଇଛି ଅଳିଆ । ଅଳିଆ ଲାଗି ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ଏରିଆ । ଏମିତି ସବୁ ଦୃଶ୍ୟ ଦେଖିବା ପରେ ସ୍ପଷ୍ଟ ବାରି ହୋଇ ପଡିବ ଶ୍ରୀକ୍ଷେତ୍ରରେ ବିକାଶ କେମିତି ହେଉଛି ?

ପର୍ଯ୍ୟଟନ ସହର ପୁରୀ...ସହରର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସହର ଭିତରେ ଥିବା ଅଳିଆକୁ ଦେଖିଲେ ଯିଏ ନାହିଁ ସିଏ ବିରକ୍ତ ହେବ ଆଉ ନାକ ଟେକିବ । ସହର ଭିତରେ ଥିବା ବଳିଆପଣ୍ଡାର ୮ଏକର ପରିମିତ ଜାଗାରେ ପ୍ରାୟ ୫୦ ଫୁଟ ଉଚ୍ଚତାର ଅଳିଆ ଗଦାର ଏହି ପାହାଡକୁ ଅନାଇଲେ ଲାଗୁଛି ସହରର ବିକାଶ ଚାଲିଛି ମିଛିମିଛିକା ।

ଇଏ ଆଜିକି କାଲିର ନୁହେଁ ବରଂ ବର୍ଷବର୍ଷ ଧରି ଦେଖିବାକୁ ମିଳୁଛି ଏମିତି ଦୃଶ୍ୟ । ସ୍ଥିତି ଏମିତି ହେଲାଣି ଯେ ଅଳିଆର ଦୁର୍ଗନ୍ଧ ପରିବେଶରେ ବଞ୍ଚିଥିବା ମଣିଷ ଆକ୍ତାମାକ୍ତା ହେଲାଣି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଏଠାରୁ ଉଠିବ ଅଳିଆ? କେବେ ଉଠିବ ଡମ୍ପିଂୟାର୍ଡ? ସେପଟେ ଗ୍ରୀନ ଟ୍ରିବ୍ୟୁନାଲରେ ପ୍ରଦୂଷଣ ବୋର୍ଡର ସତ୍ୟପାଠ ଅନୁସାରେ ଏହି ଡମ୍ପିଂୟାଡକୁ ଏଠାରୁ ସ୍ଥାନାନ୍ତରିତ କରାଯିବ । ଏମିତିକି ଅଳିଆ ସବୁକୁ ପ୍ରୋସେସିଂ କରାଯିବା ନେଇ କାମ ଆରମ୍ଭ ହୋଇଥିବା କହିଛନ୍ତି ଅତିରିକ୍ତ ପୌର ଅଧିକାରୀ । ସେପଟେ ଡମ୍ପିଂୟାର୍ଡକୁ ନେଇ ତେଜୁଛି ଅସନ୍ତୋଷ ।

ପୂରା ଅଂଚଳ ପ୍ରଦୂଷଣ ହେଉଥିବାରୁ ଗ୍ରୀନ ଟ୍ରିବ୍ୟୁନାଲରେ ଅନେକ ସମୟରେ ମାମଲା ଦାୟର କରିଛନ୍ତି ଆଇନଜୀବୀ ଚିନ୍ମୟ ଦାସ । ହେଲେ ସ୍ଥିତିରେ କୌଣସି ସୁଧାର ଆସିନାହିଁ । ତେଣୁ ପୁଣି ଥରେ ଏବେ ମାମଲା ରୁଜୁ କରିଛନ୍ତି ଚିନ୍ମୟ । ତେଣୁ ଏବେ ଗ୍ରୀନ ଟ୍ରିବ୍ୟୁନାଲରେ ସତ୍ୟପାଠ ଦାଖଲ କରିଛନ୍ତି ପ୍ରଦୂଷଣ ବୋର୍ଡ । ଏପଟେ କିନ୍ତୁ ଆବେଦନକାରୀ କହିଛନ୍ତି ଯେପର୍ଯ୍ୟନ୍ତ ସ୍ଥାନାନ୍ତର ନହୋଇଛି ସେ ଯାଏଁ କିଛି କହିହେବନି ।

ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ରାଜ୍ୟ ଗୃହ ନିର୍ମାଣ ଓ ସହରୀ ଉନ୍ନତୀକରଣ ବିଭାଗ କାମ ଆରମ୍ଭ କରିଛି । ତୁରନ୍ତ ପ୍ରୋସେସିଂ କାମ ସରିବା ପରେ ସ୍ଥାନାନ୍ତରିତ ହେବ ବୋଲି କୁହାଯାଉଛି । ସହର ଭିତରେ ଗଦା ହୋଇଥିବା ୧ଲକ୍ଷ ୨୬ହଜାର ଟନର ଅଳିଆକୁ ପ୍ରୋସେସିଂ କରିବାକୁ ସମୟ ଲାଗିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି ।

 

  • Reported by:
  • MADHUSUDAN MISHRA